ଏମଏସଏମଇ ଉଦ୍ୟୋଗ ପାଇଁ କେନ୍ଦ୍ର ସରକାର ଦେବେ ୪୦ ରୁ ୪୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟି

– ୫ ଲକ୍ଷରୁ ଅଧିକ ଛୋଟ, ମଧ୍ୟମ ଉଦ୍ୟୋଗୀଙ୍କୁ କ୍ରେଡିଟ ଲିଙ୍କେଜର ବ୍ୟବସ୍ଥା
– ଓଡିଶାରେ କ୍ଷୁଦ୍ର ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ୱ
– ଗଞ୍ଜାମରେ ପାଇଲଟ ସୁବାଷିତ ଶିଳ୍ପ ୟୁନିଟ ପ୍ରତିଷ୍ଠା ପାଇଁ ଯୋଜନା
– ଦେଶରେ ଖୋଲିବ ଆଉ ୧୫ଟି କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟର

ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କମାନଙ୍କୁ ୪୦ ରୁ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଂଟି ଯୋଗାଇ ଦେବେ। ଏହାଦ୍ୱାରା ଛୋଟ, ମଧ୍ୟମ ଓ ସୂକ୍ଷ୍ମ ଉଦ୍ୟୋଗକୁ ଋଣ ସହାୟତାର ପ୍ରବାହ ବୃଦ୍ଧି ପାଇବ ଏବଂ ଦେଶର ବିଭିନ୍ନ ଅଂଚଳରେ ଏହି ଉଦ୍ୟୋଗର ସଂଖ୍ୟା ବଢ଼ିବ ତଥା ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତବର୍ଷ ସୁଦ୍ଧା କେନ୍ଦ୍ର ସୂକ୍ଷ୍ମ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୫ ଲକ୍ଷରୁ ଅଧିକ ଛୋଟ ଓ ମଧ୍ୟମ ଉଦ୍ୟୋଗୀଙ୍କୁ କ୍ରେଡିଟ ଲିଙ୍କେଜର ବ୍ୟବସ୍ଥା କରାଯାଇଛି।

ଗୁରୁବାର (୧୨.୦୭.୨୦୧୮) ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟରଠାରେ ଏକ ବୁଝାମଣା ସ୍ୱାକ୍ଷର ସମାରୋହରେ କେନ୍ଦ୍ର ସୂକ୍ଷ୍ମ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଡଃ ଅରୁଣ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଓ ସୂକ୍ଷ୍ମ ଉଦ୍ୟୋଗକୁ କିଭଳି ଅଧିକ ଋଣ ସହାୟତା ମିଳିପାରିବ ସେଥିଲାଗି ଆଜି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାର ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ସଂଗଠନ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଏପରିକି ଜିଏସଟି ବ୍ୟବସ୍ଥା ଅଧିନରେ ଏମଏସଏମଇ ସେକ୍ଟରକୁ ସୁବିଧା ଏବଂ ଏହିସବୁ ଉଦ୍ୟୋଗ ପାଇଁ ଭଲ ବଜାର ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତାକାଲି ସେ ପୃଥକଭାବେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନଙ୍କ ସହ ପୁଣି ଥରେ ଏ ବିଷୟ ନେଇ ଆଲୋଚନା କରିବେ। ସେ କହିଥିଲେ ଯେ, ଦେଶର ୧୧୭ଟି ଅନଗ୍ରସର/ ଅଭିଳାଷୀ / ଆକାଂକ୍ଷୀ ଜିଲ୍ଲାରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ଶିଳ୍ପପୁଞ୍ଜ ବା କ୍ଲଷ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉଛି। ଓଡିଶାର ୧୦ଟି ଏହିଭଳି ଆକାଂକ୍ଷୀ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା ଲାଗି ପ୍ରୟାସ ହେଉଛି।

କେନ୍ଦ୍ର ସଚିବ ଡଃ ପଣ୍ଡା କହିଥିଲେ ଯେ, ବର୍ତମାନ ଦେଶରେ ୧୮ଟି କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟର ରହିଥିବା ବେଳେ ଭୁବନେଶ୍ୱର, ଔରଙ୍ଗାବାଦ ଓ ମୁମ୍ବାଇ ଟୁଲରୁମ ଓ ଟ୍ରେନିଂ କେନ୍ଦ୍ରକୁ ଆନ୍ତର୍ଜାତିକସ୍ତରରେ ମାନ୍ୟତା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ଆଉ ୧୫ଟି କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟର ପ୍ରତିଷ୍ଠା କରାଯିବ। ସେଥିମଧ୍ୟରୁ ଓଡିଶାର ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ ଗୋଟିଏ ଅତ୍ୟାଧୁନିକ ଟୁଲରୁମ ଓ ଟ୍ରେନିଂ ସେଂଟର ଖୋଲିବା ପାଇଁ ବିଚାର କରାଯିବ। ଏହାଦ୍ୱାରା ସ୍ଥାନିୟ ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ଉଚ୍ଚକୋଟୀର ତାଲିମ ପ୍ରଦାନ କରାଯାଇପାରିବ ଏବଂ ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।

ସେହିଭଳି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ କ୍ଲଷ୍ଟର ଖୋଲିବା ଲାଗି ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷ ବହୁଳ ପରିମାଣରେ କରାଯାଉଥିବାରୁ ସେଠାରେ ସୁବାଷିତ ଓ ସୁଗନ୍ଧିତ ଉଦ୍ୟୋଗ କ୍ଷେତ୍ରରେ ଛୋଟ ଛୋଟ କ୍ଲଷ୍ଟରମାନ ଖୋଲିବା ପାଇଁ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଯୋଜନା ହୋଇଛି ବୋଲି ଡଃ ପଣ୍ଡା କହିଥିଲେ।

ସେ କହିଥିଲେ ଯେ, ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ସମ୍ପର୍କ ନାମରେ ଏକ ପୋର୍ଟାଲ ଖୋଲାଯାଇଛି। ଏହି ପୋର୍ଟାଲରେ ବର୍ତମାନ ସୁଦ୍ଧା ୪, ୪୦୦ ନିଯୁକ୍ତି ପ୍ରଦାନକାରୀ ଶିଳ୍ପଦ୍ୟୋଗ ପଞ୍ଜିକରଣ କରିସାରିଛନ୍ତି। ଏହାଛଡା କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟର ଭଳି ଅନୁଷ୍ଠାନରେ ପ୍ରଶିକ୍ଷଣ ନେଇଥିବା ୪ ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଛନ୍ତି। ଏହି ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରଶିକ୍ଷିତ ବା ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ବ୍ୟାପକ ସୁଯୋଗ ମିଳିପାରିବ ବୋଲି ଡଃ ପଣ୍ଡା କହିଥିଲେ।

ଆଜି ଏହି ଅବସରରେ କେନ୍ଦ୍ରୀୟ ଟୁଲରୁମ ଓ ଟ୍ରେନିଂ ସେଂଟର – ସିଟିଟିସି ଏବଂ ଟାଟା ଷ୍ଟିଲ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାରେ ସିଟିଟିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିବାଶିଷ ମାଇତିି ଏବଂ ଟାଟା ଷ୍ଟିଲ ପକ୍ଷରୁ ଏହାର ମାନବ ସମ୍ବଳ ବିଭାଗ ଉପସଭାପତି ସୁରେଶ ତ୍ରିପାଠୀ ସ୍ୱାକ୍ଷର କରିଥିଲେ।

Leave a Reply

Your email address will not be published. Required fields are marked *