ଏମଏସପିକୁ ନେଇ କୃଷିମନ୍ତ୍ରୀଙ୍କ ବିଭ୍ରାନ୍ତକାରୀ ବକ୍ତବ୍ୟ ପ୍ରସଙ୍ଗରେ : ‘ମିଛୁଆଙ୍କୁ କୌଣସି ଉତ୍ତର ନାହିଁ’ : ବିଜେପି

– ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଆଜି ରାଜ୍ୟର ଚାଷୀସମୁହ ବହୁ ସୁବିଧା ସୁଯୋଗ ପାଇବରେ ବଂଚିତ ହେଉଛନ୍ତି
– ସଚିବାଳୟରେ ବସି ରହି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀପରିଷଦ କେବଳ ଭାଷଣବାଜି ଜରିଆରେ ରାଜ୍ୟର ଚାଷୀକୁଳଙ୍କୁ ବିଭ୍ରାନ୍ତ କରୁଛନ୍ତି

ଭୁବନେଶ୍ୱର, ତା ୦୩/୦୭ (ଓଡ଼ିଆ ପୁଅ) : କୃଷିଜାତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି। ନିଜର ଅପାରଗତା ଏବଂ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟରେ ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଛି। ବିହନ ଓ ସାର କିଣାରେ ବ୍ୟାପକ ଦୁର୍ନୀତି ଆଜି ସମଗ୍ର ଚାଷୀସମାଜ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଜଳସେଚନ ପାଇଁ ଚାଷୀଙ୍କୁ ବିଜୁଳି ଯୋଗାଇବାରେ ବିଫଳ ହୋଇଥିବା ଅପାରଗ ରାଜ୍ୟ ସରକାରଙ୍କ କାରଣରୁ ଖଇନୁ ବଗର୍ତ୍ତୀ ଭଳି ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି। ରବି କିମ୍ବା ଖରିଫ୍ ଋତୁରେ ଚାଷୀର ଉତ୍ପାଦିତ ଶସ୍ୟକୁ ବିକ୍ରି ପାଇଁ ମଣ୍ଡିର ଅଭାବ କାରଣରୁ ଆଜି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ମଣ୍ଡିରେ “କଟ୍ନି ଛଟନି”, ମିଲରମାନଙ୍କ ଦାଦାଗିରି ଏବଂ ପ୍ରଶାସନର ନୀରବତା, ରାଜ୍ୟ ସରକାରଙ୍କ ଯୋଗାଣ ଏବଂ ସମବାୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ, ଶେଷରେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ଅଧିକାରୀମାନଙ୍କ ଦୌରାତ୍ମରେ ପେଷି ହୋଇ ହନ୍ତସନ୍ତ ହେଉଥିବା ଚାଷୀମାନେ ଶେଷରେ ବାଧ୍ୟ ହୋଇ ନିଜ ଉତ୍ପାଦିତ ଧାନକୁ କ୍ୱିଂଟାଲ ପ୍ରତି ୭୦୦-୮୦୦ଟଙ୍କାରେ ବାହାର ବଜାରରେ ଅଭାବୀ ବିକ୍ରି କରୁଛି। ଏହା ସତ୍ୱେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହ କଡ ଶବ୍ଦରେ ସମାଲୋଚନା କରିଛନ୍ତି, ନିଜ ଦୋଷକୁ ଲୁଚାଇବା ପାଇଁ ରାଜ୍ୟ ସରକାର ପୁଣି ଥରେ ଚିରାଚରିତ ଭାବେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଆହୁରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ‘ମିଛୁଆଙ୍କୁ କୌଣସି ଉତ୍ତର ନାହିଁ’ ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର।

ମୋଦି ସରକାର କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରେ। କେନ୍ଦ୍ରରେ ମୋଦି ସରକାର ଦାୟୀତ୍ୱ ଗ୍ରହଣ କରିବା ପରେ ଚାଷୀମାନଙ୍କ ହିତ ପାଇଁ କାର୍ଯ୍ୟ କରିଚାଲିଛନ୍ତି। ୨୦୧୪ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୧୦ଟଙ୍କା ଥିବାବେଳେ ବର୍ତ୍ତମାନ ୧୫୫୦ଟଙ୍କା ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ମୃତିକା ସ୍ୱାସ୍ଥ୍ୟ କାର୍ଡ, ନିମ କୋଟେଡ ୟୁରିଆ, ଇ-ନାମ ଭଳି ବହୁ କୃଷକ ଓ କୃଷି କଲ୍ୟାଣ ଯୋଜନାର କାର୍ଯ୍ୟାରମ୍ଭ କରିଛନ୍ତି, ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଆଜି ଚାଷୀସମୁହ ଏ ସମସ୍ତ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ସୋହେଲାଠାରେ ଧାନ କ୍ୱିଂଟାଲ ପ୍ରତି ୧୦୦ଟଙ୍କା ବୋନସ ଘୋଷଣା କରିବା ବର୍ତ୍ତମାନ ମଧ୍ୟ ପ୍ରହେଳିକାରେ ପରିଣତ ହୋଇରହିଛି। ସଚିବାଳୟରେ ବସି ରହି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀପରିଷଦ କେବଳ ଭାଷଣବାଜି ଜରିଆରେ ରାଜ୍ୟର ଚାଷୀକୁଳଙ୍କୁ ବିଭ୍ରାନ୍ତ କରୁଛନ୍ତି। ସରଜମିନ୍କୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରି ଚାଷୀକୁଳର ହିତ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *