ଓଡ଼ିଶା

ଏସ୍ସି/ଏସ୍ଟି ନିର୍ଯାତନା ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍

ଭୁବନେଶ୍ୱର, ୨୨ା୦୪ (ଓଡ଼ିଆ ପୁଅ): ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ଗତ ୪ ବର୍ଷରେ ୧ ପ୍ରତିଶତରୁ କମ୍ ରହୁଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଦେଇଥିବା ବିସ୍ତୃତ ସୂଚନାରୁ ଏହା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଆଧାରରେ ବିଧାନସଭାରେ ସରକାରଙ୍କ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ସେଥିରେ ୨୦୧୭-୧୮ ବର୍ଷରେ ଏସ୍ସି ଓ ଏସ୍ଟି ନିର୍ଯାତନା ସଂକ୍ରାନ୍ତୀୟ ଗୋଟିଏ ହେଲେ ମାମଲାର ଦଣ୍ଡବିଧାନ ହୋଇନାହିଁ। ତେବେ ଏ ସଂକ୍ରାନ୍ତୀୟ ୭୮୨୮ଟି ମାମଲା ରାଜ୍ୟରେ ବିଚାର ପ୍ରତୀକ୍ଷାରେ ରହିଛି।

୨୦୧୬-୧୭ ବର୍ଷରେ ଏ ସଂକ୍ରାନ୍ତୀୟ ମାତ୍ର ୧୯ଟି ମାମଲାରେ ଦଣ୍ଡବିଧାନ ହୋଇଥିବା ବେଳେ ୩୬୯ରେ ଅଭିଯୁକ୍ତ ଖସି ଯାଇଛନ୍ତି। ଉକ୍ତ ବର୍ଷରେ ଦଣ୍ଡବିଧାନ ହାର ୦.୨୩ ପ୍ରତିଶତ ଥିଲା ବୋଲି ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରେ ଦର୍ଶାଯାଇଛି। ସେହିପରି ୨୦୧୫-୧୬ ବର୍ଷରେ ଦଣ୍ଡବିଧାନ ହାର ୦.୩୬ ପ୍ରତିଶତ ଥିବା ବେଳେ ୨୭ଟି ଦଣ୍ଡବିଧାନ ହୋଇଛି ଓ ୪୭୮ଟିରେ ଅଭିଯୁକ୍ତ ଖସି ଯାଇଛନ୍ତି। ଏସ୍ସି/ଏସ୍ଟି ଅତ୍ୟାଚାର ମାମଲାରେ ୨୦୧୪-୧୫ ବର୍ଷରେ ଦଣ୍ଡବିଧାନ ହାର ୦.୩୩ ପ୍ରତିଶତ ଥିବା ବେଳେ ଉକ୍ତ ବର୍ଷ ମାତ୍ର ୨୧ଟି ମାମଲାରେ ଦଣ୍ଡବିଧାନ ହୋଇଥିବା ବେଳେ ୪୯୨ଟିରେ ଅଭିଯୁକ୍ତ ଖଲାସ ହୋଇଛନ୍ତି।

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ହାଇପାୱାର ଭିଜିଲାନ୍ସ ଆଣ୍ଡ ମନିଟରିଂ କମିଟି, ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ଓ ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦ ରହିଛି। ଭିଜିଲାନ୍ସ ମନିଟରିଂ କମିଟି ଓ ଅନୁସୂଚିତ ଜାତି ପରାମର୍ଶଦାତା ବୋର୍ଡର ସର୍ବଶେଷ ବୈଠକ ୨୦୧୫ ଜୁନ୍ ମାସରେ ହୋଇଥିବା ବେଳେ ଜନଜାତି ପରାମର୍ଶଦାତା ପରିଷଦର ଶେଷ ବୈଠକ ୨୦୧୫ ମଇ ମାସରେ ଅନୁଷ୍ଠିତ ହୋଇଥିଲା। ଏହି ସଂସ୍କାର ବୈଠକ ବର୍ଷକରେ ସାଧାରଣତଃ ଦୁଇଥର ଅନୁଷ୍ଠିତ ହେବା କଥା। ତେବେ ବିଭିନ୍ନ ଅନିବାର୍ଯ୍ୟ କାରଣ ଯୋଗୁ ଏହି ବୈଠକ ନିର୍ଦ୍ଧାରିତ ସମୟ ମଧ୍ୟରେ ବସିପାରିନଥିବା ବେଳେ ପରବର୍ତ୍ତୀ ବୈଠକ ପାଇଁ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ସୂଚାଇଛନ୍ତି।

ଏସ୍ସି/ଏସ୍ଟି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ସମଗ୍ର ଦେଶରେ କମ୍ ରହିଥିବା ଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଏହି ଦୁଇ ବର୍ଗର ହୋଇଥିବା ପରିପ୍ରେକ୍ଷୀରେ ଯେପରି ଏହି ପଛୁଆ ବର୍ଗଙ୍କ ପ୍ରତି କୌଣସି ଅତ୍ୟାଚାର ନ ଘଟେ ସେ ଦିଗରେ ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବା କଥା। ଏହାଛଡ଼ା ଏହି ବର୍ଗର ନିରାପତ୍ତା ଲାଗି ଥିବା ପରାମର୍ଶଦାତା ବୋର୍ଡ, ପରିଷଦ ଓ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ପ୍ରାୟ ୨ ବର୍ଷ ଧରି ନ ହେବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଉଲ୍ଲେଖ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top