ଏମ୍.ସି.ଏଲ ଅଧିଗ୍ରୁହିତ ରଙ୍ଗମାଟିଆ ଓ ଏକଡାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ତାଳଚେର, ୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଦ୍ୱାରା ଅଧିଗ୍ରୁହିତ ତାଳଚେର ବ୍ଲକର ଏକଡାଳ ଓ ରଙ୍ଗମାଟିଆ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମିଳି ପାରୁନାହିଁ କ୍ଷତିପୂରଣ ଏବଂ କରାଯାଉନି ଥଇଥାନ ବ୍ୟବସ୍ଥା। ଏ କ୍ଷେତ୍ରରେ ଏମ୍.ସି.ଏଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକସ୍ତରରେ ବାରମ୍ବାର ବୈଠକ ଏବଂ ଆଲୋଚନା ଅନୁଷ୍ଠିତ ହୋଇସାରିଛି। କିନ୍ତୁ ଦିଆଯାଉଥିବା ପ୍ରତିଶ୍ରୁତିଗୁଡ଼ିକ କାଗଜ, କଲମରେ ସୀମିତ ରହୁଛି କୈାଣସି ସୁଫଳ ମିଳିନାହିଁ। ଏଣୁ ଉକ୍ତ ୨ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଚଳିତ ମାସ ୧୦ତାରିଖରେ ଭୂବନେଶ୍ୱରୀ, ଅନନ୍ତ ଏବଂ ଜଗନ୍ନାଥ ଖୋଲାମୁହାଁ କୋଇଲାଖଣି କାର୍ଯ୍ୟାଳୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, ତାଳଚେର ବ୍ଲକର ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ ଏକଡାଳ ଏବଂ ବ୍ରଜନାଥପୁର ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମ ୨୦୦୯ମସିହାରେ ଏମ୍.ସି.ଏଲ.ର ଜଗନ୍ନାଥ କ୍ଷେତ୍ର ଅଧିନସ୍ଥ ଅନନ୍ତ ସମ୍ପ୍ରସାରଣ କୋଇଲାଖଣି ପ୍ରକଳ୍ପ ଦ୍ୱାରା ଅଧିଗ୍ରୁହିତ ହୋଇସାରିଛି। ୪(୧) ଓ ୭(୧) କାର୍ଯ୍ୟ ହୋଇ ଗ୍ରାମ ଦ୍ୱୟର ଘରବାଡ଼ି, ଜମି ଆଦି ମାପ କାର୍ଯ୍ୟ ସମାପ୍ତ ହୋଇସାରିଛି। କିନ୍ତୁ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ କିମ୍ବା ଥଇଥାନ ବ୍ୟବସ୍ଥା କରାଯାଉନାହିଁ। କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ସେଥିପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ପ୍ରଜାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଚଳିତ ମାସ ୯ତାରିଖ ସୁଦ୍ଧା କୈାଣସି ପଦକ୍ଷେପ ନିଆନଗଲେ ବାଧ୍ୟ ହୋଇ ଖଣି କାର୍ଯ୍ୟାଳୟକୁ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଏମ.ସି.ଏଲ ସମେତ ପ୍ରଶାସନିକ ଏବଂ ପୋଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *