ଓଡ଼ିଶା

ଓଏନଜିସି ସହାୟତାରେ ମୟୁରଭଞ୍ଜ ଗୋଟେରୀ ଡେଭଲପମେଣ୍ଟ ପ୍ରୋଜେକ୍ଟର ଶୁଭ ଉଦ୍ଘାଟନ ମୟୁରଭଞ୍ଜ ଜିଲ୍ଲାର ଗୃହପାଳିତ ପଶୁ ଛେଳି ଓ କୁକୁଡା ଜିଲ୍ଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ

– ମୟୁରଭଞ୍ଜର ପତ୍ର ଖିଆ ଛେଳିର ଚାହିଦା କେବଳ ଓଡିଶା ନୁହଁ ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନ୍ନାଇରେ ରହିଛି
– ସଠିକ୍ ମାର୍କେଟିଂ ବ୍ୟବସ୍ଥା କରାଗଲେ ମୟୁରଭଞ୍ଜର ଛେଳି ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିବେ।

ଭୁବନେଶ୍ୱର/ବଡସାହୀ, ୩୦/୪(ଓଡ଼ିଆ ପୁଅ): ମୟୁରଭଞ୍ଜ ଜିଲ୍ଲାର ଗୃହପାଳିତ ପଶୁ ଛେଳି ଓ କୁକୁଡାଙ୍କୁ ଜିଲ୍ଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୟୁରଭଞ୍ଜ ଜିଲ୍ଲା ବଡସାହୀ ବ୍ଲକର ସଙ୍କେରକେ ଗ୍ରାମରେ ମୟୁରଭଞ୍ଜ ଗୋଟେରୀ ଡେଭଲପମେଣ୍ଟଟ୍ ପ୍ରୋଜେକ୍ଟର ଶୁଭ ଉଦ୍ଘାଟନ ଅବସରରେ ସମବେଦ ଜନତାଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ଶ୍ରୀ ପ୍ରଧାନ। ରାଷ୍ଟ୍ରାୟତ ଉଦ୍ୟୋଗ ଓଏନ୍ ଜିସି ର ସାମାଜିକ ଦାୟିତ୍ୱବୋଧ ଯୋଜନା ଅଙ୍ଗ ସ୍ୱରୂପ ଏହି ପ୍ରକଳ୍ପ ଆର୍ଥିକ ସହାୟତା ପାଇଛି। ଶ୍ରୀ ପ୍ରଧାନ କହିଛନ୍ତି ମୟୁରଭଞ୍ଜର ସାଧାରଣ ଲୋକମାନେ ଛେଳି ପାଳି ଏଥିରୁ ନିଜର ଘର ଚଳାଇବା ସହ ଦେହ ଖରାପ, ପିଲାଙ୍କ ପାଠପଢା, ବାହାଘର ଆଦି ଖର୍ଚ୍ଚ ମେଂଟାଉଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ମୟୁରଭଞ୍ଜର ପତ୍ର ଖିଆ ଛେଳିର ଚାହିଦା କେବଳ ଓଡିଶା ନୁହଁ ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନ୍ନାଇରେ ରହିଛି। ଯଦି ମୟୁରଭଞ୍ଜର ପତ୍ର ଖିଆ ଛେଳିର ସଠିକ୍ ମାର୍କେଟିଂ ବ୍ୟବସ୍ଥା କରାଯିବ, ତାହାହେଲେ ମୟୁରଭଞ୍ଜର ଛେଳି ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିବେ। ଶ୍ରୀ ପ୍ରଧାନ କହିଛନ୍ତି, ମୟୁରଭଞ୍ଜ ଅପାର ସମ୍ଭାବନାର ଜିଲ୍ଲା। ଏହି ଜିଲ୍ଲାର ସବାଇ ଘାସ, ସାଳପତ୍ର ଓ ଲଘୁ ବନଜାତ ଦ୍ରବ୍ୟର ସଠିକ୍ ବ୍ୟବହାର ଜିଲ୍ଲାକୁ ଆର୍ଥିକ ସମ୍ପନ୍ନତା ଦେଇପାରେ। ଜିଲ୍ଲାର ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଅନ୍ୟାନ୍ୟ ନଦୀର ପାଣିକୁ ଚାଷ ପାଇଁ ସୁବିନିଯୋଗ କଲେ ଜିଲ୍ଲାରେ ସୁନା ଫଳିବ।

ଶ୍ରୀ ପ୍ରଧାନ କହିଛନ୍ତି, ତାଙ୍କୁ ଉପହାର ଦିଆଯାଇଥିବା ଜିଲ୍ଲାର ଆଦିବାସୀମାନଙ୍କ ଦ୍ୱାରା ବୁଣାଯାଇଥିବା ଗାମୁଛାର ମୂଲ୍ୟ ୨୦୦ ଟଙ୍କାରେ ସ୍ଥାନୀୟ ବଜାରରେ ମିଳୁଛି। ଯଦି ଏହାକୁ ଅନ୍ତରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ବଜାରରେ ଆଦିବାସୀଙ୍କ ହାତବୁଣା ପାରମ୍ପରିକ ପ୍ରସ୍ତୁତି ଭାବେ ମାର୍କେଟିଂ କରାଯିବ, ଏହାର ମୂଲ୍ୟ ୨୦୦୦ ଟଙ୍କା ହୋଇପାରେ। ଆଦିବାସୀ ବୁଣାକାରମାନଙ୍କ ପାଖରେ ଯଦି ଏଥିରୁ ୧୦୦୦ ଟଙ୍କା ପହଂଚି ମୟୁରଭଞ୍ଜର ଅର୍ଥନୀତିକୁ ବଡ ବଳ ମିଳିବ। ଏହି ଅବସରରେ ଗୋଟେରୀ ଡେଭଲପମେଣ୍ଟଟ ପ୍ରକଳ୍ପ ଭଳି ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଓ ଗରିବ ଲୋକମାନଙ୍କର ବିକାଶ ପାଇଁ ଅଧିକ କାମ ଭାରତ ସରକାରଙ୍କ ଉପକ୍ରମମାନେ ହାତକୁ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top