ଓଡ଼ିଶାକୁ ଆସୁଛନ୍ତି ୧ ପ୍ରତିଶତରୁ କମ୍ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର, ୩୧ା୦୩ (ଓଡ଼ିଆ ପୁଅ): ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ହାର ଆମ ଦେଶକୁ ଆସୁଥିବା ମୋଟ୍ ବିଦେଶୀ ପର୍ଯ୍ୟଟକଙ୍କ ୧ ପ୍ରତିଶତରୁ କମ୍। କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ସାମଗ୍ରୀକ ଆଭ୍ୟନ୍ତରୀଣ ଉତ୍ପାଦ(ଜିଏସ୍ଡିପି)ର ପରିମାଣ ୮ ବର୍ଷ ତଳେ ଯାହା ଥିଲା ତାହା କମିଛି ବରଂ ବଢ଼ିନାହିଁ। ଏ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।

୨୦୧୨ ମସିହାରେ ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ତାହାର ୦.୯୮ ପ୍ରତିଶତ ଓଡ଼ିଶାକୁ ଆସିଥିବା ବେଳେ ଏହା କମି କମି ୨୦୧୫ରେ ୦.୮୩ ପ୍ରତିଶତରେ ପହଞ୍ଚିଥିଲା। ତେବେ ୨୦୧୬ ବର୍ଷରେ ଏହା ୦.୮୭ ପ୍ରତିଶତ ଓ ୨୦୧୭ ବର୍ଷରେ ୦.୯୮ ପ୍ରତିଶତକୁ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।

ସେହିପରି ୨୦୧୦-୧୧ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍ଡିପିକୁ ଅବଦାନ ୧୩.୪୨ ପ୍ରତିଶତ ଥିବା ବେଳେ ଏହା କମି କମି ୨୦୧୩-୧୪ରେ ୯.୭୨ ପ୍ରତିଶତରେ ପହଞ୍ଚିଥିଲା। ତେବେ ଏଥିରେ ସାମାନ୍ୟ ଅଭିବୃଦ୍ଧି ଘଟି ୨୦୧୬-୧୭ ବେଳକୁ ୧୦.୪୨ ପ୍ରତିଶତ ହୋଇଥିଲା। ୨୦୧୭-୧୮ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍ଡିପିକୁ ୧୦.୬୬ ପ୍ରତିଶତ ଆସିଥିବା ଜଣାପଡ଼ିଛି। ଅର୍ଥାତ୍ ଏହି ୮ ବର୍ଷ ମଧ୍ୟରେ ପର୍ଯ୍ୟଟନରୁ ରାଜ୍ୟ ଜିଏସ୍ଡିପିକୁ ଅବଦାନ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ଘଟିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି।

ତେବେ ଏହି ୮ ବର୍ଷ ମଧ୍ୟରେ ରାଜ୍ୟକୁ ସାମଗ୍ରୀକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା କିନ୍ତୁ ପାଖାପାଖି ୨ ଗୁଣ ବଢ଼ିଛି। ୨୦୧୦ ବର୍ଷରେ ଓଡ଼ିଶାକୁ ୫୦, ୪୩୨ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୭୫, ୯୧, ୬୧୫ ଘରୋଇ ପର୍ଯ୍ୟଟକ ଆସିଥିଲେ। ଏମାନଙ୍କ ମଧ୍ୟରୁ ରାଜ୍ୟ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୪୫, ୬୨, ୭୪୨ ଥିବା ବେଳେ ଦେଶର ଅନ୍ୟ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୩୦, ୨୮, ୮୭୩। ମୋଟାମୋଟି ଭାବେ ଉକ୍ତ ବର୍ଷରେ ଓଡ଼ିଶାକୁ ମୋଟ୍ ୭୬, ୪୨, ୦୪୭ ଜଣ ପର୍ଯ୍ୟଟକ ଆସିଥିଲେ। ୨୦୧୭ ବର୍ଷରେ ଓଡ଼ିଶାକୁ କିନ୍ତୁ ଆସିଛନ୍ତି ମୋଟ୍ ୧, ୪୧, ୧୧, ୨୪୩ ଜଣ ପର୍ଯ୍ୟଟକ। ଏମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧, ୦୦, ୦୧୪ ହୋଇଥିବା ବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧, ୪୦, ୧୧, ୨୨୯। ଏଥିମଧ୍ୟରୁ ରାଜ୍ୟ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୮୪, ୦୬, ୪୦୧ ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଥିଲେ ୫୬, ୦୪, ୮୨୮ ଜଣ ପର୍ଯ୍ୟଟକ। ମୋଟାମୋଟି ଭାବେ ୨୦୧୦ ବର୍ଷରେ ଭାରତକୁ ୫୭, ୭୫, ୬୯୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭ ବର୍ଷରେ ଏହି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧, ୦୧, ୭୭, ୦୦୦ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଇଚ୍ଛୁକ ଥିବା ଉଦ୍ୟୋଗମାନଙ୍କୁ ପୁରୀ, କୋଣାର୍କ ଓ ଭୁବନେଶ୍ୱରଠାରେ ପର୍ଯ୍ୟଟନ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିଆଯାଇଥିଲା। ସେମାନଙ୍କ ଠାରୁ ବିଧିବଦ୍ଧ ପ୍ରସ୍ତାବ ଆସିଲେ ପର୍ଯ୍ୟଟନ ବିଭାଗ ବିଚାର କରି ପଦକ୍ଷେପ ନେବେ। ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୂମି ବ୍ୟାଙ୍କ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚାଇଛନ୍ତି।

ଓଡ଼ିଶାରେ ୪୮୦ କି.ମି ଦୈର୍ଘ୍ୟର ବିସ୍ତୃତ ବେଳାଭୂମି ସମେତ ଚିଲିକା, ଅଂଶୁପା ପରି ହ୍ରଦ, ଅନେକ ଜଳପ୍ରପାତ, ଉଷ୍ନ ପ୍ରସ୍ରବଣ ଅଭୟାରଣ୍ୟ, ପାହାଡ଼ ପର୍ବତ ଭଳି ବ୍ୟାପକ ପ୍ରାକୃତିକ ସମ୍ଭାର ଭରି ରହିଥିବା ବେଳେ ଅନେକ ବିରଳ ପ୍ରାଚୀନ କିର୍ତ୍ତୀ ଓ ରାଜପ୍ରସାଦ ଆଦି ରହିଛି। ବ୍ୟାପକ ପ୍ରଚାର ପ୍ରସାର ସହ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଟାଣି ଆଣିବା ପାଇଁ ଉଦ୍ୟମ ସହିତ ପର୍ଯ୍ୟଟନ ଶିଳ୍ପର ସକରାତ୍ମକ ବିକାଶ କରାଯାଇପାରିଲେ ଏ କ୍ଷେତ୍ରରୁ ରାଜ୍ୟ ରାଜକୋଷକୁ ବିପୁଳ ଟିକସ ଆସିବା ସହିତ କର୍ମନିଯୁକ୍ତି କ୍ଷେତ୍ର ସମ୍ପ୍ରସାରିତ ହୋଇପାରିବ ଏବଂ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ଦେଶ ବିଦେଶରେ ବିକ୍ରି ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *