ଓଡ଼ିଶା

ଓଡ଼ିଶାର ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ୨୧୧୮ ପଦବୀ ଖାଲି : ତୁରନ୍ତ ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୯ା୯ (ଓଡ଼ିଆ ପୁଅ) : ଓଡ଼ିଶାରେ ଥିବା ସରକାରୀ ମେଡ଼ିକାଲ କଳେଜଗୁଡ଼ିକରେ ବିଭିନ୍ନ ପାହ୍ୟାରେ ୨୧୦୦ରୁ ଅଧିକ ପଦପଦବୀ ଖାଲିପଡ଼ିଛି। ଏଥିରୁ ଡାକ୍ତରୀ ଶିକ୍ଷକ ପଦବୀ ପ୍ରାୟ ୬୦୦। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ରାଜ୍ୟରେ ବର୍ତ୍ତମାନ ୭ଟି ସରକାରୀ ମେଡ଼ିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ ଓ ୪ଟି ହୋମିଓପାଥିକ କଲେଜ ଓ ୩ଟି ଆୟୁର୍ବେଦିକ କଲେଜ ରହିଛି। ଏହି ସରକାରୀ ସଂସ୍ଥାଗୁଡ଼ିକରେ ୧୫୨୩ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୫୯୫ ଶିକ୍ଷକ ପଦବୀ ଫାଙ୍କା ଥିବା ସରକାରଙ୍କ ପ୍ରଦତ୍ତ ହିସାବରେ ଉଲ୍ଲେଖ ଅଛି।

୭ଟି ସରକାରୀ ମେଡ଼ିକାଲ କଲେଜ ମଧ୍ୟରୁ ବୁର୍ଲାସ୍ଥିତ ଭୀମ୍ସାରରେ ସର୍ବାଧିକ ୧୪୯ଟି ଡାକ୍ତର ଶିକ୍ଷକ ପଦବୀ ଗତ ମଇ ମାସ ସୁଦ୍ଧା ଖାଲି ପଡ଼ିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଏହି ମେଡ଼ିକାଲ କଲେଜ ଲାଗି ୨୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ଥିବା ବେଳେ ସେଠାରେ ମାତ୍ର ୧୦୧ ଜଣଙ୍କୁ ନେଇ କାମ ଚାଲିଛି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୯୭ଟି ଓ ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ କଲେଜରେ ୬୫ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି। ଏହାଛଡ଼ା ବାରିପଦାର ପିଆର୍ଏମ୍ ଓ କୋରାପୁଟର ଏସ୍ଏଲ୍ଏନ୍ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୨ଟି କରି ଡାକ୍ତରୀ ଶିକ୍ଷକ ପଦବୀ ଖାଲି। ସଦ୍ୟ ଉନ୍ମୋଚିତ ହୋଇଥିବା ବାଲେଶ୍ୱରର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୨ଟି ଓ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୮ଟି ଡାକ୍ତରୀ ଶିକ୍ଷକ ପଦବୀ ମଧ୍ୟ ଖାଲି ଅଛି।

ବାଲେଶ୍ୱରର ଫକୀରମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ସର୍ବାଧିକ ୩୩୧ଟି ଓ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ୩୧୯ଟି ଅଣଡାକ୍ତରୀ ପଦବୀ ଖାଲିପଡ଼ିଛି। ବାରିପଦା ମେଡ଼ିକାଲ କଲେଜ ହସ୍ପିଟାଲରେ ୧୭୯ ଓ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୪୯ଟି ଅଣଶିକ୍ଷକ ପଦବୀ ମଧ୍ୟ ଖାଲି। ଏସ୍ସିବି ମେଡ଼ିକାଲ କଲେଜରେ ୧୩୮ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏମ୍କେସିଜିରେ ଏହି ସଂଖ୍ୟା ୯୮ ଓ ଭୀମ୍ସାରରେ ୮୨ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୋଟାମୋଟି ଭାବେ ଏହି ୭ଟି ମେଡ଼ିକାଲ କଲେଜ ହସ୍ପିଟାଲରେ ୩୯୫ଟି ଡାକ୍ତରୀ ଶିକ୍ଷକ ଓ ୧୨୯୬ଟି ଅଣଶିକ୍ଷକ ପଦବୀ ଖାଲି ଅଛି। ଏସ୍ସିବିରେ ଥିବା ଏକମାତ୍ର ସରକାରୀ ଡେଣ୍ଟାଲ କଲେଜ ହସ୍ପିଟାଲରେ ୮ଟି ଡାକ୍ତରୀ ଶିକ୍ଷକ ଓ ୯ଟି ଅଣଶିକ୍ଷକ ପଦବୀ ମଧ୍ୟ ଖାଲି।

ରାଜ୍ୟର ୭ଟି ଯାକ ହୋମିଓପାଥିକ ଓ ଆୟୁର୍ବେଦିକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅର୍ଦ୍ଧାଧିକ ଡାକ୍ତରୀ ଶିକ୍ଷକ ପଦବୀ ଖାଲି। ୪ଟି ହୋମିଓପାଥିକ କଲେଜ ଲାଗି ୧୪୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ଥିବା ବେଳେ ଏଥିରୁ ୧୧୪ଟି ଖାଲି। ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ହସ୍ପିଟାଲ ଲାଗି ୩୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୨୯ଟି ଖାଲିପଡ଼ିଛି। ଭୁବନେଶ୍ୱରସ୍ଥିତ ଡ. ଅଭିନ୍ନ ଚନ୍ଦ୍ର ମେଡ଼ିକାଲ କଲେଜର ୩୭ଟି ଡାକ୍ତରୀ ଶିକ୍ଷକ ପଦବୀରୁ ୨୮ଟି ଖାଲି ପଡ଼ିଥିବା ବେଳେ ସମ୍ବଲପୁରର ସରକାରୀ ହୋମିଓପାଥିକ କଲେଜର ୩୬ରୁ ୩୦ ଓ ବ୍ରହ୍ମପୁରର ସରକାରୀ ହୋମିଓପାଥିକ କଲେଜର ୩୫ରୁ ୨୭ଟି ଡାକ୍ତରୀ ଶିକ୍ଷକ ପଦବୀ ମଧ୍ୟ ଖାଲି। ଏହି ୪ଟି ସଂସ୍ଥାରେ ୩୧ଟି ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି।

ଓଡ଼ିଶାରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୧୨୪ରୁ ୭୮ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି ଅଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୪୬ରୁ ୨୬, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ୪୩ରୁ ୨୮ ଓ ଗଞ୍ଜାମର ଅଙ୍କୁଶପୁର ଠାରେ ଥିବା ଆୟୁର୍ବେଦିକ କଲେଜରେ ୩୫ରୁ ୨୪ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି। ଏହି ତିନୋଟି ସଂସ୍ଥାରେ ୧୮୭ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

ରାଜ୍ୟରେ ଡାକ୍ତର ତିଆରି ସହିତ ରୋଗୀସେବା ଓ ଗବେଷଣା କ୍ଷେତ୍ରରେ ଏହି ୧୫ଟି ସରକାରୀ ମେଡ଼ିକାଲ କଲେଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିବା ବେଳେ ସରକାର ଏଗୁଡ଼ିକରେ ୫୯୫ଟି ଡାକ୍ତରୀ ଶିକ୍ଷକ ସହିତ ମୋଟ୍ ୨୧୧୮ଟି ପଦବୀ ଖାଲି ରଖିବା ସ୍ୱାସ୍ଥ୍ୟସେବା ପ୍ରତି ସରକାରଙ୍କ ବେଖାତିର ମନୋଭାବକୁ ପ୍ରମାଣ କରୁଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ଲୋକଙ୍କ ଜୀବନ ସହ ଅଧିକ ଦିନ ଖେଳ ନ ଖେଳି ତୁରନ୍ତ ଏହି ପଦବୀଗୁଡ଼ିକ ପୂରଣ କରିବା ଲାଗି ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top