‘ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ଗଣ ଆନ୍ଦୋଳନ ଅବଶ୍ୟମ୍ଭାବୀ’ ଭାଷା ସୁରକ୍ଷା ସମ୍ମିଳନୀ ପ୍ରତିଷ୍ଠା ଦିବସ

ବାଲେଶ୍ୱର,୨୧/୭(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଭାଷା ସୁରକ୍ଷା ସମ୍ମିଳନୀ, ବାଲେଶ୍ୱର ଜିଲ୍ଲା କମିଟିର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆଜି ପାଳିତ ହୋଇଯାଇଛି। ସଂଗଠନର ସଭାପତି କବି ବିମଳ ଚନ୍ଦ୍ର ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମାତୃଭାଷାର ବହୁଳ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେବା ସହିତ ପାରିବାରିକ ସ୍ତରରୁ ଉଦ୍ୟମ ପାଇଁ ଆହ୍ୱାନ ଦେଇଥିଲେ। କେବଳ ସରକାରୀ ସ୍ତରରେ  ବ୍ୟବହାର କେବେ ବି ଓଡ଼ିଆ ଭାଷାକୁ ସମୃଦ୍ଧ କରି ନ ପାରେ, ବରଂ ଏନେଇ ଏକ ଗଣ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ସଂଗଠନର ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଏଥରେ ବିଶେଷ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟର ଗତି ଓ ମାତୃଭାଷାର ସଙ୍କୁଚିତ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ଭାଷାର ପ୍ରଚାର ପ୍ରସାର ପାଇଁ ବହୁ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ଚନ୍ଦ୍ର ରାଉତ, ବିପିନ୍ ବିହାରୀ ବିଶ୍ୱାଳ, ସୁବ୍ରତ କର, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ବସନ୍ତଲତା ପଟ୍ଟନାୟକ, ହେମଲତା ଦାସ, ଅରୁଣା ରାୟ ପ୍ରମୁଖ ଏଥିରେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ବିକାଶ ପାଇଁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବେହେରା ଏଥିରେ ସଂଯୋଜନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଗଠନର ଉପ-ସଭାପତି ମମତା ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *