ଆମ ସଂସ୍କୃତି, କଳା ଓ ଐତିହ୍ୟ

ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା…

– ଦେବପ୍ରସାଦ ମିଶ୍ର

ଭାରତୀୟ ସଂସ୍କୃତିର ସାର୍ବଜନୀନ ବିଶ୍ୱପ୍ରାଣତା ଏବଂ ଭାରତୀୟ ଦେଶାତ୍ମବୋଧର ଭାବାବେଗ ପ୍ରତି ଗୋପବନ୍ଧୁ ଅବହିତ ହୋଇ ସେହି ଚିନ୍ତା ଓ ପରିକଳ୍ପନା ସହିତ ଅଙ୍ଗୀଭୂତ ହୋଇଥିଲେ, ଯେବେ ସ୍ୱଦେଶ ପ୍ରାଣତା ଏବଂ ଦେଶାତ୍ମବୋଧ, ଶିକ୍ଷା, ସଂସ୍କୃତି ପ୍ରଭୃତି ଜାତିପ୍ରେମର ବାସ୍ତବ ଲକ୍ଷଣ ହୁଏ, ତାହାହେଲେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଯଥାର୍ଥରେ ଏକ ଜୀବନ୍ତ ଅନୁଷ୍ଠାନ ଏବଂ ମଣିଷ ଗଢ଼ିବା ପାଇଁ ଥିଲା ଏକମାତ୍ର କର୍ମସ୍ଥଳୀ। ସତ୍ୟବାଦୀ ଜାତୀୟ ବିଦ୍ୟାଳୟ, ସମଗ୍ର ଦେଶ ପକ୍ଷରେ ଏକ ନୂତନ ରକ୍ତତୀର୍ଥ ଥିଲା। ବିଦ୍ୟାଳୟର ପୃଷ୍ଠଭୂମିରେ ଥିଲା ବୀରପ୍ରସୁ ଭାରତବର୍ଷ ଓ ଗଜପତିଙ୍କର ଓଡ଼ିଶା। ସ୍ୱଳ୍ପରେ କହିବାକୁ ଗଲେ ସମସାମୟିକ ରାଜନୈତିକ ଜୀବନର ଉଦ୍ଗାତା ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ମୁକ୍ତ ଭାରତର ପ୍ରେରଣା, ଦେଶପ୍ରେମ-ଜାଗ୍ରତକାରୀ, ଉତ୍କର୍ଷ ଜାତୀୟତା ଉଦ୍ରେକକାରୀ ଅନୁଷ୍ଠାନ ଭାବରେ ସତ୍ୟବାଦୀ ବିଦ୍ୟାଳୟ ଥିଲା ଏକ ସ୍ୱୟଂସଂପୂର୍ଣ୍ଣ କୀର୍ତ୍ତି। ପରପଦାନତ, ଲା‚ିତ, ଅପମାନିତ, ଅପହୃତ ଗୌରବ, ଦେଶର ସ୍ୱାଭିମାନ, ଆତ୍ମମର୍ଯ୍ୟାଦା ଏବଂ ମୁକ୍ତି ଫେରି ପାଇବା ପାଇଁ ସତ୍ୟବାଦୀ ପ୍ରଯୋଜିତ ଶିକ୍ଷା ଯୁବ ସମାଜ ସମ୍ମୁଖରେ ଥିଲା ଏକମାତ୍ର ବା‚ନୀୟ ପନ୍ଥା। ଖଣ୍ଡିତ ଓଡ଼ିଶାର ଜଡ଼ତା, ବିଷାଦ ଏବଂ ନୈରାଶ୍ୟପୂର୍ଣ୍ଣ ସ୍ଥିତି ମଧ୍ୟରେ ଯେଉଁ “ସତ୍ୟବାଦୀ’ ଶିକ୍ଷାନୁଷ୍ଠାନର ଜନ୍ମ; ତାହାର ଉପଦେଶ, ପରାମର୍ଶ, ଶିକ୍ଷାପ୍ରସାର, କର୍ମୀ ତାଲିମ ଦେଶର ରାଜନୈତିକ ଇତିହାସ ପୃଷ୍ଠାରେ ଅବଶ୍ୟ ସ୍ୱୀକୃତ ହୋଇଛି।

ଆଧୁନିକ ଓଡ଼ିଶାର ବହୁ ନେତା ଦୃଷ୍ଟିଗୋଚର ହେଉଥିଲେ ସୁଦ୍ଧା ପ୍ରକୃତ ଯେବେ ଦେଶ ଓ ଜାତି ନିର୍ମାତା ବୋଲି କାହାକୁ କୁହାଯାଏ, ତେବେ ସେ ଥିଲେ ସ୍ୱର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ। ଏହାର କାରଣ ସେ ଏକମାତ୍ର ନେତା ଯେ କି ଓଡ଼ିଶାର ସାଧାରଣ ଜୀବନକୁ ଭାରତର ସାଧାରଣ ଜୀବନ ସହିତ ମିଶାଇ ପାରିଥିଲେ। କିନ୍ତୁ ୧୯୨୦ ପୂର୍ବରୁ ଭାରତର ଜାତୀୟ କଂଗ୍ରେସ ଯାହା ଥିଲା ଏବଂ ଗାନ୍ଧିଜୀଙ୍କ ଆବିର୍ଭାବ ପରେ ଯାହା ହେଲା ତା’ ଭିତରେ ଆକାଶ ପାତାଳ ପ୍ରଭେଦ। ଓଡ଼ିଶାରେ ଏକମାତ୍ର ସ୍ୱର୍ଗତ ଗୋପବନ୍ଧୁ ଯେ କି ସେ ସମୟରେ ପ୍ରଦେଶ ଭିତରେ ବଳିଷ୍ଠ ବିରୋଧ ସତ୍ତ୍ୱେ ଓଡ଼ିଶା ରାଜନୀତିକୁ ଭାରତୀୟ ରାଜନୀତିରେ ଅଙ୍ଗୀଭୂତ କରିପାରିଥିଲେ, କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ ତାଙ୍କ ପାଇଁ ଏ ଜାତି କ’ଣ କରିଛି ? ବୋଧହୁଏ ଗୋପବନ୍ଧୁ ନିଜେ “ସମାଜ’ ପ୍ରତିଷ୍ଠା କରି ନ ଥିଲେ, ଆଜି ତାଙ୍କ ନାଁ’କୁ ବି ଲୋକେ ଭୁଲି ସାରନ୍ତେଣି।

ବିଗତ ୧୯୭୭ରେ ପଣ୍ଡିତ ଗୋପବନ୍ଧୁଙ୍କ ଶତବାର୍ଷିକୀ ପାଳିତ ହେବା ଅବସରରେ ଓଡ଼ିଶାର କେତେକ ବୟୋବୃଦ୍ଧ ଚିନ୍ତାଶୀଳ ବୁଦ୍ଧିଜୀବୀ, ଛାତ୍ର, ନେତା, ଶିକ୍ଷକ, ଗବେଷକ ପ୍ରମୁଖ ସେତେବେଳେ ଲୋକସେବକ ମଣ୍ଡଳର ବୟୋଜ୍ୟେଷ୍ଠ କର୍ମକର୍ତ୍ତା ଶ୍ରୀ ବିଶ୍ୱନାଥ ଦାସ ଓ ରାଧାନାଥ ରଥଙ୍କୁ ଗୋପବନ୍ଧୁଙ୍କ ନାମରେ “ପଣ୍ଡିତ ଗୋପବନ୍ଧୁ ଦାସ ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ”ଟିଏ ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ। ଉଭୟେ ଶ୍ରୀ ଦାସ ଓ ରଥ ଦିଲ୍ଲୀ ଠାରେ ଏବଂ ଅନ୍ୟ କେତେକ ସ୍ଥାନରେ ଅନୁଷ୍ଠିତ ଶତବାର୍ଷିକୀ ସଭା ସମିତିରେ ଯୋଗଦେଇ ଏପରି ଗୋଟିଏ ଅନୁଷ୍ଠାନ ଗଢ଼ାଯିବାର ଯଥାର୍ଥତା ଉପରେ ଗୁରୁତ୍ୱ ଆରୋପ କରି ଓଡ଼ିଶାର ଦୁଇଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହାର ଏକ ନକ୍ସା ଓ ପରିକଳ୍ପିତ ରିପୋର୍ଟ ଦେବାପାଇଁ ଠିକ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୰ ବାଙ୍କ ବିହାରୀ ଦାସ ଓ ୰ ସଚ୍ଚିଦାନନ୍ଦ କାନୁନ୍ଗୋ ନିଜ ନିଜର ପ୍ରସ୍ତାବିତ ରିପୋର୍ଟ ଲୋକସେବକ ମଣ୍ଡଳକୁ ଦେଇଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକ ମଧ୍ୟ ଏ କାମକୁ ରାଧାନାଥ ବାବୁଙ୍କ ସହିତ ମିଶି କିଛି ବାଟ ଆଗେଇ ନେଇଥିଲେ। ତେବେ ମୋର ଯେତିକି ମନେ ଅଛି ସେ ରିପୋର୍ଟରେ ସେତେବେଳେ ବିହାର ରାଜ୍ୟର ରାଜଧାନୀ ପାଟନାରେ ଥିବା “ଅନୁଗ୍ରହ ନାରାୟଣ ସିହ୍ନା ସାମାଜିକ ବିଜ୍ଞାନ ଗବେଷଣା ସଂସ୍ଥା’ ଢାଞ୍ଚାରେ ତିଆରି କରାଯାଇଥିଲା। ସ୍ୱର୍ଗତ ଅନୁଗ୍ରହ ନାରାୟଣ ସିହ୍ନା ଆଧୁନିକ ବିହାରର ନିର୍ମାତାମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ। ୧୯୩୭ ଠାରୁ୧୯୫୮ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ବିହାରର ଅର୍ଥମନ୍ତ୍ରୀ ଥିଲେ। ଅନୁଗ୍ରହ ବାବୁ ପାଟନାର ଗଙ୍ଗାକୂଳରେ ଥିବା ଯେଉଁ ସରକାରୀ କୋଠାରେ ରହୁଥିଲେ, ୧୯୪୬/୪୭ ମସିହାରେ ଲାଗିଥିବା ଉତ୍କଟ ଦଙ୍ଗା ସମୟରେ ଗାନ୍ଧିଜୀ ସେଠାରେ ରହି ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିଲେ।

ଅନୁଗ୍ରହ ବାବୁଙ୍କ ତିରୋଧାନ ପରେ ସେହି କୋଠାରେ “ଅନୁଗ୍ରହ ନାରାୟଣ ସିହ୍ନା ସାମାଜିକ ବିଜ୍ଞାନ ଗବେଷଣା ଅନୁଷ୍ଠାନ’ ଆଇନ୧୯୬୪ ଅନୁଯାୟୀ ଉକ୍ତ ସଂସ୍ଥା ଏକ ଅନୁଷ୍ଠାନ ରୂପେ ବିହାର ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଛି। ବିହାର ବ୍ୟବସ୍ଥାପକ ସଭାରେ ଉକ୍ତ ଆଇନ ପାଶ୍ କରାଯାଇ ସେହି ଆଇନ ବଳରେ ଉକ୍ତ ସଂସ୍ଥା ଗୋଟିଏ ସ୍ୱୟଂ ନିୟନ୍ତ୍ରିତ ଅନୁଷ୍ଠାନରେ ପରିଣତ କରାଯାଇ ତା’ର ଦୈନନ୍ଦିନ କାର୍ଯ୍ୟରେ ଓ ପରିଚାଳନାରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ, କେବଳ ସେ ବୋର୍ଡ଼ର ପରିଚାଳନା କମିଟିର ସଭାପତିଙ୍କୁ ସରକାର ମନୋନୀତ କରିଥାନ୍ତି। ପାଟନା ବିଶ୍ୱବିଦ୍ୟାଳୟର କୁଳପତି ଓ ବିହାରର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ମନୋନୀତ ଶିକ୍ଷାବିତ୍ ଏବଂ ଅନୁନ୍ନତ ଜାତିର ଜଣେ ସଭ୍ୟ ବୋର୍ଡ଼ରେ ରହନ୍ତି। ଏ ଅନୁଷ୍ଠାନ ଆରମ୍ଭ ହେଲାବେଳେ ବୋର୍ଡ଼ର ସଭାପତି ଭାବେ ସ୍ୱର୍ଗତ ଜୟ ପ୍ରକାଶ ନାରାୟଣ ଏବଂ ସଭ୍ୟ ରୂପେ ଶ୍ରୀ ରାଜାରାମ ଶାସ୍ତ୍ରୀ ଏବଂ ଶ୍ରୀ ଅଚ୍ୟୁତ ପଟ୍ଟବର୍ଦ୍ଧନ ଥିଲେ। ସେ ଅନୁଷ୍ଠାନରେ ସାମାଜିକ ବିଜ୍ଞାନ ସମ୍ବନ୍ଧୀୟ ପାଠ୍ୟକ୍ରମର ଗବେଷଣା, ଅଧ୍ୟାପନା ତଥା ଅନ୍ୟାନ୍ୟ ରାଷ୍ଟ୍ରରେ ସାମାଜିକ ବିଜ୍ଞାନର ଅଗ୍ରଗତି ଉପରେ ଅଧିକ ଗବେଷଣା ପ୍ରଭୃତି କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ ଥିଲା। ଏ ଅନୁଷ୍ଠାନର ରକ୍ଷଣାବେକ୍ଷଣ ପରିଚାଳନା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତା’ପାଇଁ ବ୍ୟୟ ବରାଦର ବ୍ୟବସ୍ଥା କରିଛନ୍ତି। ବହୁ ଶିକ୍ଷାନୁଷ୍ଠାନ ଓ ଯୁଜିସି ମଧ୍ୟ ଗବେଷଣା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।ଏପରି ଏକ ରିପୋର୍ଟ ସେତେବେଳେ ନିଜେ ବାଙ୍କ ବାବୁ ରାଜ୍ୟ ସରକାରଙ୍କୁ ଦେଇଥିଲେ କିନ୍ତୁ ଏହା ଭିତରେ ବହୁ ସମୟ ବିତି ଯାଇଛି। ସିଏ ଯାହାହେଉ ଦୀର୍ଘ ବର୍ଷ ପରେ ଏବେ ଆମ ରାଜ୍ୟରେ ଓଡିଆ ଭାଷାର ପ୍ରଚଳନକୁ ନେଇ ଦେଖା ଦେଇଥିବା ବିବାଦ ଫଳରେ ସର୍ବ ଶେଷରେ ଓଡିଆ ଭାଷାର ବ୍ୟାପକ ପ୍ରଚଳନ ତଥା ଓଡିଶାର ଐତିହ୍ୟ-ସଂସ୍କୃତି ଭାଷାର ବ୍ୟାପକ ପ୍ରଚଳନ ଓ ପରିପ୍ରକାଶ ନିମନ୍ତେ, ଉତ୍କଳମଣୀ ଗୋପବନ୍ଧୁଙ୍କ କର୍ମ ସାଧନା ପୀଠ ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବିଳମ୍ବରେ ହେଲେ ମଧ୍ୟ ଏଥିପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି, ତେବେ ଏଠାରେ ଗୋଟେ ପ୍ରଶ୍ନ ଓଡିଆ ବିଶ୍ୱବବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଉପକୃତ ହେଲା ପରେ ·କିରୀ ମୁଖୀ ହୋଇ ଯେଉଁଠାକୁ ଯିବେ ସେଠାରେ ଏମାନଙ୍କୁ ସ୍ଥାନ ମିଳିବ ତ ? ପୁଣି ପ୍ରଶ୍ନ ଉଠୁଛି ଏଠି ଯେଉଁ ପାଠ୍ୟ ଖସଡା ପ୍ରଣୀତ ହେବ ତାକୁ ଛାତ୍ର ଛାତ୍ରୀମାନେ ଓଡିଆରେ ଅଧ୍ୟୟନ କରିବେ ତ! ଏ ପର୍ଯ୍ୟନ୍ତ ଏହି ଓଡିଆ ବିଶ୍ୱବିଦ୍ୟାଳୟ ଚୁଡାନ୍ତ ରୂପରେଖ ପ୍ରକାଶିତ ହୋଇନାହିଁ ଜନସାଧାରଣଙ୍କ ଚାପରେ ହେଉ ବା ଆସନ୍ତା ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ ଘୋଷଣା କରାଯାଇଛି ?

ବର୍ତ୍ତମାନ ସମୟକୁ ଆଖିରେ ରଖି ପରିବେଶ ପ୍ରଦୂଷଣ, ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଜମି, ଜଙ୍ଗଲ, ପାଣି, ବିଜୁଳି, ଖାଦ୍ୟ ଉତ୍ପାଦନ ଓ ବଣ୍ଟନ ପ୍ରଭୃତି ସମସ୍ୟା ସମ୍ପର୍କୀୟ ତଥା ବର୍ତ୍ତମାନର ମୁଖ୍ୟ ନକ୍ସଲ ସମସ୍ୟା, କଳକାରଖାନା ପ୍ରତିଷ୍ଠା ପାଇଁ ବିସ୍ଥାପନ, ଥଇଥାନ, ପୁର୍ନବସତି, କ୍ଷତିପୂରଣ, ସ୍ଥାନର ଭୌଗଳିକ ପରିସ୍ଥିତିକୁ ଦେଖି ଲୋକଙ୍କ ପୁରୁଣାକାଳିଆ ଅଭ୍ୟାସର ପରିବର୍ତ୍ତନ, ଲୋକଙ୍କୁ ପ୍ରାକୃତିକ ପରିସ୍ଥିତିକୁ ଚାହିଁ ନିଜ ଗୋଡ଼ରେ ସ୍ୱାବଲମ୍ବନଶୀଳ କରାଇବାର ବିଭିନ୍ନ ପଦ୍ଧତି, ସମୟକୁ ଚାହିଁ ରାଜ୍ୟ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ, ଯେକୌଣସି ଲୋକହିତକର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଓ ପରେ ଏହାର ଲୋକଙ୍କ ଉପରେ ପ୍ରଭାବ, ଏହାର ଉପକାରିତା ଓ ଅନାବଶ୍ୟକତା ସମ୍ପର୍କୀୟ ଗବେଷଣା, ସର୍ବୋପରି ଏଠାରେ ଗୋପବନ୍ଧୁଙ୍କ ଜୀବନର ଆଦର୍ଶ, ସତ୍ୟବାଦୀ ଯୁଗର ସମସ୍ତ କାର୍ଯ୍ୟାବଳୀ ଉପରେ ଗବେଷଣା, ରାଜ୍ୟର ପ୍ରତ୍ୟେକ ସ୍ଥାନର ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ କାମ କରିଥିବା କାର୍ଯ୍ୟର ବିବରଣୀ ସହିତ ତାଙ୍କର କାର୍ଯ୍ୟକଳାପର ବିବରଣୀ ଓ ସେମାନଙ୍କର ଠିକଣା, ଦେଶ ପାଇଁ କାର୍ଯ୍ୟ କରିଥିବା ତ୍ୟାଗମୂଳକ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାବଳୀର ବିବରଣୀ ପ୍ରଭୃତି ସହିତ ସେମାନଙ୍କ ଆତ୍ମଜୀବନୀକୁ ସ୍କୁଲ ବା କଲେଜ ପାଠ୍ୟକ୍ରମରେ ସ୍ଥାନ ଦେବାର ବ୍ୟବସ୍ଥା, ପ୍ରାଚୀନ ଉତ୍କଳ/ଓଡ଼ିଶାର ସଂସ୍କୃତି ଓ ଗୌରବ ଉପରେ ଗବେଷଣା, ପ୍ରାଚୀନ ଓଡ଼ିଆ ବିଦ୍ୱାନ ପଣ୍ଡିତମାନଙ୍କ ରଚିତ କାର୍ଯ୍ୟାବଳୀର ଉଦ୍ଧାର ଓ ତାହାକୁ ଲୋକସାଧାରଣଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା, ଗୁରୁକୁଳ ଆଶ୍ରମର ପୁର୍ନରୁଦ୍ଧାର ପାଇଁ ଗୁରୁକୁଳ ଆଶ୍ରମର ପ୍ରତିଷ୍ଠା। କିନ୍ତୁ ଏ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ଗୋଟିଏ ସ୍ଥାନରେ ରଖାଯାଇ ସତ୍ୟବାଦୀ ବନବିଦ୍ୟାଳୟ ସଦୃଶ ବା ଶାନ୍ତୀନିକେତନ ଶୈ÷ଳୀର ଚାଳଘର ସାହାଲା ମଧ୍ୟରେ ବିଭିନ୍ନ ବ୍ଲକ ଗଠନ କରାଯାଇ ଏହାକୁ ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ନିଷ୍ଠାବାନ୍ ସଚ୍ଚରିତ୍ର ସମ୍ବଳିତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳନା କରିବା ଉଚିତ। ଏ ପ୍ରକାର କାର୍ଯ୍ୟାବଳୀ କାର୍ଯ୍ୟକାରୀ କରିବା ପାଇଁ ସେଇ ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଗଲେ ସେହି ପୁରାତନ ଐତିହାସିକ ସ୍ଥାନର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ସହିତ ଗୋପବନ୍ଧୁଙ୍କ ନାମ ମଧ୍ୟ ସବୁଦିନ ପାଇଁ ପ୍ରଜ୍ୱଳିତ ହୋଇ ସେହି ବନବିଦ୍ୟାଳୟ ପରି ସୁନାମ ଓ ଖ୍ୟାତି ଅର୍ଜନ କରିପାରନ୍ତା।ଓଡିଶାର ପ୍ରାଚୀନ ଗୌରବ ଐତିହ୍ୟ ସଂସ୍କୃତି ଭାଷା ସାହିତ୍ୟର ପରିପ୍ରକାଶ ହୋଇପାରନ୍ତା। ବିଶ୍ୱବିଦ୍ୟାଳୟ ପରି·ଳନା ପାଇଁ ରାଜ୍ୟସରକାରଙ୍କ ପ୍ରଶାସନିକ ବ୍ୟକ୍ତିମାନେ ରହିପାରନ୍ତି କିନ୍ତୁ ଏହାର ସଂପୂର୍ଣ୍ଣ ପାଠ୍ୟଖସଡା ସିଲାବସ ପ୍ରସ୍ତୁତି ନେଇ ଅଭିଜ୍ଞ ଶିକ୍ଷାବିଦ୍, ଗବେଷକ, ସାହିତ୍ୟିକ, ସଂସ୍କୃତଜ୍ଞ ଆଖପାଖ ଷୋଳଶାସନର ବିଦ୍ୱାନ ମାନଙ୍କ ବିଚାର ବିମର୍ଷ ଓ ଗୋବର୍ଦ୍ଧନ ପୀଠ ଶଙ୍କରା·ର୍ଯ୍ୟଙ୍କ ପରାମର୍ଶ ନେବା ଉଚିତ ମନେହୁଏ। ଓଡିଆ ସାହିତ୍ୟ ଓ ଭାଷା ଉପରେ ରାଜ୍ୟରେ ବହୁ ଗୁଣୀ ଓ ବିଦ୍ୱାନ ରହିଛନ୍ତି ସେମାନଙ୍କ ପରାମର୍ଶ ନେବା ଉଚିତ। ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ବର୍ତ୍ତମାନ ସମୟରେ ଏକ ଅଭିନବ ପଦକ୍ଷେପ ଏଥିରେ ସନ୍ଦେହ ନାହିଁ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଧନ୍ୟବାଦର ପାତ୍ର। ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ ଏଥି ନିମନ୍ତେ ସମୟ ଦେଲେ ନିଶ୍ଚୟ ଏହା ଫଳପ୍ରଦ ହେବ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top