ଭଦ୍ରକ, ୨୫ା୯(ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍ସା) ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭାରତୀୟ ଚିକିତ୍ସକ ସଂଘର ଜିଲା ସଂପାଦକ ଡ. ହରେକୃଷ୍ଣ ନାୟକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବାବେଳେ ଏଥିରେ ଡ. ସରୋଜ କୁମାର ପଲେଇ, ଡ. କରୁଣାକର ବିଶ୍ୱାଳ, ଡ. ଶୈଳେଶ ଧଳ, ଡ. ସୁଧୀର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ଡାକ୍ତରମାନଙ୍କ ଚାକିରୀର ସର୍ତ୍ତାବଳୀ ଉପରେ ବିଶଦ ଆଲୋଚନା କରାଯିବା ସହ ସେମାନଙ୍କ ସୁରକ୍ଷା, ଭଦ୍ରକ ଡାକ୍ତରଖାନାର ବର୍ହି ବିଭାଗରେ ସିସିଟିଭି କ୍ୟାମେରା ସ୍ଥାପନ, କ୍ୟାମ୍ପସ୍ ମଧ୍ୟରେ ପୂର୍ବଭଳି ଏକ ଫାଣ୍ଡି ପ୍ରତିଷ୍ଠା ସହ ୨୪ ଘଣ୍ଟିଆ କନେଷ୍ଟବଳ ନିଯୁକ୍ତି, ଖାଲି ପଡିଥିବା ଡାକ୍ତରଙ୍କ ପଦବୀ ପୂରଣ ଓ ଆଇସିୟୁକୁ କାର୍ଯ୍ୟକ୍ଷମ ଭଳି ଦାବିମାନ ଉପସ୍ଥାପନ କରାଯାଇଥିଲା। ଏବଂ ଆସନ୍ତା ଦିନରେ ସରକାର ଏଗୁଡିକ ପୂରଣ କରିବା ଦିଗରେ ଯତ୍ନବାନ ନହେଲେ ଆଗାମୀ ୨ ତାରିଖ ଦିନ ଡାକ୍ତରମାନେ ଧାରଣା ଦେବେବୋଲି ଚେତାବନୀ ଦିଆଯାଇଛି।
