ଓଡ଼ିଶା

ଓଡିଶାର ରାଜ୍ୟପାଳଙ୍କ କରକମଳରେ ବରଗଡ ଜିଲ୍ଲାରେ ବିପିସିଏଲର ଦ୍ୱିତୀୟ ପିଢି (୨ଜି) ଇଥାନଲ ଜୈବ-ବିଶୋଧନାଗାରର ଭିତ୍ତି ପ୍ରସ୍ତର ସ୍ଥାପନ

ବରଗଡ, ୧୦ ଅକ୍ଟୋବର ୨୦୧୮ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବରଗଡ ଜିଲ୍ଲାର ଭଟଲି ତହସିଲ୍ ଅର୍ନ୍ତଗତ ବଉଳାସିଂହା ଗ୍ରାମରେ ଆଜି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ଦ୍ୱିତୀୟ ପିଢି (୨ଜି) ଇଥାନଲ ଜୈବ-ବିଶୋଧନାଗାରର ଭିତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ଭାରତ ସରକାରଙ୍କ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଓଡ଼ିଶା ସରକାର ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରମ, ଇଏସଆଇ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ସୁଶାନ୍ତ ସିଂ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ, ରାଜ୍ୟସଭା, ଶ୍ରୀ ପ୍ରଭାସ କୁମାର ସିଂ, ସାଂସଦ, ବରଗଡ଼, ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଧାୟକ, ବରଗଡ଼, ଶ୍ରୀ ପ୍ରଦୀପ ପୁରୋହିତ, ବିଧାୟକ, ପଦମ୍ପୁର, ଶ୍ରୀମତି ରିତା ସାହୁ, ବିଧାୟକ, ବିଜେପୁର, ଶ୍ରୀମତି ମୁକ୍ତା ସାହୁ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ବରଗଡ଼, ଶ୍ରୀ ମଦନ ଦୀପ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ବରଗଡ଼ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ ଯେ, ବରଗଡ଼ ଜିଲ୍ଲାରେ ଏହି ଇଥାନଲ ପ୍ଲାଣ୍ଟ ଚାଷୀମାନଙ୍କୁ ଏକ ଉପହାର। ବରଗଡ ଜିଲ୍ଲାରେ ୨ଜି ଇଥାନଲ ଜୈବ-ବିଶୋଧନାଗାରର ସ୍ଥାପନା ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଫଳ ରୂପେ ରୂପାୟନ ହୋଇଥିବା ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମର ଏକ ବଳିଷ୍ଠ ଉଦାହରଣ। ଭାରତର ପ୍ରତ୍ୟେକ ନାଗରିକଙ୍କ ସହଭାଗିତାରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢିତୋଳିବାର ସ୍ୱପ୍ନ ସାକାର ଦିଗରେ ଏହା ଆଉ ଏକ ଅନନ୍ୟ ପଦକ୍ଷେପ। ଏହି ବରଗଡ଼ ଇଥାନଲ ପ୍ଲାଣ୍ଟ ରାଜ୍ୟର ସମସ୍ତ ଜନଜାତି ଓ ଚାଷୀଭାଇଙ୍କ କଲ୍ୟାଣ ମିନନ୍ତେ ସମର୍ପିତ ଏବଂ ଏହି ପ୍ଲାଣ୍ଟ ମାଧ୍ୟମରେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହ ବିକାଶର ସହଭାଗୀ ହୋଇପାରିବ ବୋଲି ଶ୍ରୀ ଲାଲ୍ ମତପ୍ରକାଶ କରିଥିଲେ।

ବରଗଡର ବଉଳାସିଂହା ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନା ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ। ଏହି କ୍ରମରେ ଚାଷରୁ ବାହାରୁ ଥିବା ନଡା, ବଜ୍ୟବସ୍ତୁରୁ ଇଥାନଲ ପ୍ରସ୍ତୁତ ହେବ। ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନା କରିଥିଲେ। କୃଷି, ଜଙ୍ଗଲ, ସହର ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ପ୍ରସ୍ତୁତ କରିବା ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଜିଲାରୁ ୧୭-୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦିତ ହେଉଛି, ତେଣୁ ଚାଷଜମିରୁ ବାହାରୁ ଥିବା ନଡା ସମେତ ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ଉତ୍ପାଦନ ପାଇଁ ବ୍ୟବସାୟିକ ଚୁକ୍ତି ହେବ ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯିବ।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଦେଶରେ ହେବାକୁ ଥିବା ୧୨ ଟି ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ ପ୍ରକଳ୍ପ। ଜିଲାରେ ଏହିପରି ଆଉ ୫ଟି ପ୍ରକଳ୍ପ ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ମୋଦି ସରକାରଙ୍କର ପଶ୍ଚିମ ଓଡିଶା ପାଇଁ ନୂଆଁଖାଇ ଭେଟି ବୋଲି କହିଥିଲେ ଶ୍ରୀ ପ୍ରଧାନ।

ଧାନ ନଡାକୁ ଫିଡ୍ ଷ୍ଟକ୍ ଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉତ୍ପାଦନ କ୍ଷମତା ଏହି ବିଶୋଧନାଗାର ବହନ କରିବ ଏବଂ ଏହି ବିଶୋଧନାଗାରରୁ ଉତ୍ପାଦିତ ଇଥାନଲ୍ ପେଟ୍ରୋଲ ସହ ମିଶ୍ରଣ ହେବ। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ଅଟେ।

ବର୍ଦ୍ଧିତ ଶକ୍ତି ନିରାପତ୍ତା ଚାହିଦା ଏବଂ ପରିବେଶ ସମ୍ବନ୍ଧୀୟ ଉଦବେଗ ଯୋଗୁଁ ଜୈବିକ ଇନ୍ଧନ ବର୍ତ୍ତମାନ ସମୟରେ ବେଶ୍ ଗୁରୁତ୍ୱ ବହନ କରୁଛି। ବହୁ ଦେଶ ସେମାନଙ୍କର ଘରୋଇ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଜୈବ ଇନ୍ଧନର ଉପଯୋଗ କରିବା ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ କୌଶଳକୁ ପ୍ରୋତ୍ସାହନ ଦେଉଛନ୍ତି। ଭାରତବର୍ଷରେ ବାର୍ଷିକ ୧୨୦ରୁ ୧୬୦ ଏମ୍ଏମ୍ଟି ବଳକା ଜୈବମାସ୍ ଉପଲବ୍ଧ ଯାହାର ବାର୍ଷିକ ୩୦୦୦ କୋଟି ଲିଟର ଇଥାନଲ ଉତ୍ପାଦନ କ୍ଷମତା ରହିଛି। ଭାରତର ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ଇଥାନଲର ଅଭାବ କାରଣରୁ ବର୍ତମାନ ମାତ୍ର ୩ ରୁ ୪ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶ୍ରିତ ହେଉଛି। ୨ଜି ଇଥାନଲ ପ୍ଲାଂଟ ସ୍ଥାପନ ହେବା ଦ୍ୱାରା ପେଟ୍ରୋଲରେ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିହେବ। ବରଗଡ ଜିଲ୍ଲାର ପାଶ୍ୱବର୍ତ୍ତୀ ଅଂଚଳ ଯେପରିକି ଭଟଲି, ଆମ୍ବାଭୋନା, ଅତାବିରା, ସୋହେଲା, ବୁର୍ଲା ଏବଂ ଲଖନପୁରରୁ ସଂଗୃହୀତ ବାର୍ଷିକ ପ୍ରାୟ ୨ ଲକ୍ଷ ଟନ୍ ଧାନ ନଡାକୁ ଏହି ଜୈବ-ବିଶୋଧନାଗାରରେ ଫିଡଷ୍ଟକ୍ ହିସାବରେ ବ୍ୟବହାର କରାଯିବ।

ଜୈବ-ବିଶୋଧନାଗାରଗୁଡିକ ଇଥାନଲ୍ ଉତ୍ପାଦନ ନିମନ୍ତେ ବର୍ଜ୍ୟ ଧାନ ନଡାକୁ ବ୍ୟବହାର କରିବା ଦ୍ୱାରା ସ୍ୱଚ୍ଛ ପରିବେଶ ଗଠନରେ ସହାୟକ ହେବ ଯାହା ଦ୍ୱାରା କ୍ଷେତରେ ଦହନ ହେଉଥିବା ବର୍ଜ୍ୟ ଧାନ ନଡାକୁ ପ୍ରତିହିତ କରାଯାଇପାରିବ। ପେଟ୍ରୋଲରେ ଇଥାନଲ୍ ର ମିଶ୍ରଣ ଦ୍ୱାରା ଜୀବାଶ୍ମ ଇନ୍ଧନ ତୁଳନାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିଃସରଣକୁ କମ କରାଯାଇପାରିବ। ଏହି ପ୍ଲାଂଟଟି ଶୂନ୍ୟ-ତରଳ ନିର୍ଗମନ ବୈଷୟିକ ଜ୍ଞାନକୌଶଳ ଉପରେ ପର୍ଯ୍ୟବେଷିତ ଯେଉଁଠାରେ ସମସ୍ତ ଜଳକୁ ପୁନଃନବୀକରଣ କରାଯାଇ ପୁନଃଶ୍ଚ ପ୍ଲାଂଟ ମଧ୍ୟକୁ ଫେରାଇ ଅଣାଯାଇପାରିବ। ସ୍ୱଚ୍ଛ ପରିବେଶ ବ୍ୟତୀତ ଆହୁରି ମଧ୍ୟ ଏହି ପରିଯୋଜନା ଚାଷୀମାନଙ୍କ ଦ୍ୱାରା ପ୍ଲାଂଟକୁ ପ୍ରେରିତ ବର୍ଜ୍ୟ ଧାନ ନଡା ପାଇଁ ସେମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ମଜଭୁତ କରିବା ନିମନ୍ତେ ସହାୟକ ହେବ। ଏହା ବ୍ୟତୀତ ପ୍ଲାଂଟ ନିର୍ମାଣ, ପ୍ଲାଂଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଏହି ଅଂଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ। ଏହା ବ୍ୟତୀତ ଇଥାନଲ୍ ର ମିଶ୍ରଣ ଦେଶକୁ ଆତ୍ମନିର୍ଭରଶୀଳ କରିବା ସହିତ ଅଶୋଧିତ ତୈଳ ଆମଦାନୀକୁ ହ୍ରାସ କରିବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ବିନିମୟରେ ସଂଚୟ ପରିଲକ୍ଷିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top