ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ରର ମହିଳା କର୍ମଚାରୀଙ୍କ ନିମନ୍ତେ ଆଲୋଚନାଚକ୍ର

ତାଳଚେର, ୨୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସରକାରୀ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା (ୱମେନ୍ ଇନ୍ ପବ୍ଲିକ ସେକ୍ଟର)ଜଗନ୍ନାଥ କ୍ଷେତ୍ର ପକ୍ଷରୁ ଏହାର ମହିଳା କର୍ମଚାରୀଙ୍କ ନିମନ୍ତେ ‘ଲେଟସ ଟକ୍’ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ଦିନ ଗ୍ରୀନ୍ ଭ୍ୟାଲି କ୍ଲବ, ଅନନ୍ତ ବିହାରଠାରେ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଭାଗୀୟ ଡା.ଜି.ସି.ଘୋଷ ଏଥିରେ ଯୋଗ ଦେଇ ରଜୋନିବୃତ ଏବଂ କର୍ମଜୀବୀ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପରେପରେ ତାଳଚେରର ସହାୟକ ଜିଲ୍ଲାପାଳ ରଶ୍ମିତା ନାଥ ଆଲୋଚନାଚକ୍ରରେ ଯୋଗଦାନ କରି ସମାଜରେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସଂଘର୍ଷ ସମ୍ବନ୍ଧରେ ମତ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ଶ୍ରୀମତୀ ନାଥ ନିଜର ବ୍ୟକ୍ତିଗତ ଅନୁଭୁତି ସମ୍ପର୍କରେ ପ୍ରକାଶ କରି ବ୍ୟକ୍ତିଗତ ଜୀବନ ଏବଂ କର୍ମମୟ ଜୀବନ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଏ ସେ ବିଷୟରେ ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ। ବକ୍ତାମାନଙ୍କର ମତାମତରେ ପ୍ରଭାବିତ ହୋଇ ଜଗନ୍ନାଥ କ୍ଷେତ୍ରର ମହିଳାମାନେ ଆଗାମୀ ଦିନରେ ଏପରି ଆଲୋଚନାଚକ୍ର ଆୟୋଜନ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଏହି ଆଲୋଚନାଚକ୍ରରେ ଏହି କ୍ଷେତ୍ରର ୧ଶହ ମହିଳା କର୍ମଚାରୀ ଅଂଶଗ୍ରହଣ କରିଥିଲେ। ୱିପ୍ସ, ଜଗନ୍ନାଥ କ୍ଷେତ୍ର ମହିଳା କର୍ମଚାରୀଙ୍କର ବିକାଶ ନିମନ୍ତେ ଗଠିତ ହୋଇଛି ଏବଂ ଏଥିପ୍ରତି ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ରର ମହାପ୍ର୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକରଙ୍କର ବିଶେଷ ସହଯୋଗ ରହିଛି। ଶ୍ରୀଯୁକ୍ତ ବ୍ରହ୍ମପୁରକରଙ୍କର ସମ୍ପୂଣ୍ଣ ସମର୍ଥନ ଯୋଗୁଁ ଏପରି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇପାରିଛି। ଜଗନ୍ନାଥ କ୍ଷେତ୍ରର ଉପପ୍ରବନ୍ଧକ (କାର୍ମିକ)ଆଶାଜ୍ୟୋତି ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *