ଓଷ୍ଟା ମେଧାବୃତ୍ତି ପରୀକ୍ଷା

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସମଗ୍ର ରାଜ୍ୟରେ ଆଜି ଓଷ୍ଟା ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ୧୫ମାସ ବୃତ୍ତି ପ୍ରଦାନ କରାଯାଇଥାଏ। ଜଗତସିଂହପୁର ଜିଲ୍ଲାର ୨ଗୋଟି ପରୀକ୍ଷା କେନ୍ଦ୍ର ବୃନ୍ଦାବନ ବିଦ୍ୟାପୀଠ ମାର୍କଣ୍ଡପୁର ଠାରେ ୩୦୬ ଏବଂ ମଣିଜଙ୍ଗା ଉଚ୍ଚବିଦ୍ୟାଳୟରେ ୨୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାର କେନ୍ଦ୍ର ନିରିକ୍ଷକଙ୍କ ଠାରୁ ଜଣାଯାଇଛି। ପରୀକ୍ଷା ପ୍ରାରମ୍ଭରେ ଜିଲ୍ଲା ଓଷ୍ଟାର ଉପଦେଷ୍ଟା ନିକୁଞ୍ଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ ଓଷ୍ଟାର ପରୀକ୍ଷା କାର୍ଯ୍ୟକ୍ରମକୁ ଏବଂ ଶିଶୁମେଳାକୁ ଭୂୟଂସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ ଓଷ୍ଟାର ସଂପାଦକ ବସନ୍ତ କୁମାର ଦାସ ଯୋଗଦେଇ ଶିଶୁମାନଙ୍କର ଅନ୍ତର୍ନହିତ ଶକ୍ତିର ବିକାଶ ପାଇଁ ଓଷ୍ଟାର ଉଦ୍ୟମ ସଂପର୍କରେ ଅବଗତ କରାଇଥିଲେ। ସମ୍ମାନୀୟ ଅତିଥି ନାଉଗାଁ ବ୍ଲକ ଓଷ୍ଟାର ସଂପାଦକ ନିରଞ୍ଜନ ମହାନ୍ତି, ରଘୁନାଥପୁର ଓଷ୍ଟାର ସଂପାଦକ ରଂଜନ କୁମାର ମିଶ୍ର, କେନ୍ଦ୍ର ନିରିକ୍ଷକ ସଂଯୁକ୍ତା ତ୍ରିପାଠୀ, ଜଗନ୍ନାଥ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ, ପ୍ରଧାନ ଶିକ୍ଷକ ମନ୍ଦରଧର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କାମନା କରିଥିଲେ। ମଣୀଜଙ୍ଗା ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ଓଷ୍ଟା ଜିଲ୍ଲା ସଂପାଦକ ନାରାୟଣ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ପରୀକ୍ଷା ସୂଚାରୁରୂପେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପରିଚାଳନାରେ ସୁରେନ୍ଦ୍ର ନାଥ ନନ୍ଦୀ, ଭରତ ଚରଣ ସାହୁ, ଯୋଗମାୟା ଦାଶ, ଚନ୍ଦ୍ରଭାନୁ ଷଢଙ୍ଗୀ, ବୈଜୟନ୍ତୀ ତ୍ରିପାଠୀ, କୈଳାସ ଚନ୍ଦ୍ର ସାହୁ, ପଙ୍କଜିନୀ ନନ୍ଦ, ଦାସରଥି ସାହୁ ସହାୟତା କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଶିବଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଶିକ୍ଷକ କେଶବାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *