ଓଡ଼ିଶା

ଓଡ଼ିଶାରେ ସଂଖ୍ୟାଧିକ ସମବାୟ ଭିତ୍ତିକ କୃଷି ଶିଳ୍ପ ବନ୍ଦ

ଭୁବନେଶ୍ୱର, ୫ା୯(ଓଡ଼ିଆ ପୁଅ): ଓଡ଼ିଶାରେ ପ୍ରତୀକ୍ଷା କରାଯାଇଥିବା ବିଭିନ୍ନ ସମବାୟ ଭିତ୍ତିକ ଶିଳ୍ପରୁ ଅଧିକାଂଶ ବନ୍ଦ ହୋଇଯାଇଛି। ରାଜ୍ୟରେ ଅଧିକ ସଂଖ୍ୟକ କୃଷିଭିତ୍ତିକ ସମବାୟ ଶିଳ୍ପ ପ୍ରତିଷ୍ଠା ଲାଗି ଏବେ ରାଜ୍ୟ ସରକାରଙ୍କର କୌଣସି ପରିକଳ୍ପନା ନାହିଁ। ତେବେ ଏ କିସମର ଶିଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଆସିଲେ ବିଚାରକୁ ନିଆଯିବ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଦାନ କରିଥିବା ୬ ପୃଷ୍ଠା ସମ୍ବଳିତ ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

ଓଡ଼ିଶାରେ ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ ସମବାୟ ଭିତ୍ତିକ ୬ଟି ସୂତାକଳ ଓ ୧୨ଟି କଳତନ୍ତ ସମବାୟ ସମିତି ଥିଲା। ଏ ସମସ୍ତ ଶିଳ୍ପ ଦୀର୍ଘ ବର୍ଷ ଧରି ବନ୍ଦ ହୋଇପଡ଼ିଛି। ତେବେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରୁ କୋଣାର୍କ କପା ଉତ୍ପାଦନକାରୀ ସମବାୟ ସୂତା କଳରେ କେବଳ ତୂଳାର ଜିନିଂ ଓ ପ୍ରସେସିଂ କାମ ହେଉଥିଲେ ମଧ୍ୟ ଏହି ସୂତା କଳଟି କ୍ଷତିରେ ଚାଲୁଛି। ମନ୍ତ୍ରୀଙ୍କ ପ୍ରଦତ୍ତ ହିସାବ ଅନୁଯାୟୀ ବରଗଡ଼, ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ସମବାୟ ସୂତାକଳଗୁଡ଼ିକ ବନ୍ଦ ହୋଇଛି। ତେବେ ଏଥିରୁ ବାଲେଶ୍ୱର ଜିଲ୍ଲାର ଗୋପୀନାଥ ବୁଣାକାର ସମବାୟ ସୂତାକଳକୁ ବିକ୍ରି କରିଦିଆଯାଇଛି। କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁର, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୧୨ଟି ସମବାୟ ସମିତିର ଉତ୍ପାଦନ ବନ୍ଦ ରହିଥିବା ମନ୍ତ୍ରୀ ସୂଚାଇଛନ୍ତି। ରାଜ୍ୟରେ ସମବାୟ ବିଭାଗ ଅଧିନରେ ଥିବା ୫ଟି ଚିନିକଳ ମଧ୍ୟରୁ ଆସିକା ଓ ବରଗଡ଼ ଚିନିକଳ ବ୍ୟାପକ କ୍ଷତିରେ ଚାଲୁଛି। ବଲାଙ୍ଗୀର ଜିଲ୍ଲାର ସାଗରପାଲୀଠାରେ ଥିବା ବିଜୟାନନ୍ଦ ସମବାୟ ଚିନି କଳରେ ୨୦୧୪-୧୫ରୁ ଆଖୁପେଡ଼ା ବନ୍ଦ ଥିବା ବେଳେ ବଡ଼ମ୍ବା ଓ ନୟାଗଡ଼ଠାରେ ଥିବା ୨ଟି ସମବାୟ ଚିନିକଳକୁ ବିକ୍ରି କରିଦିଆଯାଇଥିବା ବେଳେ ସେଗୁଡ଼ିକରେ ଦୀର୍ଘ ବର୍ଷ ଧରି ଆଖୁପେଡ଼ା ହେଉନାହିଁ।

ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପୁଣି କହିଛନ୍ତି ଯେ ତାଙ୍କ ବିଭାଗ ଅଧିନରେ ୧୮ଟି ସମବାୟ ଶୀତଳ ଭଣ୍ଡାର ନିର୍ମିତ ହୋଇଥିବା ବେଳେ ସେଥିରୁ ୧୩ଟି ବନ୍ଦ ରହିଛି। ଅନ୍ୟ ୫ଟି ଶୀତଳ ଭଣ୍ଡାର କ୍ଷତିରେ ଚାଲୁଛି। ବରଗଡ଼ ଜିଲ୍ଲାରେ ଥିବା ମାର୍କଫେଡ୍ର ଗୋଟିଏ ଅଏଲ୍ କମ୍ପ୍ଲେକ୍ସକୁ ଲିଜ୍ ସୂତ୍ରରେ ଘରୋଇ ସଂସ୍ଥାକୁ ଦିଆଯାଇଛି। କୃଷିଭିତ୍ତିକ ସମବାୟ ଶିଳ୍ପଗୁଡ଼ିକ ରାଜ୍ୟରେ ବନ୍ଦ ହେବାର କାରଣ ଖୋଜି ନିରାକରଣ ଲାଗି ପଦକ୍ଷେପ ନେବାକୁ ଏକ ବିବୃତ୍ତିରେ ବିଧାୟକ ଶ୍ରୀ ରାୟ ପରାମର୍ଶ ଦେଇଛନ୍ତି। ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ହୋଇଥିବା ଏବଂ କୃଷିରେ ସର୍ବାଧିକ ଶ୍ରମ ଶକ୍ତି ବିନିଯୋଗ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର କୃଷି ଉତ୍ପାଦନକୁ ଆଖିଆଗରେ ରଖି ବ୍ୟାପକ ସଂଖ୍ୟକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କଲେ ରାଜ୍ୟର ଅର୍ଥନୀତି ସହିତ କୃଷକ ଓ କୃଷି ଶ୍ରମିକମାନଙ୍କର ଆର୍ଥôକ ଓ ସାମାଜିକ ବିକାଶ ହୋଇପାରିବ ଏବଂ ଏହା ମାଧ୍ୟମରେ ହିଁ କେବଳ ରାଜ୍ୟର ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ ଆଶାବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top