ଏ.ପି.ଡି.ଙ୍କୁ ହତ୍ୟା ଧମକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ଉଦ୍ୟମ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡି.ଆର.ଡି.ଏ.)ର ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ(ଏ.ପି.ଡି.) ନିର୍ମଳ କୁମାର ସାହୁଙ୍କୁ ମୋବାଇଲରେ ହତ୍ୟା ଧମକ ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରଶାସନ ଓ ପୋଲିସ ଉପରେ ଚାପ ପକାଯାଇ ଖସାଇ ଦେବାକୁ ରାଜନୈତିକ ଉଦ୍ୟମ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଅଗଷ୍ଟମାସ ୨୮ତାରିଖ ରାତିରେ କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡି.ଆର.ଡି.ଏ.)ର ଏପିଡି ଶ୍ରୀ ସାହୁଙ୍କ ମୋବାଇଲକୁ ଫୋନ କରାଯାଇ ଜନୈକ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୈାଣସି ଫାଇଲ ପେସ ନକରିବାକୁ ଧମକ ଦେବା ଏବଂ ଏଥିରେ ଖିଲାପ କଲେ ତାଙ୍କ ପରିବାରକୁ ଜୀବନରୁ ଶେଷକରିଦେବାକୁ ଧମକ ଦିଆଯାଇଥିଲା । ଏ ସମ୍ପର୍କରେ ସମ୍ପୃକ୍ତ ଏପିଡିଙ୍କ ଅଭିଯୋଗ ପତ୍ରକୁ ଡି.ଆର.ଡି.ଏ.ର ତଦନାନ୍ତିନ ପି.ଡି. ଟାଉନ ଥାନା ଅଧିକାରୀଙ୍କ ନିକଟକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଗଷ୍ଟମାସ ୨୯ତାରିଖରେ ପଠାଇଥିଲେ । ସେହି ଅଭିଯୋଗ ଥାନା କେସ ନଂ-୯୦/୨୦୧୭ରେ ତା ୨୯.୮.୨୦୧୭ରିଖରେ ଭାରତୀୟ ପିଙ୍ଗଳ କୋର୍ଡର ୩୮୬,୩୮୭,୨୯୪ ଓ ୫୦୬ ଦଫାରେ ରୁଜୁ କରାଯାଇଥିଲା । ଘଟଣା ସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ସମ୍ବାଦ ପ୍ରକାଶିତ ହେବା ପରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ତଦନ୍ତ ଚଳାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଦୈତାରୀ ଜେନାକୁ ମୋବାଇଲ ଟ୍ରାକିଂ କରି ଧରିବା ସହିତ ଅଭିଯୁକ୍ତ ଦୈତାରୀକୁ ଦୁଇଦିନ ଧରି ପଚରାଉଚରା କରିବା ପରେ ତା ନିକଟରୁ ମୁଖ୍ୟ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ହାସଲ କରିଥିଲା ଏବଂ ଟାଉନ ଥାନାକୁ ଅଭିଯୁକ୍ତକୁ ହସ୍ତାନ୍ତର କରିବାପରେ ଟାଉନ ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ଉଭୟ ପ୍ରଶାସନ ଓ ପୋଲିସ ଉପରେ ରାଜନୈତିକ ଚାପ ପଡିବାରୁ ପୋଲିସ ଥାନାରେ କେସ ରୁଜୁ ହେବାର ମାତ୍ର ମାସକ ମଧ୍ୟରେ ଗତ ତା୨୯.୦୯.୨୦୧୭ରିଖରେ ଟାଉନ ଥାନା ପକ୍ଷରୁ ଚାର୍ଜସିଟ କୋର୍ଟକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଗୋଟିଏ ମାମଲାର ଚାର୍ଜସିଟ କିମ୍ବା ଫାଇନାଲ ରିପୋର୍ଟ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ବର୍ଷ ବର୍ଷ ଧରି ସମୟ ଲାଗୁଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ସଠିକ ଭାବେ ତଦନ୍ତ କରାନଯାଇ ଏବଂ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ଛାନଭିନ କରାନଯାଇ କିଭଳି ମାତ୍ର ମାସକ ମଧ୍ୟରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଏକମାତ୍ର ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ କୋର୍ଟକୁ ପଠାଇ ଦିଆଗଲା ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଅଭିଯୋଗକାରୀ ସମ୍ପୃକ୍ତ ଅଧିକାରୀ ଜଣକ ପ୍ରଶାସନ ଓ ପୋଲିସର ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏବଂ ନିଜ ତଥା ପରିବାରର ଜୀବନର ସୁରକ୍ଷା ପାଇଁ ଏଠାରୁ ବଦଳି ହୋଇ ଅନ୍ୟତ୍ର ପଳାଇ ଯିବାକୁ ବାଧ୍ୟ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଆଉ କୈାଣସି ସରକାରୀ ଅଧିକାରୀ ନିରପେକ୍ଷ ଭାବେ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଭବିଷ୍ୟତରେ ରାଜି ନହେବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏଠାରେ ନୂତନ ଭାବେ ଯୋଗ ଦେଇଥିବା ଏସ.ପି. ମହାଶୟ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *