ଓଡିଶା ସ୍ପଞ୍ଜ ଆଇରନ କମ୍ପାନୀ କର୍ତ୍ତୃପକ୍ଷ ମାନବିକ ଅଧିକାର କ୍ଷୁର୍ଣ୍ଣ କରିଥିବା ଅଭିଯୋଗରେ ମାନବିକ ଅଧିକାର ମଞ୍ଚ ତରଫରୁ ଗଣଧାରଣା

କେନ୍ଦୁଝର, ୨ା୪(ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ): ଏସିଆ ମହାଦେଶର ସର୍ବପ୍ରଥମ ସ୍ପଞ୍ଜ ଆଇରନ କାରଖାନା ଭାବେ ପରିଗଣିତ ଓଡିଶା ସ୍ପଞ୍ଜ ଆଇରନ କାରଖାନାକୁ ୨୦୧୨ ମସିହାରୁ ବେଆଇନ ଭାବେ କମ୍ପାନୀ କର୍ତ୍ତୃପକ୍ଷ ଲକ୍ ଆଉଟ୍ କରିଛନ୍ତି। କାରଖାନା ଖୋଲିବା ଏବଂ ବକେୟା ଦରମା ପ୍ରଦାନ ଦାବିରେ ଓଏସ୍ ଆଇଏଲ୍ କର୍ମଚାରୀ ସଂଘ ତରଫରୁ ଦୀର୍ଘବର୍ଷ ହେବ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇ ଆସୁଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ପ୍ରଶାସନ ବେଆଇନ ଲକ୍ ଆଉଟ୍ ଖୋଲିବା ବଦଳରେ ସଂପୃକ୍ତ କର୍ମଚାରୀମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେବା ଭଳି କାର୍ଯ୍ୟ କରି ଆସୁଛନ୍ତି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ ଉଠିଛି। କାରଖାନା ବନ୍ଦ ହେବା ଦିନଠାରୁ ଇତି ମଧ୍ୟରେ ୨୪ଜଣ କର୍ମଚାରୀଙ୍କର ଅଭାବ ଅନଟନ କାରଣରୁ ମୃତ୍ୟୁ ହୋଇସାରିଲାଣି ବୋଲି ମଞ୍ଚ ଅଭିଯୋଗ ଉଠାଇଥିବାବେଳେ ସେମାନେ ଅନାହାର କାରଣରୁ ମୃତ୍ୟୁବରଣ କରିଥିବାରୁ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମାନବିକ ଅଧିକାର ମଞ୍ଚ ଦାବି ଉଠାଇଛି। ସୋମବାର ଦିନ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବିଗୁଡିକ ପୂରଣ କରିବା ପାଇଁ ମାନବିକ ଅଧିକାର ମଞ୍ଚ ତରଫରୁ ଗଣଧାରଣା ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ, ବରିଷ୍ଠ ଆଇନଜୀବୀ ରୁଦ୍ର ନାରାୟଣ ମହାନ୍ତ, ବିରଜା ମିଶ୍ର, ଅରୁଣ ଦାସ, ପ୍ରମୋଦ ବ୍ରହ୍ମ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *