ଓଡ଼ିଶା

ଓଡ଼ିଶା ପାଇଁ “ବିଧାନ ପରିଷଦ” ସଂପୂର୍ଣ୍ଣ ଅନାବଶ୍ୟକ : ଗଣତାନ୍ତ୍ରିକ ପ୍ରତିନିଧିତ୍ୱର ମାତ୍ରା ବୃଦ୍ଧି ପାଇଁ ବିଧାନ ସଭାର ସଭ୍ୟସଂଖ୍ୟା ୨୩୧କୁ କରାଯାଉ

ଭୁବନେଶ୍ୱର ୧୦/୮(ଓଡ଼ିଆ ପୁଅ): ରାଜନୈତିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ପ୍ରତିନିଧିତ୍ୱର ମାତ୍ରା ଦୃଷ୍ଟିରୁ ଓଡ଼ିଶା ରାଜ୍ୟ ପାଇଁ ଏକ ଉଚ୍ଚ ସଦନ ବା ବିଧାନ ପରିଷଦର ସାମାନ୍ୟତମ ଆବଶ୍ୟକତା ନାହିଁ। ମାତ୍ର କିଛି ନ୍ୟସ୍ତସ୍ୱାର୍ଥ-ଗୋଷ୍ଠୀଙ୍କ ଚାପ ଯୋଗୁଁ ଓଡ଼ିଶା ସରକାର ବିଧାନ ପରିଷଦ ଗଠନ ପାଇଁ ମନବଳାଇଛନ୍ତି ବୋଲି ଯେଉଁ ସମ୍ବାଦ ଲୋକଲୋଚନକୁ ଆସିଛି, ତାକୁ ଘୋର ବିରୋଧ କରୁଛି ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ।

କାରଣ ବିଧାନ ପରିଷଦ ଗଠିତ ହେଲେ ରାଜ୍ୟରେ ଚାଟୁକାରିତା ଓ ତୋଷାମଦ ପଣିଆ ମାତ୍ରାଧିକ ସ୍ତରକୁ ଚାଲିଯିବ। ଫଳତଃ ଓଡ଼ିଶା ରାଜନୀତିରେ ବାକ୍ ସ୍ୱାଧୀନତାର ସ୍ତର ଆହୁରି ସଂଙ୍କୁଚିତ ହେବା ସହିତ ପ୍ରଶାସନରେ ଭ୍ରଷ୍ଟାଚାରୀମାନଙ୍କର କୁପ୍ରଭାବ ଅଧିକରୁ ଅଧିକ ଅନୁଭୂତ ହେବ।

ଓଡ଼ିଶା ବୋଲି ନାହିଁ ସମଗ୍ର ଦେଶରେ ଅନୁସୃତ ନିର୍ବାଚନ ପଦ୍ଧତି ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ କିମ୍ବୁତ କିମ୍ବାକାର କରି ଆସୁଛି। ଗତ ୨୦୧୪ ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସ୍ପି)କୁ ଯେଉଁ ଭୋଟ ମିଳିଥିଲା ସେଥିରେ ଉକ୍ତ ଦଳକୁ ଲୋକ ସଭାରେ ୨୨ ଟି ଆସନ ମିଳିବାର କଥା। ମାତ୍ର ଦେଶରେ ଅନୁସୃତ ‘ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ’ ସିଷ୍ଟମ୍ ନିର୍ବାଚନ ପଦ୍ଧତି ଯୋଗୁଁ ୨୨ ଆସନର ପ୍ରତିନିଧିତ୍ୱ ନେବାକୁ ହକ୍ଦାର ହୋଇଥିବା ବିଏସ୍ପି ଦଳକୁ ଗୋଟିଏ ହେଲେ ଆସନ ମିଳିପାରିଲା ନାହିଁ।

ଯେଉଁ ଲକ୍ଷ ଲକ୍ଷ ମତଦାତାମାନେ ବିଏସ୍ପି ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଥିଲେ ସେମାନଙ୍କର ସ୍ୱର ଲୋକସଭାରେ ପ୍ରତିଧ୍ୱନିତ ହେଲା ନାହିଁ।

ମାତ୍ର ୩୧% ଭୋଟ ହାରରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଲୋକସଭା ଆସନର ୫୨% ସିଟ୍, ଅର୍ଥାତ୍ ୨୮୨ଟି ଆସନ ମିଳିଛି। ଏଥିରେ ଭାରତୀୟ ଜନତା ପାର୍ଟି ୧୬୮ଟି ସିଟ୍ ପାଇବା ସ୍ଥଳେ ୧୧୪ଟି ସିଟ୍ ଅଧିକ ହାତେଇ ପାରିଛି। ଅର୍ଥାତ୍ ବିଜେପିକୁ ୨୦୧୪ ଲୋକସଭା ନିର୍ବାଚନରେ ମାତ୍ରାଧିକ ପ୍ରତିନିଧ୍ୱତ୍ୱ (ଓଭର ରିପ୍ରେଜେଣ୍ଟସନ୍) ମିଳିଛି। ୧୯% ଭୋଟ ପାଇଥିବା ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ୧୦୬ ଟି ସିଟ୍ ମିଳିବା କଥା। ମାତ୍ର ତ୍ରୁଟିପୂର୍ଣ୍ଣ ନିର୍ବାଚନ ପଦ୍ଧତି ହେତୁ ଏହି ଦଳକୁ ମିଳିଲା ୪୪ ଟି ଆସନ।

ସେହିପରି ୨୦୧୪ ଇଲେକ୍ସନ୍ରେ ଅନୁସୃତ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପଦ୍ଧତି ଯୋଗୁଁ ମାତ୍ର ୪୩% ଭୋଟେରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବଜୁ ଜନତା ଦଳ (ବିଜେଡ଼ି)କୁ ଓଡ଼ିଶା ବିଧାନ ସଭାର ୮୦% ସିଟ୍ ମିଳିଛି। ବିଜେଡ଼ି ଦଳର ସିଟ୍ ସଂଖ୍ୟା ବିଧାନସଭାରେ ହୋଇଛି ୧୧୬। ଆନୁପାତିକ ପ୍ରତିନିଧିତ୍ୱ ଆମ ଦେଶରେ ଅନୁସୃତ ହୋଇଥିଲେ ବିଜେଡ଼ି ଓଡ଼ିଶା ବିଧାନ ସଭାର ୧୪୭ଟି ସିଟ୍ରୁ କେବଳ ୬୮ଟି ସିଟ୍ ପାଇଥାନ୍ତା। ଏକ ଭୁଲ୍ ନିର୍ବାଚନ ପଦ୍ଧତି ହେତୁ ବିଜେଡ଼ି ହାତକୁ ୪୮ଟି ସିଟ୍ ଅଧିକ ଚାଲି ଯାଇଛି। ଫଳତଃ ଏହା ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱକୁ ବସ୍ତୁତଃ ଅକ୍ତିଆର କରି ନେଇଛି। ୧୦ ଟି ଆସନ ମଧ୍ୟରୁ ଏହି ଦଳ ହାତରେ ରାଜ୍ୟସଭାର ୯ଟି ସିଟ୍ ରହିଛି।

ଭାରତୀୟ ସଂବିଧାନର ଧାରା ୧୭୦ ଅନୁଯାୟୀ ଗୋଟିଏ ରାଜ୍ୟ ବିଧାନ ସଭାର ସଭ୍ୟସଂଖ୍ୟା ୬୦ରୁ ୫୦୦ ମଧ୍ୟରେ ରହିବା ଦରକାର। ଅର୍ଥାତ୍ “ସୁ-ପ୍ରତିନିଧିତ୍ୱ” ବା ଆନୁପାତିକ ପ୍ରତିନିଧିତ୍ୱ ପାଇଁ ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟାକୁ ୧୪୭ରୁ ୨୩୧କୁ ବୃଦ୍ଧି କରାଯାଉ। ଫଳତଃ ଓଡ଼ିଶା ବିଧାନ ସଭାରେ ଆଉ ୮୪ ଜଣ ଲୋକ ପ୍ରତିନିଧି ଏମ୍ଏଲ୍ଏ ହିସାବରେ ବସିପାରିବେ। ଏହି ୮୪ ଜଣ ସଦସ୍ୟଙ୍କୁ କୌଣସି ପାର୍ଟିର ହାଇକମାଣ୍ଡ ପୁନର୍ବାର ମନୋନୀତ କରିବାର ଆବଶ୍ୟକତା ନାହିଁ। କମ୍ ଭୋଟ୍ ମାର୍ଜିନ୍ରେ ଯେଉଁ ଯେଉଁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହାରିଯାଉଛନ୍ତି ସେଭଳି ପରାଜିତ ପ୍ରାର୍ଥୀମାନଙ୍କ ମଧ୍ୟରୁ ସଂପୂକ୍ତ ରାଜନୈତିକ ଦଳର ମୋଟ ଭୋଟ ସଂଖ୍ୟାକୁ ବିଚାରକୁ ନେଇ ଓ ଆନୁପାତିକତାକୁ ଯର୍ଥାର୍ଥ ମର୍ଯ୍ୟଦା ଦେଇ ସେମାନଙ୍କୁ ବାଛିବାର ଅଛି। ଏହି ସିଲେକ୍ସନ ପ୍ରତି ଲୋକସଭା ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ୭ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରି ହାରିଯାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଓଡ଼ିଶା ବିଧାନ ସଭାର ସଦସ୍ୟତା ମିଳିବା ଦରକାର। ଏହି ହିସାବରେ ୮୪ ଜଣଙ୍କୁ ବଛାଯାଇ ପାରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଜୁ ଜନତା ଦଳର ବହୁ ମେମ୍ବରଙ୍କୁ ଯର୍ଥାର୍ଥ ରାଜନୈତିକ ପୋଜିସନ୍ (ପଦବୀ) ସୁନ୍ଦର ଭାବରେ ଦେଇପାରିବେ। ସେମାନଙ୍କୁ ଥଇଥାନ କରିବା ପାଇଁ ଏକ ୪୯-ଜଣିଆ ବିଧାନ ପରିଷଦକୁ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ।

ବିଧାନ ପରିଷଦ ଗଠନ ସେତେ ସହଜସାଧ୍ୟ ନୁହେଁ। ଏହାଦ୍ୱାରା ବ୍ୟୟ ବହୁଳତା ବଢ଼ିବା ନିଶ୍ଚିତ। ଖୁବ୍ ଅଳ୍ପ ପରିଶ୍ରମରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟାକୁ ୧୪୭ରୁ ୨୩୧କୁ ବୃଦ୍ଧି କରି ପାରିବେ। ଏ ଦିଗରେ କାର୍ଯ୍ୟ କରିବା ପାଇଁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଭାବେ ଦାବି କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top