ଏସ୍.ପି.ଙ୍କ ରାତିଅଧିଆ ଥାନା ପରିଦର୍ଶନ, ବଦଳୁଛି ଥାନାର ଅବସ୍ଥା

ଯାଜପୁର-୨୩/୭ (ଓଡିଆ ପୁଅ/ଏ.ରାଉତ) ଜିଲାରେ ଧୀରେ ଧୀରେ ଆଇନ ଶୃଙ୍ଖଳା ବଦଳୁଥିବାବେଳେ ଥାନାଗୁଡ଼ିକର ଅବସ୍ଥା ସୁଧୁରୁଥିବା ଦେଖିବାକୁ ମିଳିଛି। ଯାଜପୁରର ନୂତନ ଏସ୍.ପି. ଚରଣ ସିଂ ମିନା କାର୍ଯ୍ୟରେ ଯୋଗଦେଲା ପରେ ଅଚାନକ ଥାନା ପରିଦର୍ଶନ କରିଥିଲେ। ଯାହାଫଳରେ ଥାନାଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏସ୍.ପି.ମାନେ ପାଣିକୋଇଲିସ୍ଥିତ ହେଡକ୍ୱାର୍ଟରରେ ବସି ଥାନା ନିୟନ୍ତ୍ରଣ କରୁଥିବାବେଳେ ନୂତନ ଏସ୍.ପି. ଏହି ପରମ୍ପରାକୁ ଭଙ୍ଗକରି ଥାନା ପରିଦର୍ଶନକୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି। ଏବେ ନୂତନ ଏସ୍.ପି. ଚରଣ ସିଂ ମିନା ରାତିଅଧିଆ ଥାନା ପରିଦର୍ଶନ କରିବାକୁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଗତ ଶୁକ୍ରବାର ବିଳମ୍ବିତ ରାତି୍ରରେ ଏସ୍.ପି. ଯାଜପୁର ଥାନା ପରିଦର୍ଶନ କରିଥିଲେ। ଏସ୍.ପି. ରାତି ପେଟ୍ରୋଲିଂ ଦେଖିବା ସହ ଡି.ସି.ଓ ଦାୟିତ୍ୱରେ ଥିବା ଅଫିସରଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଏପରିକି ଥାନାର ବିଭିନ୍ନ ରେକର୍ଡ଼ (ଷ୍ଟେସନ ଡାଏରୀ) ତନଖି କରିଥିଲେ। ଏସ୍.ପି.ଙ୍କ ରାତିଅଧିଆ ଥାନା ପରିଦର୍ଶନ ସମୟରେ ଥାନାଧିକାରୀ ସମେତ ଅନ୍ୟ ଅଧିକାରୀ ଥାନାରେ ଉପସ୍ଥିତ ଥିବା ଜଣାପଡ଼ିଛି। ଯଦି ଏସ୍.ପି. ରାତିଅଧିଆ ଟାଉନ ଥାନା ପରିଦର୍ଶନ ପରିବର୍ତ୍ତେ ଗ୍ରାମାଞ୍ଚଳରେ ଥିବା ଥାନାଗୁଡ଼ିକ ପରିଦର୍ଶନ କରନତେ ତେବେ ଗ୍ରାମାଞ୍ଚଳରେ ଥିବା ଥାନାଗୁଡ଼ିକର ଅସଲ ଚିତ୍ର ଜଣାପଡ଼ନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗ୍ରାମାଞ୍ଚଳରେ ଥିବା ଥାନାଗୁଡ଼ିକ ରାତିରେ ଏକପ୍ରକାର ବନ୍ଦ ହୋଇଯାଇଥାଏ। ଥାନା ଦାୟିତ୍ୱରେ ଥିବା ଡି.ସି.ଓ ରାତିରେ ଥାନାରେ ରହିବା ପରିବର୍ତ୍ତେ ନିଜ ସରକାରୀ ବାସଭବନ କିମ୍ବା ଭଡ଼ାଘରେ ରହୁଥିବା ଅଭିଯୋଗ ହେଉଛି। ରାତ୍ରି ପେଟ୍ରୋଲିଂ କଥା ନକହିବା ଭଲ। ବହୁ ଥାନାରେ ରାତ୍ର ପେଟ୍ରୋଲିଂ ଏକପ୍ରକାର ଠପ୍ କହିଲେ ଚଳେ। ଥାନାକୁ ମାତ୍ର ୧୫୦ଲିଟର ତେଲ ହେଡ଼କ୍ୱାର୍ଟରରୁ ମିଳୁଥିବାରୁ ପ୍ରତିଦିନ ରାତିରେ ପେଟ୍ରୋଲିଂ କରିବା ସମ୍ଭବ ନୁହେଁ ବୋଲି କେତେକ ଥାନାଧିକାରୀ ଖୋଲାଖୋଲିଭାବେ କହିବାକୁ ପଛାଉନଥିବା ଦେଖିବାକୁ ମିଳିଛି। ସେହିପରି ଜିଲାର ଏପରି ଥାନା ଅଛି ଯେଉଁଠିକି ସଞ୍ଜ ନଇଁଲେ ଅଭିଯୋଗକାରୀ ଅଭିଯୋଗ ନେଇ ଥାନାକୁ ଯିବାପାଇଁ ଭୟ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ନେତାଙ୍କ ଜିଦ୍ଖୋର ମନୋବୃତ୍ତି ଯୋଗୁଁ ଏକ ନିଛାଟିଆ ସ୍ଥାନରେ ଥାନା ନିର୍ମାଣ କରାଯାଇଛି। ଯେଉଁଠି ଥାନାକୁ ଯିବାପାଇଁ ରାତିରେ ପୁଲିସ ବାବୁମାନେ ଚଳପ୍ରଚଳ କରିବାପାଇଁ ଭୟ କରୁଛନ୍ତି ସେଠି ସାଧାରଣ ଲୋକ କଥା ପଚାରେ କିଏ। ନୂତନ ଏସ୍.ପି.ଙ୍କ ରାତିଅଧିଆ ଥାନା ପରିଦର୍ଶନରେ ବହୁ ଥାନାଧିକାରୀ ଛାନିଆ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହି ଅଧିକାରୀମାନେ ଏବେ ଜିଲାରୁ ଅନ୍ୟତ୍ର ବଦଳି ହେବାପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି। ଦୀର୍ଘଦିନ ହେବ ଏହି ଥାନାଧିକାରୀମାନେ ଏକପ୍ରକାର ଥାନାରେ ନିଜ ମର୍ଜୀରେ କାର୍ୟ୍ୟ କରୁଥିବାବେଳେ ହଠାତ୍ ପରିବର୍ତ୍ତନକୁ ସେମାନେ ସହ୍ୟ କରିପାରୁନଥିବା ଜଣାପଡ଼ିଛି। ବର୍ତ୍ତମାନ ପରିସ୍ଥିତିକୁ ମୁକାବିଲା କରିବାପାଇଁ ସେମାନେ ପ୍ରସ୍ତୁତ ନଥିବା ଦେଖିବାକୁ ମିଳିଛି। ସେହିପରି ଜିଲା ପୁଲିସ ବିଭାଗରେ ଏକ ବଡ଼ ଧରଣର ଅଦଳବଦଳକୁ ଏଡ଼ାଇ ଦିଆଯାଇନପାରେ। କେତେକ ଥାନାଧିକାରୀ ଜିଲାର ଅନ୍ୟ ଥାନାକୁ ବଦଳି ହେବାପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ସେ ଯାହା ହେଉନା କାହିଁକି ଏସ୍.ପି.ଙ୍କ ଅଚାନକ ରାତିଅଧିଆ ଥାନା ପରିଦର୍ଶନକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଯଦି ଏପରି ପରମ୍ପରା ଲାଗିରହେ ତେବେ ଥାନାର ଅବସ୍ଥା ସୁଧୁରିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *