ଓଡିଶାର ବୀର ଶହୀଦ ମାନଙ୍କୁ ସରକାରୀ ଉଦାସୀନତା କାରଣରୁ ଉପଯୁକ୍ତ ସମ୍ମାନ ମିଳି ନାହିଁ – ଧର୍ମେନ୍ଦ୍ର ପ୍ରଧାନ

ବରଗଡ ଜିଲ୍ଲାର ଘେଁସ ଠାରେ ଭାରତର ସ୍ୱାଧୀନତା ସଂଗ୍ରାମର ଅମର ଶହୀଦ ମାଧୋ ସିଂହଙ୍କୁ ୧୫୮ ତମ ବଳିଦାନ ଦିବସରେ ଶ୍ରଦ୍ଧାଂଜଳି

– ମାଧୋ ସିଂହ ଏବଂ ତାଙ୍କର ଚାରି ପୁଅଙ୍କ ବଳିଦାନ କେବଳ ଭାରତ ନୁହେଁ ବିଶ୍ୱ ଇତିହାସରେ ଦେଶ ମାତୃକା ପାଇଁ ବଳିଦାନରେ ଏକ ଅନନ୍ୟ ଉଦାହରଣ
– ଓଡିଶା ନ ହୋଇ ଯଦି ଅନ୍ୟ କେଉଁ ରାଜ୍ୟ ହୋଇଥାନ୍ତା ଶହୀଦ ମାନଙ୍କୁ ସେହି ରାଜ୍ୟ ମାନେ ସ୍ୱୀକୃତି ଓ ସମ୍ମାନରେ ଶୀର୍ଷକୁ ନେଇଥାନ୍ତେ

ବରଗଡ, ୩୧ ଡିସେମ୍ବର (ଓଡ଼ିଆ ପୁଅ) – ବରଗଡ ଜିଲ୍ଲାର ଘେଁସ ଠାରେ ଭାରତର ସ୍ୱାଧୀନତା ସଂଗ୍ରାମର ଅମର ଶହୀଦ ମାଧୋ ସିଂହଙ୍କୁ ୧୫୮ ତମ ବଳିଦାନ ଦିବସରେ ଶ୍ରଦ୍ଧାଂଜଳି ଜଣାଇବା ସହ ଓଡିଶାର ବୀର ଶହୀଦ ମାନଙ୍କୁ ସରକାରୀ ଉଦାସୀନତା କାରଣରୁ ଉପଯୁକ୍ତ ସମ୍ମାନ ମିଳି ନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଧୋ ସିଂହ ଏବଂ ତାଙ୍କର ଚାରି ପୁଅ ହଟ୍ଟେ ସିଂହ, କୁଂଜେଲ ସିଂହ, ଐର ସିଂହ ଓ ବୈର ସିଂହଙ୍କ ବଳିଦାନ କେବଳ ଭାରତ ନୁହେଁ ବିଶ୍ୱ ଇତିହାସରେ ଦେଶ ମାତୃକା ପାଇଁ ବଳିଦାନରେ ଏକ ଅନନ୍ୟ ଉଦାହରଣ।

ଓଡିଶା ନ ହୋଇ ଯଦି ଅନ୍ୟ କେଉଁ ରାଜ୍ୟ ହୋଇଥାନ୍ତା ଶହୀଦ ମାନଙ୍କୁ ସେହି ରାଜ୍ୟ ମାନେ ସ୍ୱୀକୃତି ଓ ସମ୍ମାନରେ ଶୀର୍ଷକୁ ନେଇଥାନ୍ତେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ମାଧୋ ସିଂହ ପରିବାର ପରି ଦେଶର ଆଦିବାସୀ ଓ ଗରୀବ ଲୋକଙ୍କ ତ୍ୟାଗ ଓ ବଳିଦାନ ଉପରେ ଠିଆ ହୋଇଥିବା ବେଳେ ସ୍ୱାଧୀନତା ସଂଗ୍ରାମର ଇତିହାସକୁ କିଛି ପରିବାର, ସମୟ ଓ ଘଟଣା ମଧ୍ୟରେ ସୀମିତ କରି ରଖିବାର ଅପ ପ୍ରୟାସ କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ବରଗଡ ଘେଁସର ଏହି ବଳିଦାନକୁ ମନେ ପକାଇ ମାଧୋ ସିଂହଙ୍କ ଦାୟାଦଙ୍କୁ ଡାକି ସମ୍ମାନିତ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଧୋ ସିଂହ ପରିବାରର ବଳିଦାନ ବ୍ରିଟିଶକୁ ତଡିବା ସଙ୍ଗେ ସଙ୍ଗେ ନିଜ ରାଜ୍ୟ ଓ ଅଂଚଳର ଲୋକ ମାନଙ୍କର ବିକାଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱାଧୀନତାର ୭୦ ବର୍ଷ

ପରେ ବି ମାଧୋ ସିଂହ ପରିବାରକୁ ସମ୍ମାନ, ସ୍ୱୀକୃତି ମିଳିଲା ନାହିଁ ଅଥବା ଘେଁସ, ବରଗଡ ଓ ଓଡିଶାର ବିକାଶ ମଧ୍ୟ ଆଶାନୁରୂପ ହେଲା ନାହିଁ।

ବରଗଡ ଜିଲ୍ଲାରେ କାହିଁକି ଚାଷୀ ଆତ୍ମହତ୍ୟା ଲାଗି ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। କାହିଁକି ସବୁ ଜମିକୁ ଜଳ ସେଚନ ସୁବିଧା ପହଂଚି ନାହିଁ। ସବୁ ଘର ୨୪ ଘଂଟିଆ ବିଜୁଳି ମିଳିବାରେ ସମସ୍ୟା କେଉଁଠି ରହିଲା? ଭୁବନେଶ୍ୱରର ରାଜ ରାସ୍ତାରେ କାହିଁକି ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ଗାଁ ସାଥୀ, ଗୃହରକ୍ଷୀ, ନର୍ସ, ଶିକ୍ଷକ ଦିନ ରାତି ଉଜାଗର ରହି ଆନ୍ଦୋଳନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଧୋ ସିଂହଙ୍କ ପରିବାରର ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆ ଯିବ ନାହିଁ। ଭୁବନେଶ୍ୱରରେ ମାଧୋ ସିଂହଙ୍କୁ ସ୍ୱୀକୃତି ନ ମିଳିଲେ ମଧ୍ୟ ସ୍ଥାନୀୟ ଆଦିବାସୀ ଓ ସାଧାରଣ ଜନତା ବଳିଦାନର ୧୫୮ ବର୍ଷ ପରେ ମଧ୍ୟ ମନେ ରଖିବା ଓଡିଆ ସମାଜର ପୂଜ୍ୟ ପୂଜାକୁ ସମ୍ମାନ ଦେବାର ପରମ୍ପରାକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *