ଓଡ଼ିଶା

ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ୍ ର ସଂଶୋଧନ ପ୍ରସ୍ତାବକୁ ବିରୋଧ

– ବିଭିନ୍ନ ଜିଲ୍ଲାରେ ସୂଚନାଧିକାର କର୍ମୀମାନଙ୍କର ବିକ୍ଷୋଭ ଏବଂ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର, ତା ୩୦-୦୭ (ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କ ଦ୍ୱାରା ସୂଚନା ଅଧିକାର ଆଇନ୍ ର ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ବିରୋଧ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିବାଦ ଏବଂ ବିକ୍ଷୋଭ ଆୟୋଜନ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ରାଜ୍ୟପାଳଙ୍କୁ ଏବଂ ଜିଲ୍ଲାପାଳମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ଏହା ସହିତ ସୂଚନାଧିକାର କର୍ମୀମାନେ କେନ୍ଦ୍ରରେ ତୁରନ୍ତ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ଗଠନ କରିବା ସହ ହୁଇସିଲ୍ ବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୯-୦୭-୨୦୧୮ରିଖରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ୍ ର ସଂଶୋଧନ ପାଇଁ ଏକ ବିଲ୍ ରାଜ୍ୟସଭାରେ ଆଗତ କରିଛନ୍ତି। ଏହି ବିଲ୍ ରେ ଉଲ୍ଲେଖ ରହିଛି ଯେ, ଆଇନର ଧାରା ୧୩ ଏବଂ ୧୬ (କମିଶନଙ୍କ ପଦବୀ ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ କରାଯିବ। ଏହି ଦୁଇ ଧାରାରେ ବ୍ୟବସ୍ଥା ରହିଛି ଯେ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରମାନଙ୍କର କାର୍ଯ୍ୟକାଳ ୫ ବର୍ଷ ରହିବ। କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନଙ୍କ ପଦବୀ, ଦରମା ଏବଂ ଚାକିରି ସର୍ତ୍ତାବଳୀ କେନ୍ଦ୍ରର ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ସମାନ ଥିଲାବେଳେ କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ପଦବୀ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ସହିତ ସମାନ ହେବ। ସୂଚନା କମିଶନଙ୍କୁ ଏପରି ଉଚ୍ଚ, ଗୁରୁତ୍ୱପୂର୍ଣ୍ଣ ମାନ୍ୟତାଏବଂ କ୍ଷମତା ଦେବାର ଉଦ୍ଦେଶ୍ୟ ହେଉଛି କମିଶନଙ୍କୁ ପ୍ରଭୂତ କ୍ଷମତାଶାଳୀ କରାଇବା ଯାହାଦ୍ୱାରା କି କମିଶନଙ୍କ ନିର୍ଦ୍ଦେଶକୁ ବିଭିନ୍ନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଇବେ ଏବଂ କମିଶନ୍ ଏକ ସ୍ୱାଧୀନ, ନିରପେକ୍ଷ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ସଂସ୍ଥା ଭାବେ କାମ କରିବ।

କିନ୍ତୁ କେନ୍ଦ୍ର ସରକାର ଉପରୋକ୍ତ ଦୁଇ ଧାରାର ସଂଶୋଧନ କରି ସୂଚନା କମିଶନ୍ ଙ୍କ ପଦବୀ, ଚାକିରି ସର୍ତ୍ତାବଳୀ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ ବୋଲି ପ୍ରସ୍ତାବ ଆଣିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାର ଇଚ୍ଛା ମୁତାବକ ସୂଚନା କମିଶନଙ୍କ ପଦବୀ ଏବଂ ଚାକିରି ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାର ସୁଯୋଗ ପାଇବେ। କମିଶନ ଏହାଦ୍ୱାରା ନିଜର ସ୍ୱତନ୍ତ୍ରତା ହରାଇବା ସହିତ ସରକାରଙ୍କର ଏକ ବୋକ୍ ଚାବୁହା ସଂସ୍ଥା ଭାବେ କାମ କରିବ। ସେହିପରି ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଲୋକପାଳ ଗଠନ କରିନାହାନ୍ତି ଏବଂ ନବୀନ ସରକାର ମଧ୍ୟ ରାଜ୍ୟରେ ଲୋକାୟୁକ୍ତ ଗଠନ କରିନାହାନ୍ତି। ଲୋକପାଳ ଏବଂ ଲୋକାୟୁକ୍ତ ଗଠନ ନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚକ୍ରାନ୍ତ କରିଚାଲିଛନ୍ତି। ସେହିପରି ସୂଚନାଧିକାର କର୍ମୀମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରଣୀତ ହୁଇସିଲ୍ ବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରେଇ ଦେଉନାହାନ୍ତି।

ତେଣୁ ଏହାର ପ୍ରତିବାଦରେ ବିଭିନ୍ନ ଜିଲ୍ଲା ରାୟଗଡ଼ା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତ୍ ସିଂହପୁର, ପୁରୀ, ନୟାଗଡ଼, ଅନୁଗୁଳ, ମୟୁରଭଞ୍ଜ, ଖୋର୍ଦ୍ଧା, କଟକରେ ବିକ୍ଷୋଭ, ଧାରଣା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱରରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାଗୁଡ଼ିକରେ ସଂଖ୍ୟାଧିକ ସୂଚନାଧିକାର କର୍ମୀ, ସଚେତନ ନାଗରିକ ଏବଂ ସାମାଜିକ ସଂଗଠନମାନେ ଯୋଗ ଦେଇଥିଲେ। ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ବିଭିନ୍ନ ଜିଲ୍ଲା ଆବାହକ ତଥା ସୂଚନାଧିକାର କର୍ମୀ ଶ୍ରୀ ରଞ୍ଜନ କୁମାର ଦାସ, ଦିବାକର ନାଏକ, ଚିନ୍ମୟ ଦା. ପ୍ରଶାନ୍ତ ରାଉତରାୟ, ସଂଯୁକ୍ତା ପାଣିଗ୍ରାହୀ, ପ୍ରତାପ ସାହୁ, ମୟୁରଭଞ୍ଜ ଜିଲ୍ଲା ଆବାହକ ସନ୍ତୋଷ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର୍ କରାଯିବ ବୋଲି ଅଭିଯାନ ତରଫରୁ ନିଷ୍ପତ୍ତି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top