ଓମ୍ଫେଡ୍ ଦୁର୍ନୀତିକୁ ଚାପି ଦେଲେ ମୁଖ୍ୟମନ୍ତ୍ରୀ, ଖୁଲାସା କଲା କଂଗ୍ରେସ

– ଓମ୍ଫେଡ୍ ଘୋଟାଲାରେ ଧରିପଡିଲା ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି।
– ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସକୁ ଦିଆଗଲା ନାହିଁ ତଦନ୍ତ ଦାୟିତ୍ୱ।
– ମହାଭିଯୋଗ ଆଣିଲେ କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ।
– ଅଭିଯୁକ୍ତ ଯିଏ ବିଚାରପତି ସିଏ।
– ୨୪ କୋଟି ଟଙ୍କା ଘୋଟାଲାର ଅଭିଯୁକ୍ତଙ୍କୁ ଖସେଇ ଦେଲେ ମୁଖ୍ୟମନ୍ତ୍ରୀ।
– ଯେଉଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିରୁଦ୍ଧରେ ଅଭିଯୋଗ ଭିଜିଲାନ୍ସ ବଦଳରେ ତାକୁ ହିଁ ଦିଆଗଲା ତଦନ୍ତର ଦାୟିତ୍ୱ।

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ଓମ୍ଫେଡ୍ ଘୋଟାଲାରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଓମ୍ଫେଡ୍ ଦପ୍ତରରୁ ସଚିବାଳୟର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏଁ ଲମ୍ବିଛି ଜୁନ୍ ୨୦୧୫ରୁ ୨୦୧୬ ମଧ୍ୟରେ ହୋଇଥିବା ୨୪ କୋଟି ଟଙ୍କା ଘୋଟାଲାର ଚେର। ଏ ଘୋଟାଲା ନେଇ ପ୍ରଦେଶ କଂଗ୍ରେସ ହାତରେ ଯେଉଁ ଦସ୍ତାବିଜ୍ ଲାଗିଛି, ତାହା ସ୍ପଷ୍ଟ ପ୍ରମାଣ କରୁଛି ଯେ ପଲି ଫିଲ୍ମ କିଣା ଏବଂ ଅନ୍ୟାନ୍ୟ କେଳେଙ୍କାରୀର ମାଷ୍ଟରମାଇଣ୍ଡ କେବଳ ଓମ୍ଫେଡ୍ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ନ ଥିଲେ ବରଂ ମୁଖ୍ୟ ଶାସନ ସଚିବଙ୍କଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ, ନିର୍ଦ୍ଦେଶରେ ଓ ସହଯୋଗିତାରେ ଏହି ମହା ଘୋଟାଲା ହେବା ସହ ପରବର୍ତ୍ତୀ ସମୟରେ ଏହାକୁ ମଧ୍ୟ ଚାପି ଦିଆଗଲା। ସରକାରୀ ନୀତି ନିୟମ ଓ ଟେଣ୍ଡର ପ୍ରକ୍ରିୟାକୁ ଦଳି ମକଚି ଦଲାଲ୍, ମିଡିଲ୍ ମ୍ୟାନ୍, ପଲିଫିଲ୍ମ ମାଫିଆଙ୍କ ମାର୍ଫତରେ ଚାଲିଥିଲା ଘୋଟାଲା। ଏମାନଙ୍କ ପୁରା କବ୍ଜାରେ ଥିଲା ଓମ୍ଫେଡ୍।

କେବଳ ଗୋଟିଏ ବର୍ଷରେ ୨୪ କୋଟି ଟଙ୍କାର ଘୋଟାଲାର ଲେଖାଯୋଖା ପ୍ରମାଣ ହେଲା ପରବର୍ତ୍ତୀ ସମୟରେ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ ୧ ଡିସେମ୍ବର ୨୦୧୬ରେ ମୁଖ୍ୟ ଶାସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ବିସ୍ତାର ଭାବେ ଏ କେଳେଙ୍କାରୀର ତଥ୍ୟ ପ୍ରମାଣ ଦେଇ ଲେଖିଥିବା ୫ ପୃଷ୍ଠାର ଚିଠି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କେଳେଙ୍କାରୀ ସାମ୍ନାକୁ ଆସିବା ପରେ କିଛି ଦିନ ତଳେ ବିଧାନସଭାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏ ମାମଲାକୁ ରଫା ଦଫା କରିବାକୁ ଯାଇ କହିଲେ, ଯେ ଏଥିରେ ସରକାରଙ୍କର ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କୌଣସି ଭୂମିକା ନାହିଁ। ଓମ୍ଫେଡ୍ ଏକ ନିଗମ, ଯାହା କିଛି ହୋଇଛି ସେଥିପାଇଁ ଓମ୍ଫେଡ୍ ହିଁ ଦାୟୀ। କିନ୍ତୁ ପ୍ରଦେଶ କଂଗ୍ରେସ ହାତରେ ଯେଉଁ ପ୍ରମାଣ ଲାଗିଛି ତାହା ସ୍ପଷ୍ଟ କରୁଛି ଯେ କେବଳ ବିଭାଗୀୟ ମନ୍ତ୍ରୀ ନୁହନ୍ତି, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ଏହି ମାମଲାର ଟିକିନିଖି ଅନିୟମିତତା ସମ୍ପର୍କରେ ଅବଗତ ଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ମଧୁସୂଦନ ପାଢ଼ୀ ତାଙ୍କ ଚିଠିରେ କହିଲେ, ଯେ ଏହା ଏକ ଅତି ଗୁରୁତର ମାମଲା। ତେଣୁ ଏକ ଉପଯୁକ୍ତ ଓ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏହି ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ। କାରଣ ଏହା ଦ୍ବାରା ରାଜ୍ୟର ୩ ଲକ୍ଷ ଦୁଗ୍ଧ ଚାଷୀଙ୍କ ଜୀବିକା ସହ ଖେଳ ଖେଳାଯାଇଛି।

ମୁଖ୍ୟ ଶାସନ ସଚିବଙ୍କୁ ମଧୁସୂଦନ ପାଢ଼ୀଙ୍କ ଚିଠିର ୫ ମାସ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ରଘୁନନ୍ଦନ ମିଶ୍ର ୨୦୧୭ ଏପ୍ରିଲ ୨୫ ତାରିଖର ଚିଠି ନଂ ୫୦୩୦ରେ ତାଙ୍କୁ ଜବାବ୍ ଫେରାଇଲେ। ଏହି ଚିଠିରେ ସ୍ପଷ୍ଟ ଭାବେ ଲେଖାଗଲା, ଯେ ଓମ୍ଫେଡ୍ ଘୋଟାଲା ସମ୍ପର୍କିତ ଚିଠି ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଇ, ମାମଲାର ତଦନ୍ତ କରାଯାଇଛି। ଅର୍ଥାତ୍ କୋଟି କୋଟି ଟଙ୍କାର ଘୋଟାଲା ଓ ୩ ଲକ୍ଷ ଚାଷୀଙ୍କ ଧୋକା ହୋଇଥିବା ମାମଲାକୁ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ତଦନ୍ତ ପାଇଁ ଦେବାକୁ ଉଚିତ ମଣିଲେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ବିଭାଗୀୟ ତଦନ୍ତ କରି ରଫାଦଫା କରିବାକୁ ବାଟ ଖୋଲିଦେଲେ।

କେମିତି ହୋଇଛି ଘୋଟାଲା ?

୨୦୧୫ରୁ ୨୦୧୬ ମଧ୍ୟରେ ହୋଇଥିଲା ଏହି ମହାଘୋଟାଲା। IDMCଲିମିଟେଡ୍ ନାମକ ଏକ ସଂସ୍ଥାକୁ OMFED ଅହେତୁକ ଅନୁକମ୍ପା ଦେଖାଇଛି ବୋଲି ସ୍ପଷ୍ଟ ଭାବେ ଲେଖିଥିଲେ ମଧୁସୂଦନ ପାଢ଼ୀ। ବିନା ଟେଣ୍ଡରରେ ସଂପୃକ୍ତ କମ୍ପାନୀଠାରୁ ଚଢ଼ା ଦରରେ କିଣାଯାଇଛି ପଲି ରୋଲ୍। ସମାନ ପଲି ଫିଲ୍ମକୁ ଆଉ ତିନିଟି ସଂସ୍ଥା, ଇନ୍ଦୁ ପ୍ୟାକେଜିଂ, ରେନବୋ ପ୍ୟାକେଜିଂ ଏବଂ ରିସବ ପ୍ୟାକେଜିଂ କିଲୋ ପିଛା ୧୬୦ ଟଙ୍କା ୧୩ ପଇସା ଦରରେ ଯୋଗାଉଥିବାବେଳେ ଓମ୍ଫେଡ୍ IDMCଠାରୁ ପଲିଥିନ୍ କିଲୋ ପିଛା ୨୧୯ ଟଙ୍କା ୩୪ ପଇସା ଦରରେ କିଣିଛି। OMFEDକୁ ଦୈନିକ ୪ ଲକ୍ଷ ଲିଟର କ୍ଷୀର ସପ୍ଲାଏ ପାଇଁ ପ୍ରତିଦିନ ଅଢ଼େଇ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି କହିଛନ୍ତି ମଧୁସୂଦନ ପାଢ଼ୀ। ଏପରିକି ଏ ସମ୍ପର୍କିତ ଅଭିଯୋଗ ଫାଇଲ୍ ରାଜ୍ୟ ସରକାରଙ୍କ ବିଭାଗକୁ ଯାଇଥିବା ସତ୍ବେ ବିଭାଗ ନିରବ ରହିବା ଏବଂ ଚୁକ୍ତି ବାତିଲ୍ କରିବା ପାଇଁ ନିର୍ଦ୍ଦେଶ ନ ଦେବା ସମ୍ପର୍କରେ ମଧୁସୂଦନ ପାଢ଼ୀ ଦେଇଛନ୍ତି ଅତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ। ତାହା ହେଲା ଓଊଗଉର ଓମ୍ଫେଡ୍ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉପରେ ଯାଦୁକରୀ ପ୍ରଭାବ।

ମଧୁପାଢ଼ୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ IDMCପ୍ରଥମେ ସିଧାସଳଖ OMFEDକୁ ପଲିଥିନ୍ ଯୋଗାଣ କରୁଥିଲା। କିଛି ମାସ ପରେ ହଠାତ୍ ସର୍ତ୍ତ ରଖିଲା ଯେ ସିଧାସଳଖ OMFEDକୁ ପଲି ଫିଲ୍ମ ନ ଦେଇ କଟକର କମ୍ଲା ଏଜେନ୍ସି ମାଧ୍ୟମରେ ପଲିଥିନ୍ ଯୋଗାଇବ।

ତେବେ ପରେ ଜଣାପଡ଼ିଲା ଯେ IDMCକଟକର କମ୍ଲା ଏଜେନ୍ସିକୁ ୧୯୩ ଟଙ୍କା ୧୬ ପଇସାରେ ପଲି ଫିଲ୍ମ ଯୋଗାଉଛି, ଆଉ କମ୍ଲା ଏଜେନ୍ସି ସେହି ପଲି ପ୍ୟାକ୍କୁ OMFEDକୁ କିଲୋ ପିଛା ୨୩୭ ଟଙ୍କା ୮୩ ପଇସାରେ ଯୋଗାଉଛି। ଏହାଛଡ଼ା OMFED କେବଳ କ୍ଷତିରେ ପଡ଼ିଲା ତାହା ନୁହେଁ, ବରଂ IDMCଓ କମ୍ଲା ଏଜେନ୍ସି ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ଭାଟ୍ ମଧ୍ୟ ଠକିଛନ୍ତି। ଆହୁରି ମଧ୍ୟ ବିଭାଗୀୟ ସଚିବ ଯୁକ୍ତି ବାଢ଼ିଲେ ଯେ ଓଊଗଉଠାରୁ ଅମୁଲ ମଧ୍ୟ ପଲି ଫିଲ୍ମ କିଣୁଛି, ତେଣୁ ଏହା ନିଶ୍ଚିତ ଭାବେ ସର୍ବୋତ୍ତମ।

କଂଗ୍ରେସର ପ୍ରଶ୍ନ

୧) ଏଡେବଡ ଦୁର୍ନୀତିର ଅଭିଯୋଗ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଠାରୁ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ତଦନ୍ତ ପାଇଁ ସୁପାରିଶ ନକରି ବିଭାଗ ଦ୍ୱାରା ତଦନ୍ତ କରାଇ ଚୁପ୍ ବସିପଡିଲେ କାହିଁକି?

୨) ମଧୁସୂଦନ ପାଢ଼ୀଙ୍କ ଚିଠିରୁ ସ୍ପଷ୍ଟ ଯେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଭୂମିକା ଏ ଦୁର୍ନୀତିରେ ସନ୍ଦେହପୂର୍ଣ୍ଣ। ତା ସତ୍ୱେ ତଦନ୍ତ ପାଇଁ ସେହି ବିଭାଗକୁ ଦାୟିତ୍ୱ ଦେଲେ କାହିଁକି?

୩) IDMCଯୋଗାଉଥିବା ପଲି ଫିଲ୍ମ ସର୍ବୋତ୍ତମ ବୋଲି କେମିତି ଜାଣିଲା OMFED ?

୪) OMFED ଏହି ପଲିଫିଲ୍ମର କ୍ବାଲିଟି ଟେଷ୍ଟ କରାଇଛି କି ?

୫) ବିନା ଟେଣ୍ଡରରେ କାହିଁକି କରାଗଲା ପଲି ଫିଲ୍ମ ପ୍ରକ୍ୟୋରମେଣ୍ଟ ?

୬) ରାଜ୍ୟ ସରକାରଙ୍କର ପ୍ରକ୍ୟୋରମେଣ୍ଟ ନିୟମ ବିନା ଟେଣ୍ଡରରେ କିଣିବା ପାଇଁ କହୁଛି କି ?

୭) ଯଦି ଅମୁଲ OMFED ପାଇଁ ଆଦର୍ଶ ତେବେ ଅମୁଲ କମ୍ପାନୀ ବିନା ଟେଣ୍ଡରରେ ପଲି କିଣୁଛି କି ?

୮) ଅମୁଲ କେତେ ଟଙ୍କା ମୂଲ୍ୟରେ ପଲି ଫିଲ୍ମ କିଣୁଛି ସେ ବାବଦରେ କାହିଁକି କହିଲେ ନାହିଁ ଯୁଗ୍ମ ସଚିବ ?

୯) ମଧୁସୂଦନ ପାଢ଼ୀଙ୍କ ଚିଠି, ଏବଂ ସେଥିରେ ଉଚ୍ଚ ସ୍ତରୀୟ ତଦନ୍ତ କଥା ସୁପାରିଶ କରିବା ସତ୍ବେ କାହିଁକି ଭିଜିଲାନ୍ସକୁ ତଦନ୍ତ ଦାୟିତ୍ବ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ ?

୧୦) ଆଇନ ଅନୁସାରେ ଅପରାଧୀଙ୍କୁ ସହଯୋଗ କରିଥିବା ଓ ଆଶ୍ରୟ ଦେଇଥିବା ବ୍ୟକ୍ତି ବି ଅପରାଧୀ। ଏହି କ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍ଫେଡ୍ ଘୋଟାଲାରେ ଦୋଷୀ ନୁହନ୍ତି କି ?

Leave a Reply

Your email address will not be published. Required fields are marked *