ବାରଙ୍ଗ ଠାରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ
– ବାରଙ୍ଗରୁ ବିଶ୍ୱବଜାରକୁ କୁଶଳୀ ବ୍ୟକ୍ତିମାନଙ୍କୁ ପଠାଇବାରେ ଅଗ୍ରଣୀ ଭୂମିକା ନେବ ଏହି ଅନୁଷ୍ଠାନ
– କାହା ଦାନ, ଦକ୍ଷିଣା ନୁହେଁ ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡିଆ ପିଲା ମାନେ ସମ୍ମାନର ସହ ବଂଚିବାର ରାସ୍ତା ଫିଟିବ
– ଏଠାରୁ ବିଶୁମହାରଣା, ଧର୍ମପଦ ମାନେ ବାହାରିବେ। ସେମାନେ ଆମ ରାଜ୍ୟ ପାଇଁ ବୈଭବ ଆଣିଦେବେ।
ଭୁବନେଶ୍ୱର, ୧୬ ଜୁଲାଇ (ଓଡ଼ିଆ ପୁଅ) -ଓଡିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରାଇ, ରୋଜଗାର କ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଂଚିବାର ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧ। ଓଡିଶା ଭଳି ରାଜ୍ୟର ଭାଗ୍ୟ ପରିବର୍ତ୍ତନ ହେବ। ଅପାର ଖଣିଜସମ୍ପଦ, ଜଳସମ୍ପଦ, ଉର୍ବର ମାଟିରେ ଓଡିଶା ଭରପୁର ରହିଛି। ଓଡିଶାର ପରିଶ୍ରମୀ ଓ ବୁଦ୍ଧିମାନର ଯୁବକ କିପରି ନିଜର ଅଧିକାରର ସହ ବଂଚିବେ ତାର ସୁତ୍ର ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଏନଏସଟିଆଇ)ରୁ ବାହାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆଜି ବାରଙ୍ଗ ଠାରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର କାଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଏକବିଂଶ ଶତାଦ୍ଧୀକୁ ସାମ୍ନାରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏପରି ଏକ ଅତ୍ୟାଧୁନିକ ଇନଷ୍ଟିଚ୍ୟୁଟ ଓଡିଶାରେ ଆରମ୍ଭ କରାଯାଇଛି। ଏହାଦ୍ୱାରା ଯେଉଁ ଶିକ୍ଷକ ମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ପାଠ ପଢାଉଛନ୍ତି ସେମାନଙ୍କୁ ଏଥିରେ ତାଲିମ ଦିଆଯିବ। ଉନ୍ନତମାନର ହଷ୍ଟେଲ, ଲାବୋରଟୋରୀ ଏଥିରେ ରହିବେ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏଠି ଯେଉଁ ଗୁରୁକୂଳର ଶିଳାନ୍ୟାସ କରାଗଲା ଏଠାରୁ ବିଶୁମହାରଣା ମାନେ, ଧର୍ମପଦ ମାନେ ବାହାରିବେ। ସେମାନେ ଆମ ଅଂଚଳ ପାଇଁ ବୈଭବ ଆଣିଦେବେ। ଭାରତ ସରକାରଙ୍କ ପକ୍ଷରୁ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଓଡିଆ ପିଲାମାନେ ଉପକୃତ ହେବେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, କାହା ଦାନ, ଦକ୍ଷିଣା ନୁହେଁ ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡିଆ ପିଲା ମାନେ ସମ୍ମାନର ସହ ବଂଚିବେ। ସ୍ୱାଭିମାନର ସହ ଜୀବନ ଜୀବିକା ସହ ଅଧିକାରର ସହ ବଂଚିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କାମ କରାଯାଉଛି। ଓଡିଆ ପିଲାମାନଙ୍କୁ ବିଶ୍ୱ ଦରବାରରେ ପହଁଚାଇବାରେ ଏହି ଅନୁଷ୍ଠାନ ସହାୟତ ହେବ। ଏପରି ଅନୁଷ୍ଠାନ ବାରଙ୍ଗରୁ ବିଶ୍ୱବଜାରକୁ କୁଶଳୀ ବ୍ୟକ୍ତିମାନଙ୍କୁ ପଠାଇବାରେ ଅଗ୍ରଣୀ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।
