ଏମ.ସି.ଏଲ ବଳରାମ କୋଇଲା ଖଣିରେ ଅଚଳାବସ୍ଥା ଲୋକାଲ ସେଲରେ ଉଚିତ ଲୋଡିଂ ଦାବିରେ ଟ୍ରକ ମାଲିକଙ୍କ ଆନ୍ଦୋଳନ

ତାଳଚେର, ୧୨/୮( ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୪ ଦିନ ଧରି ଆନ୍ଦୋଳନ ଯୋଗୁଁ ତାଳଚେର ବଳରାମ ଓ ହିଙ୍ଗୁଳା କୋଇଲା ଖଣିରେ ଅଚଳାବସ୍ଥା। ଆସୋସିଏସନରେ ଲୋଡିଙ୍ଗ ସମସ୍ୟା ତୀବ୍ର, ପ୍ରଶାସନ ଅସହାୟ।

ତାଳଚେର ବଳରାମ ସେକ୍ଟର ଟ୍ରକ ମାଲିକମାନେ ତିନିଦିନ ଧରି ଚଳାଇ ଆସିଥିବା ଆନ୍ଦୋଳନ ଏବଂ ଧାରଣା ଆହୁରି ତୀବ୍ର ହୋଇଛି। ଜିଲ୍ଲା ପ୍ରଶାସନ, ଏମ.ସି.ଏଲ, ଗ୍ରାମ କମିଟି ଓ ଗାଡିମାଲିକମାନଙ୍କୁ ନେଇ ଗୋପାଲପ୍ରସାଦ ଫାଣ୍ଡିରେ ଏକ ସମାଧାନୀ ବୈଠକ ବସିଥିଲା। ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଏସ.ଡ଼ି.ପି.ଓ ହେମନ୍ତ କୁମାର ପଣ୍ଡା ଦୀର୍ଘ ସମୟ ଧରି ବୈଠକ କରିବା ସତ୍ୱେ କୌଣସି ଫଳାଫଳ ବାହାରି ପାରିଲାନାହିଁ।ପୁନର୍ବାର ଟ୍ରକ ମାଲିକମାନେ ଅସନ୍ତୁଷ୍ଟ ହୋଇ ପୂର୍ଵଵତ ଜ଼ିରୋ ପଏଣ୍ଟଠାରେ ଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି। ଫଳରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ଲୋକାଲ ସେଲ ପାଇଁ ଆବଶ୍ୟକ ପରିମାଣ କୋଇଲା ଯେ ପର୍ଯ୍ୟନ୍ତ ଖଣି ପ୍ରଶାସନ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ବଳରାମ ଟ୍ରକ ଆସୋସିଏସନ ଏମ.ସି.ଏଲ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ କରି ପରିବହନ ରାସ୍ତାକୁ ବନ୍ଦ କରିଥିଲେ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସହ ଗାଡି ଅଟକି ରହିଥିଲା।

ତାଳଚେର କୋଲୀଏରୀ ପୋଲିସ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା।ଶେଷରେ ପୋଲିସ ବାଧ୍ୟ ହୋଇ ଆନ୍ଦୋଳନରତ ବାଆଷଠି (୬୨) ଜଣ ଟ୍ରକ ମାଲିକଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିଲା। ତେବେ ଥାନାରୁ ମୁକୁଳିବା ପରେ ପୁଣି ଆନ୍ଦୋଳନ ବ୍ୟାପକ କରିଛନ୍ତି।

ଆନ୍ଦୋଳନକାରୀଙ୍କ କହିବା କଥା ସେମାନେ ଖଣି ଖନନ ପାଇଁ ଘରଦ୍ୱାର, ଜମିବାଡ଼ି ସର୍ଵସ୍ବ ହରାଇଛନ୍ତି। ଋଣ କରି ଟ୍ରକ ଆଣି କୋଇଲା ବ୍ୟବସାୟ କରୁଛନ୍ତି। ଏବେ ସେମାନଙ୍କୁ ଠିକ ଭାବେ କୋଇଲା ମିଳୁନି। ଏଣୁ ସେମାନେ ପ୍ରତିବାଦ କରୁଛନ୍ତି। ପ୍ରଶାସନ ସେମାନଙ୍କୁ ଗିରଫ କରିବା ଅନ୍ୟାୟ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *