ଓଡ଼ିଶା

ଓଡିଆ ଭାଷାର ସୁରକ୍ଷା ପାଇଁ ବିଛିନ୍ନାଞ୍ଚଳ ଗସ୍ତ କଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା

କେନ୍ଦୁଝର, ୨୫ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଓଡିଶାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ଦିନ ଗସ୍ତ କରିଛନ୍ତି। ବିଛିନ୍ନାଞ୍ଚଳ କୁହାଯାଉଥିବା ଝାଡଖଣ୍ଡ ରାଜ୍ୟର ପୂର୍ବସିଂହଭୂମ, ପଶ୍ଚିମସିଂହଭୂମ, ଖରସୁଆଁ, ଷଢେଇକଳା ଆଦି ଅଞ୍ଚଳକୁ ମନ୍ତ୍ରୀ ଗସ୍ତ କରି ଓଡିଆମାନଙ୍କ ଦୁଃଖ ଦୁର୍ଦ୍ଦଶା ଅନୁଭବ କରିଛନ୍ତି। ଦୀର୍ଘଦିନ ଧରି ଭୌଗଳିକ ଦୃଷ୍ଟିକୋଣରୁ ଓଡିଶାରୁ ବିଛିନ୍ନ ହୋଇଥିବା କିନ୍ତୁ ନିଜ ଭିତରେ ଓଡିଆତ୍ୱ ରଖି ଓଡିଆଙ୍କ ସ୍ୱାଭିମାନ ସହ ଜଡିତ ହୋଇଥିବା ଲୋକଙ୍କ ସହ ଭାବର ଆଦାନପ୍ରଦାନ କରିଛନ୍ତି। ଏହି ଅଞ୍ଚଳମାନଙ୍କରେ ଓଡିଆ ଭାଷାର ବିଦ୍ୟାଳୟ, ଓଡିଆ ପାଠ୍ୟପୁସ୍ତକ ବିପର୍ଯ୍ୟୟମୁଖୀ ହେଉଥିବାବେଳେ ଅନେକ ଦୁର୍ଦ୍ଦିନ ଦେଇ ଏହି ଅଞ୍ଚଳର ଓଡିଆମାନେ କାଳାତିପାତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉତ୍କଳ ସମ୍ମିଳନୀର ଅନୁରୋଧକ୍ରମେ ମନ୍ତ୍ରୀ ଏହି ଗସ୍ତ କରିଥିବା ଜଣାପଡିଛି। ଉତ୍କଳ ସମ୍ମିଳନୀ ଦ୍ୱାରା ଆୟୋଜିତ ଓଡିଆ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ବିଛାନ୍ନାଞ୍ଚଳରେ ରହୁଥିବା ଓଡିଆମାନଙ୍କର ପ୍ରାଣ ଓଡିଆ ଭାଷାରେ ରହିଛି। କିନ୍ତୁ ଏହି ବିଛିନ୍ନାଞ୍ଚଳରେ ଦିନକୁ ଦିନ ଓଡିଆ ଭାଷା ଲୋପ ପାଉଥିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏଠାରେ ଓଡିଆ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହାସତ୍ତ୍ୱେ ଭାଷା ସୁରକ୍ଷା ପାଇଁ ପ୍ରତ୍ୟେକ ଓଡିଆ ଉଦ୍ୟମ ଜାରୀ ରଖିବା ଉଚିତ। ସେ କହିଥିଲେ ଓଡିଆ ଭାଷାର ସୁରକ୍ଷା ପାଇଁ ଆନୁଷ୍ଠାନିକ ଭାବେ ଉଦ୍ୟମ କରୁଥିବା ସଂଗଠନକୁ ଏକ ଲକ୍ଷ ଟଙ୍କାର ସହାୟତା ଦିଆଯିବାକୁ ସେ ଘୋଷଣା କରିଥିଲେ। ଉଭୟ ରାଜ୍ୟର ସହଯୋଗରେ ଓଡିଆ ଭାଷାର ସୁରକ୍ଷା ସମେତ ଶିକ୍ଷାର ବିକାଶ ନିମନ୍ତେ ପ୍ରଚେଷ୍ଟା ଜାରୀରହିବ ବୋଲି କହିଥିଲେ। ପରେ ପରେ ଓଡିଆ ମଧ୍ୟ ବିଦ୍ୟାଳୟ ପୁରୁଣାବସ୍ତିର ସଭାପତି ନଗେନ୍ଦ୍ର ନାଥ ଷଡଙ୍ଗୀ ସ୍କୁଲର ବିଭିନ୍ନ ଅସୁବିଧା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ ୨୦୦୦ ମସିହାରେ ଓଡିଶା ଏବଂ ଝାଡଖଣ୍ଡ ସରକାରଙ୍କ ମଧ୍ୟରେ ଓଡିଆ ଶିକ୍ଷା ଏବଂ ଭାଷା ଉନ୍ନତି ପାଇଁ ଯେଉଁ ରାଜିନାମା ହୋଇଥିଲା ତାହା ବର୍ତ୍ତମାନର ଓଡିଶା ସରକାରଙ୍କ ଉଦାସୀନତା ଯୋଗୁଁ ଓଡିଆ ଭାଷା ବିଚ୍ଛିନ୍ନାଞ୍ଚଳରେ ବିଲୁପ୍ତ ହେବାକୁ ବସିଲାଣି। ସ୍କୁଲରେ ଓଡିଆ ଭାଷାର କେବଳ ସାହିତ୍ୟ ବହିକୁ ଛାଡି ଦେଲେ ଆଉ କୌଣସି ବହି ଓଡିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉନାହ÷ିଁ। ସ୍କୁଲଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୬ଜଣ ଶିକ୍ଷକ ଥିବାବେଳେ ଅନ୍ୟ ୨ଜଣ ଶିକ୍ଷକ ଉତ୍କଳ ସମ୍ମିଳନୀ ତରଫରୁ ମାତ୍ର ୩ହଜାର ଟଙ୍କା ସହାୟତା ରାଶି ପାଇ ଓଡିଆ ଭାଷା ପଢାଉଛନ୍ତି। ଶିକ୍ଷକମାନଙ୍କୁ ସହାୟତା ରାଶି ବୃଦ୍ଧି ପାଇଁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷାମନ୍ତ୍ୀଙ୍କ ପାଖରେ ଜଣାଇ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଓଡିଆ ଅଞ୍ଚଳର ସ୍କୁଲରେ ଅନ୍ତତଃ ଜଣେ ଓଡିଆ ଶିକ୍ଷକ ନିଯୁକ୍ତି ପାଇଁ ଓଡିଶା ସରାକର ଅନୁରୋଧ ରଖିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଓଡିଶାରେ ଭିନ୍ନଭାଭାଷୀଙ୍କ ପାଇଁ ସରକାର ପୂର୍ଣ୍ଣକାଳୀନ ଶିକ୍ଷକ ନିଯୁକ୍ତି ଦେଇଥିବାବେଳେ ଝାଡଖଣ୍ଡ ସରକାର ଓଡିଆ ଅଞ୍ଚଳରେ ପୂର୍ଣ୍ଣକାଳୀନ ଶିକ୍ଷକ ନିଯୁକ୍ତି ଦେଲେ ଓଡିଆ ଭାଷାର ସୁରକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ତ୍ୱରାନ୍ନତି କରାଯିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଖରସୁଆଁଠାରେ ଆୟୋଜିତ ହୋଇଥିବା ଓଡିଆ ସମ୍ମିଳନୀରେ ଓଡିଆ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଓଡିଆ ଭାଷାକୁ ଭଲ ପାଉଥିବା ବୁଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ଓଡିଆ ଭାଷା ଧିରେ ଧିରେ ଲୋପ ପାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କ ସୂଚନା ଅନୁସାରେ ୨୦୦୪ ମସିହାରୁ ଓଡିଶା ରାଜ୍ୟ ସରକାରଙ୍କ ସହାୟତାରେ ଓଡିଆ ସମ୍ମିଳନୀ ପକ୍ଷରୁ ବିଛିନ୍ନାଞ୍ଚଳରେ ଥିବା ପ୍ରାୟ ୧୪୫ଟି ବିଦ୍ୟାଳୟରେ ୧୫୮ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତ ପାଇଛନ୍ତି। ଖାଲି ସେତିକି ନୁହେଁ, ଏଠାରେ ପ୍ରାୟ ପାଞ୍ଚ ଛଅ ହଜାର ଛାତ୍ରଛାତ୍ରୀ ଓଡିଆ ଭାଷା ଅଧ୍ୟୟନ କରୁଛନ୍ତି। ଏସବୁ ସତ୍ତ୍ୱେ ଝାଡଖଣ୍ଡ ସରକାରଙ୍କ ଓଡିଆ ଭାଷା ପ୍ରତି ବୈମାତୃକ ମନୋଭାବ ପାଇଁ ଦିନକୁ ଦିନ ଓଡିଆ ଭାଷା ଲୋପ ପାଇବାକୁ ବସିଛି। ତେଣୁ ଏଦିଗରେ ଓଡିଶା ସରକାର ତୁରନ୍ତ ପଦକ୍ଷେପ ନେଇ ଓଡିଆ ଭାଷାକୁ ସୁରକ୍ଷା ଦେବାକୁ ସେମାନେ ଦାବି କରିଥିଲେ। ମନ୍ତ୍ରୀଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଗସ୍ତ କରିଥିବା ଟିମ୍ ଚକ୍ରଧରପୁରର ପୁରୁଣାବସ୍ତିଠାରେ ଥିବା ଓଡିଆ ମଧ୍ୟ ବିଦ୍ୟାଳୟ, ଦେଓଗାଁଠାରେ ଥିବା ଓଡିଆ ପ୍ରାଥମିକ ବିଦ୍ୟାଳୟ, ଚକ୍ରଧରପୁରଠାରେ ଥିବା ଉତ୍କଳମଣୀ ବିଦ୍ୟାମନ୍ଦିରକୁ ପରିଦର୍ଶନ କରିଥିଲେ। ସେହିପରି ଷଢେଇକଳାର ନଗରପାଳିକା ଓଡିଆ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଷଢେଇକଳା ରାଜପ୍ରସାଦରେ ଷଢେଇକଳା ରାଜାଙ୍କୁ ଭେଟି ଓଡିଆ ଭାଷାର ସୁରକ୍ଷା ଦିଗରେ ଆଲୋଚନା କରିଥିଲେ। ଏହାପରେ ଖରସୁଆଁଠାରେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଥାନୀୟ ବୁଦ୍ଧିଜୀବିମାନଙ୍କ ସହିତ ଓଡିଆ ଭାଷାର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ମନ୍ତ୍ରୀ ଅନ୍ୟଏକ ଓଡିଆ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ଆଲୋଚନାରେ ଭାଗନେଇ ପ୍ରଧାନ ଶିକ୍ଷୟିତ୍ରୀ ନିୟତି ପ୍ରଧାନ ସ୍କୁଲର ବିଭିନ୍ନ ଅସୁୂବିଧା ମନ୍ତ୍ରୀଙ୍କ ଦୃଷ୍ଟଗୋଚରକୁ ଆଣିଥିଲେ। ବିଶେଷ କରି ବିଦ୍ୟାଳୟରେ ପାଠାଗାର, ଓଡିଆ ପୁସ୍ତକ ଯୋଗାଇ ନଦେବା ଯୋଗୁଁ ଶିକ୍ଷା ଘୋର ବାଧାପ୍ରାପ୍ତ ହେଉଥିବା ଜଣାଇଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଅଦୈତ କୁମାର ପାତ୍ର, ସାଧାରଣ ସଂପାଦକ ଅନନ୍ତ ପ୍ରସାଦ ଜେନା, କୋଷାଧ୍ୟକ୍ଷ ବିମଳଚନ୍ଦ୍ର ଷଡଙ୍ଗୀ, ଭୁବନେଶ୍ୱର ଶାଖା ସଂପାଦକ ଅଶୋକ ମଲ୍ଲିକ, ଖୋର୍ଦ୍ଧା ଶାଖା ଯୁଗ୍ମ ସଂପାଦକ ପ୍ରସନ୍ନ ପଟ୍ଟନାୟକ, ସଂଖ୍ୟାଲଘୁ କମିଶନର ଅଶୋକ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଦିନେଶ ଷଡଙ୍ଗୀ, କେନ୍ଦୁଝରର ଯୁଗ୍ମ ସଂପାଦକ ନିରଞ୍ଜନ ବାରିକ, ରାଉଲକେଲା ସଭାପତି ସୁଦାମ ଦାସ, ସଂପାଦକ ଅକ୍ଷୟ ଦାସ, ଶିକ୍ଷାବିତ୍ ସଞ୍ଜୟ ପଣ୍ଡା, ନାଗେଶ୍ୱର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଭାଷାର ସୁରକ୍ଷା ପାଇଁ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ। ପଶ୍ଚିମ ସିଂଭୂମ ଜିଲ୍ଲା ଦେଓଗାଁ ଅଞ୍ଚଳର ରୀତା ପରିମାଣିକ, ଅର୍ଚ୍ଚନା ପ୍ରଧାନ, ପ୍ରତିଜ୍ଞା ପ୍ରଧାନ ଏବଂ ସବ୍ୟାରାଣୀ ପ୍ରଧାନ ଓଡିଆରେ ଏମଏ ପାସ କରି ନିଜ ଅଞ୍ଚଳର ଓଡିଆ ଭାଷାକୁ ଗୌରବାନ୍ନତି କରିଥିବାରୁ ମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତରେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆମାନଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top