ଏବେ ନଅ ଦିନର କୁଣିଆ ପତିତପାବନ

ରାଉରକେଲା ୧୭-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଶ୍ରୀମନ୍ଦିରର ରତ୍ନବେଦୀ, ସୁଆଦିଆ ଛପନଭୋଗକୁ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଭକ୍ତଙ୍କ ମେଳରେ ରଥରେ ତିନି ଠାକୁର ପହଂଚିସାରିଛନ୍ତି ମାଉସୀ ମା’ଘର। ବହୁ ଦିନର ଅନ୍ତରାଳ ପରେ ମାଉସୀ ମା’ଙ୍କୁ ଦେଖିବାକୁ ପାଇଛନ୍ତି ତିନି ଠାକୁର। ମାଉସୀ ଘରେ ୯ ଦିନର କୁଣିଆ ଭାବେ ଲିଳା କରିବେ ପତିତପାବନ ଶ୍ରୀ ଜଗନ୍ନାଥ। ସାରନଗରୀ ‘ଇ’ ବ୍ଲକ, ରଙ୍ଗିଲା ଛକ ସ୍ଥିତ ମାଉସୀ ମା’ ମନ୍ଦିର, ଦେଓଗାଁ ଧବଳେଶ୍ୱର ମନ୍ଦିର ପରିସର, ସାରନଗରୀ ମା’ ତାରିଣୀ ମନ୍ଦିର ପରିସର, ଅସୁରଛପଲ ସ୍ଥିତ ମାଉସୀ ମା’ ଘରେ ଅବସ୍ଥାନ କରିବେ ତିନି ଠାକୁର। ଶ୍ରଦ୍ଧାଳୁ ମାନେ ଏହି ୯ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମାଉସୀ ମା’ ମନ୍ଦିରରେ ଦର୍ଶନ କରି ମହାପ୍ରଭୁ ବଳିଆର ଭୁଜଙ୍କ ଅପାର କରୁଣା ଲାଭ କରିବେ। ଦକ୍ଷିଣ ରାଉରକେଲାର ବିଭିନ୍ନ ମାଉସୀ ମା’ ମନ୍ଦିରରେ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି ଭଜନ, କୀର୍ତନ, ପ୍ରବଚନ ଆଦିର ଆୟୋଜନ କରାଯିବ। ରବିବାର ସଂଧ୍ୟା ୭ଟାରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁବିଖ୍ୟାତ ପଣ୍ଡିତ ଭକ୍ତ ବିନୋଦ ବିପିନ ବିହାରୀ ଓ ସାଥୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ପ୍ରବଚନ ଶୁଣିବା ଲାଗି ସାରନଗରୀ ସମେତ ଆଖପାଖ ଅଂଚଳର ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା। ୧୮ ଓ ୧୯ ତାରିଖରେ ଗାୟକ ଶ୍ରୀକାନ୍ତ ରାଉତରାୟ ଏବଂ ସାଥୀ ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯିବ। ୨୦ ତାରିଖରେ ସାରନଗରୀ ସ୍ଥିତ ବିଜୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୨୧ ତାରିଖରେ କୁନା ଓ ସାଥୀଙ୍କ ପକ୍ଷରୁ ହରିହାଟ ଓ ସଙ୍କିର୍ତନର ଆୟୋଜନ କରାଯାଇଛି। ଶେଷ ଦିନରେ ରିତିନୀତି ଅନୁଯାୟୀ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି ସାରନଗରୀ ‘ଇ’ ବ୍ଲକ ସ୍ଥିତ ଶ୍ରୀ ଗୁଣ୍ଡିଚା ମା’ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦକ୍ଷିଣ ରାଉରକେଲାର ଅନ୍ୟ ଗୁଣ୍ଡିଚା ମନ୍ଦିରରେ ସଂଧ୍ୟାରେ ମଙ୍ଗଳ ଆରତୀ, ଅନ୍ନଭୋଗ, ଗୀତ ଗୋବିନ୍ଦ ପାଠ, କୀର୍ତନ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଜାଗାରେ ଭକ୍ତ ମାନଙ୍କ ପାଇଁ ଅଭଡ଼ା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମାଉସୀ ମା’ ମନ୍ଦିରରେ ଭକ୍ତ ମାନଙ୍କୁ ସେବା ଯୋଗାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଟାଙ୍ଗରପାଲ୍ଲୀ ଥାନାର ନୂତନ ଥାନାଧିକାରୀ ପଦ୍ମସିନୀ ମେହେରଙ୍କ ତତ୍ୱାବଧାନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶାନ୍ତି ଶୃଖଂଳା କରିବା ଲାଗି ପୁଲିସ କର୍ମୀ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *