ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ

ନୟାଗଡ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଓଷ୍ଟାର ଆର୍ଥିକ ସହାୟତା ତଥା ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଆବାହକତ୍ୱରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମେଳା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଶିଶୁ ଉସଛବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ସୁତାର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାପ୍ରଦୀପର ସଂପାଦକ ପ୍ରଫୁଲ କୁମାର ମହାନ୍ତି, ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବରେ ଓଷ୍ଟାର ସଭାପତି ନିରଞ୍ଜନ ଆଚାର୍ଯ୍ୟ ସଭାପତିତ୍ୱକରି ସ୍ୱାଗତଭାଷଣ ଦେଇଥିବାବେଳେ ଛାତ୍ରୀମାନେ ସ୍ୱାଗତସଂଗୀତ ପରିବେଷଣ କରିଥିଲେ। ଓଷ୍ଟାର ଯୁଗ୍ମସଂପାଦକ ଆର୍ତବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମନୋଜ କୁମାର ଗୁମାନସିଂହ ବିବରଣୀ ପାଠ କରିଥିଲେ ଏହିଶିଶୁ ମହୋତ୍ସବରେ ୧୬୦ଜଣ ଛାତ୍ରଛାତ୍ରୀ ଯୋଗଦେଇ ଆବୃତି, ଚିତ୍ରାଙ୍କନ, କଣ୍ଠସଂଗୀତ, ବକୃତା, କବିତା, ବୁଦ୍ଧି ପରୀକ୍ଷା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଚାରପତି ଭାବେ ମାଣିକେଶ୍ୱର ସ୍ୱାଇଁ, ବ୍ରଜ ବିହାରୀ ସୁବୁଦ୍ଧି, ବସନ୍ତ କୁମାର ଉତରକବାଟ ଯୋଗଦେଇଥିଲେ। ଶିଶୁ ହସିଲେ ଜଗତ ହସିବ। ତେଣୁ ଶିଶୁବିକାଶ ପାଇଁ ପ୍ରତିବର୍ଷ ଓଷ୍ଟା ତରଫରୁ ଶିଶୁ ଉତ୍ସବ କରାଯାଉଛିବୋଲି ସଭାପତି ନିରଞ୍ଜନ ଆଚାର୍ଯ୍ୟ କହିଥିଲେ। ପରିଶେଷରେ ଓଷ୍ଟାର ସଂଗଠନ ସଂପାଦକ ଅଶୋକ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍ୟାପନ ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ରବିନାରାୟଣ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୁମନ୍ତ ଛୋଟରାୟ ଓ ସମ୍ମାନିତ ଅତିଥିଭାବେ କୃଷ୍ଣଚନ୍ଦ୍ର ବଳିୟାରସିଂହ, ଉପେନ୍ଦ୍ର ଦାସ, ପ୍ରଦ୍ୟୁମ୍ନ କୁମାର ନନ୍ଦ, ଶିକ୍ଷାବିତ୍ କିଶୋର ଚନ୍ଦ୍ର କର, ସ୍ତାନୀୟ ସରପଂଚ ସସ୍ମିତା ସାହୁ, ଜିଲ୍ଲାପରିଷଦ ସଦସ୍ୟା ଭୁବନେଶ୍ୱରୀ ସାହୁ,  ସମିତି ସଭ୍ୟା ପୁଷ୍ପାଞ୍ଜଳି ସେନାପତି ସମେତ ନୟାଗଡ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଅଯୋଧ୍ୟା ନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କଦ୍ୱାରା ମନୋରଞ୍ଜନ ଧର୍ମୀ ସାଂସ୍କତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ସମସ୍ତ ନିମନ୍ତିତ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବେଗୁନିଆ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ରବିନାରାୟଣ ମହାପାତ୍ର, ପୁର୍ବତନ ବ୍ଲକ୍ ଶିକ୍ଷାଅଧିକାରୀ କିଶୋର ଚନ୍ଦ୍ର କର ଓ ସମାଜସେବୀ ଅନନ୍ତ ଚରଣ ବେହେରାଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଶିଶୁ ଉତ୍ସବତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ମନୋଜ କୁମାର ଗୁମାନସିଂହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *