ଓଡିଶାରେ ଲୁହାପଥର ଉତ୍ପାଦନର ସମୀକ୍ଷା: ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ମୁତାବକ ଖଣିଜ ଉତ୍ତୋଳନ କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ତୋମାରଙ୍କ ପରାମର୍ଶ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଓଡିଶାରେ ୬ଟି ଖଣି ବନ୍ଦ ହେବା ପରେ ରାଜ୍ୟରେ ଖଣିଜ ଇସ୍ପାତର ଉତ୍ପାଦନ ସମୀକ୍ଷା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟର ଖଣି କମ୍ପାନୀମାନଙ୍କୁ ଭେଟିଛନ୍ତି। ଏହି ସମୀକ୍ଷାରୁ ଜଣାପଡିଥିଲା ଯେ ଏବେବି ଅନୁମତି ପ୍ରଦାନ ମୁତାବକ ସୀମା ଏବଂ ପରିବେଶ ପ୍ରଦୂଷଣକୁ ନେଇ ସ୍ଥିରୀକୃତ ସୀମା ମଧ୍ୟରେ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ କେତେକ ଖଣି କମ୍ପାନୀମାନଙ୍କର ହେଡରୁମ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ସୀମା ମଧ୍ୟରେ ରହି ଉତ୍ପାଦନରେ ସର୍ବାଧିକ ବୃଦ୍ଧି ଆଣିବା ପାଇଁ ମନ୍ତ୍ରୀ ଖଣି କମ୍ପାନୀମାନଙ୍କୁ ଅନୁରୋଧ କରିଥିଲେ। ଯଦିଓ ଜାନୁଆରୀରେ ଉତ୍ପାଦନ କମ ରହିବା ନେଇ ଆଶା କରାଯାଉଛି, ତେବେ ଖଣି କମ୍ପାନୀମାନେ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ସେମାନେ ଆଗାମୀ ସମୟରେ ଉତ୍ପାଦନରେ ବୃଦ୍ଧି ଆଣିବେ, ଯାହାଦ୍ୱାରା କି ଇସ୍ପାତ ଶିଳ୍ପଗୁଡ଼ିକୁ ଖଣିଜ କଂଚାମାଲ ଯୋଗାଣ ପ୍ରକ୍ରିୟାରେ କୌଣସି ଅଭାବ ରହିବ ନାହିଁ। ଉତ୍ପାଦନରେ ବୃଦ୍ଧି ଆଣିବା ପାଇଁ ମନ୍ତ୍ରୀ ଖଣି ମାଲିକମାନଙ୍କୁ ଅନୁପ୍ରେରିତ କରିଥିଲେ। ସେ ମଧ୍ୟ ସେମାନଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ଯେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ମନ୍ତ୍ରଣାଳୟ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବ ଏବଂ ଖଣି କମ୍ପାନୀମାନେ ସମ୍ମୁଖୀନ ହେଉଥିବା ସେମାନଙ୍କ ବିଶେଷ ସମସ୍ୟାକୁ ମନ୍ତ୍ରଣାଳୟକୁ ବିନା କୌଣସି ବାଧାରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *