ଓଡ଼ିଶା ସବୁଜ ପତ୍ରିକାଧାରୀ ମହାସଂଘର ଦାବି

ଭୁବନେଶ୍ୱର, ତା ୨୭ା୭ (ଓଡ଼ିଆ ପୁଅ) : ଆଜି ଓଡ଼ିଶା ସବୁ ପତ୍ରିକାଧାରୀ ମହିଳା ମହାସଂଘର ଏକ ରାଜ୍ୟସ୍ତରୀୟ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ସବୁଜ ପତ୍ରିକା ବ୍ୟବସ୍ଥା ପ୍ରଚଳନ କରିଥିଲେ। ଯେଉଁ ମହିଳାମାନଙ୍କ ପିଲାସଂଖ୍ୟା ୨ରେ ସୀମିତ ରହିବ, ସେମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଯୋଗାଇଦେବାପାଇଁ ନିୟମ କରିଥିଲେ ଏବଂ ତା ୯.୧୧.୨୦୧୨ରେ ରାଜ୍ୟ ସରକାର ସବୁଜ ପତ୍ରିକା ବ୍ୟବସ୍ଥା ଉଠାଇ ଦେଇଛନ୍ତି। ଏହି ସବୁଜ ପତ୍ରିକାର ପୁନଃପ୍ରଚଳନ ପାଇଁ ଏବଂ ସରକାରଙ୍କ ଦ୍ୱାରା ପ୍ରଚଳିତ ସୁବିଧା ଯୋଗାଇଦେବାପାଇଁ ମହାସଂଘ ରାଜ୍ୟସରକାରଙ୍କ ପାଖରେ ଦାବି କରିଆସୁଅଛି। ଅନ୍ୟ ଦାବିଗୁଡ଼ିକ ହେଲା (୧) ସବୁଜ ପତ୍ରିକାଧାରୀ ମହିଳାମାନଙ୍କୁ ମାସିକ ୭୫୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ, (୨) ଭୂମିହୀନମାନଙ୍କୁ ୨ ଗୁଣ୍ଠ ଲେଖାଏଁ ଜମି ଯୋଗାଇଦେବା (୩) ସବୁଜ ପତ୍ରିକାଠାରୀ ମହିଳାମାନଙ୍କ ପରିବାରକୁ କମ୍ ସୁଧରେ ଗୃହ ଋଣ ଯୋଗାଇଦେବା ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ମୁଖ୍ୟ ଉପଦେଷ୍ଟା ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା, ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଚିନ୍ମୟୀ ବର୍ମା ଏବଂ ସମ୍ପାଦିକା ରଶ୍ମିତା ପ୍ରଧାନ, ସାଧାରଣ ସମ୍ପାଦକ ଦେବରାଜ ନାୟକ ଉପସ୍ଥିତ ଥିଲେ। ସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ପରେପରେ ବିଭାଗୀୟ ମନ୍ତ୍ରୀଙ୍କୁ ଦେଖାକରି ଏହି ଦାବିଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମହାସଂଘକୁ ୨୦୧୮ ସୁଦ୍ଧା ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ କେତେ ସଭ୍ୟା ଅଛନ୍ତି ତାହାର ଏକ ତାଲିକା ଅଗଷ୍ଟ ୫ତାରିଖ ସୁଦ୍ଧା ଦେବାକୁ ମହାସଂଘକୁ କହିଛନ୍ତି।

Leave a Reply

Your email address will not be published. Required fields are marked *