ଓଡ଼ିଶା ପାଇଁ “ବିଧାନ ପରିଷଦ”ର ସାମାନ୍ୟତମ ଆବଶ୍ୟକତା ନାହିଁ – ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର ୨୭/୮ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଗତ ୨୪ ତାରିଖ କ୍ୟାବିନେଟ୍ ବୈଠକରେ ଓଡ଼ିଶା ପାଇଁ ଏକ “ବିଧାନ ପରିଷଦ” ଗଠନ ନିମନ୍ତେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଘୋର୍ ବିରୋଧ କରାଯାଉଛି ବୋଲି ପାର୍ଟିର ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦଳର ସାଧାରଣ ସଂପାଦକ ବି. ରାମଚନ୍ଦ୍ର ସିଏସ୍ଟି ଭୋଲ୍ଟେଆର ଜଣାଇଛନ୍ତି। ସେ କହିଛନ୍ତି ଯେ : ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ପାଇଁ ଉନ୍ନତମାନର ଇଂରାଜୀମାଧ୍ୟମ ଶିକ୍ଷା ସାରା ରାଜ୍ୟରେ ନଥିଲା ବେଳେ, ରାଜ୍ୟର ଦରିଦ୍ର ଲୋକେ ଅନ୍ୟତ୍ର ଦାଦନ ଖଟୁଥିବା ବେଳେ ରାଜ୍ୟ ସରକାର ବିଜେଡ଼ିର କିଛି ନେତାମାନଙ୍କୁ ଥଇଥାନ କରିବା ପାଇଁ ଓ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ବିଧାନ ପରିଷଦ ଗଠନ ପାଇଁ ସିଦ୍ଧାନ୍ତ ନେଇଛନ୍ତି।

ସାରା ଦେଶରେ ଆନୁପାତିକ ପ୍ରତିନିଧିତ୍ୱ ନଥିବାରୁ ଏବଂ ଓଡ଼ିଶା ରାଜ୍ୟରେ ଦୁଇ ଜାତୀୟ ଦଳ : କଂଗ୍ରେସ ଓ ବିଜେପି ମଧ୍ୟରେ ଅହି-ନକୁଳ ସଂପର୍କ ରହି ଥିବାରୁ ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ନାହିଁ ନଥିବା ରାଜନୈତିକ ଫାଇଦା ଉଠାଇଛି। ମାତ୍ର ୪୩% ଭୋଟ ବଳରେ ଏହି ଦଳ ଓଡ଼ିଶା ବିଧାନ ସଭାର ୧୪୭ ଆସନରୁ ୧୧୭ ଆସନକୁ ଅକ୍ତିଆରକୁ ନେଇଛି। ଯାହାକି ଗୃହର ସଦସ୍ୟ ସଂଖ୍ୟାର ଶତକଡ଼ା ୮୦ ଭାଗ। ଯେଉଁ ୫୭% ମତଦାତା ବିଜୁ ଜନତା ଦଳ ବିରୋଧରେ ଭୋଟ ଦେଇଥିଲେ, ସେମାନଙ୍କ ପ୍ରତିନିଧିତ୍ୱ ବିଧାନ ସଭାରେ ଅତ୍ୟନ୍ତ ନଗଣ୍ୟ ହୋଇଛି। ଏପରି ଫଳାଫଳରୁ ଫାଇଦା ଉଠାଇ ବିଜୁ ଜନତା ଦଳ ପାର୍ଲିଆମେଣ୍ଟର “ରାଜ୍ୟସଭା”ରେ ବିଜେଡ଼ିର ପ୍ରତିନିଧିତ୍ୱକୁ ୯୦% କରିଛି।

ଏହା ସ୍ମରଣ ଯୋଗ୍ୟଯେ ୨୦୧୪ ନିର୍ବାଚନ ପାଇଁ ଘୋଷିତ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାରରେ “ବିଧାନ ପରିଷଦ” ନାମଗନ୍ଧ ନଥିଲା। ଓଡ଼ିଶା ରାଜକୋଷରୁ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ କରି ଏକ ଅନାବଶ୍ୟକ, କ୍ଷମତାଶୂନ୍ୟ ଓ ମର୍ଯ୍ୟାଦାହୀନ “ବିଧାନ ପରିଷଦ” ଗଠନକୁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଦୃଢ଼ ବିରୋଧ କରୁଛି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହା ଦାବି କରୁଛି ଯେ, ଜନ ସାଧାରଣଙ୍କ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଏବଂ ଉନ୍ନତମାନର ବିତର୍କ ସହିତ ଷ୍ଟାଣ୍ଡାଡ଼୍ ଆଇନ ତିଆରି କରିବା ପାଇଁ ରାଜ୍ୟ ବିଧାନ ସଭାର ବୈଠକ ବର୍ଷକ ମଧ୍ୟରେ ଅତିକମ୍ରେ ୧୦୦ ଦିନ ବସାଯାଉ। ତାହା ନକରି ନିର୍ବାଚନରେ ପରାଜିତ ବ୍ୟକ୍ତି ଏବଂ ତୋଷାମତକାରୀ ତଥାକଥିତ ବୁଦ୍ଧିଜୀବୀମାନଙ୍କୁ ପରୋକ୍ଷ ନିର୍ବାଚନ ଜରିଆରେ ବିଧାନ ପରିଷଦରେ ନେଇ ଥଇଥାନ କରିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ। ସ୍ପଷ୍ଟ ଦିବାଲୋକରେ ରାଜକୋଷରୁ ପ୍ରଚୁର ଅର୍ଥ ଲୁଟ୍ କରିବା ସଂଗେ ଏହା ସମାନ।

ଯେଉଁ ୩୫ କୋଟି ଟଙ୍କା ବର୍ଷକୁ ଏକ ଅର୍ଥହୀନ “ବିଧାନ ପରିଷଦ” ଉପରେ ରାଜ୍ୟ ସରକାର ଖର୍ଚ୍ଚ କରିବା ପାଇଁ ସ୍ଥିର କରିଛନ୍ତି, ସେହି ଟଙ୍କା ବଳରେ ପ୍ରତି ପଂଚାୟତରେ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଏଫ୍ପିଆଇ ସାଧାରଣ ସମ୍ପାଦକ ଦାବି କରିଛନ୍ତି। ସେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱର ବହୁ ମାନ୍ୟଗଣ୍ୟ ରାଜନୀତି ବିଜ୍ଞାନୀ ଓ ଚିନ୍ତାନାୟକ ଯଥା : ଯୁକ୍ତରାଷ୍ଟ ଆମେରିକାର ବେଜାମିନ୍ ଫ୍ରାଙ୍କଲିନ୍, ବିଟ୍ରେନ୍ର ଜେରେମି ବେନ୍ଥାମ୍ ଓ ପ୍ରଫେସର ହାରଲଡ଼୍ ଜେ. ଲାସ୍କୀ, ଫ୍ରାନ୍ସର ଇମାନୁଏଲ୍ ଯୋସେଫ୍ ସାଇସ୍ ଉଚ୍ଚ ସଦନର ଅନାବଶ୍ୟକତା ଉପରେ ସ୍ପଷ୍ଟମତ ବ୍ୟକ୍ତ କରିଛନ୍ତି। ପ୍ରଫେସର ଲାସ୍କୀଙ୍କ ବକ୍ତବ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। ସେ କହିଛନ୍ତି : “ଯେଉଁ ଉଚ୍ଚ ବିଦ୍ୟାବୁଦ୍ଧିସଂପନ୍ନ ବ୍ୟକ୍ତିମାନଙ୍କ ହୃଦୟରେ ରାଜନୈତିକ ପଦପଦବୀ ହାସଲ କରିବାର ଅଭିଳାଷ ରହିଛି ସେମାନେ ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ। ଯଦି ସେମାନଙ୍କୁ ମତଦାତାମାନେ ପ୍ରତ୍ୟାଖ୍ୟାନ୍ କରୁଛନ୍ତି ତେବେ ସେମାନେ ପଛ ଦୁଆର ବାଟ ଦେଇ ଗୃହ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ। ସେହି ବାଟ ଦେଇ ଲେଜିସ୍ଲେଟ୍ର ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ତାହା ନୈତିକତା ଦୃଷ୍ଟିରୁ ମଧ୍ୟ ଗ୍ରହଣୀୟ ନୁହେଁ।”

Leave a Reply

Your email address will not be published. Required fields are marked *