ଏପଟେ ଘଂଚ ଜଙ୍ଗଲ ସେପଟେ ନଈ – ମଝିରେ ବିତୁଛି ମାରଡ଼ା ବାସୀ ଙ୍କ ଅନ୍ଧାରୀ ଜୀବନ

ବୌଦ୍ଧ,୩୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଛି ବୌଦ୍ଧ ଜିଲ୍ଲା ର ଉପାନ୍ତ ରାଜସ୍ୱ ଗ୍ରାମ ମାରଡା । ରାଜ ରାଜୁଡା ରେ ତିନି ପୁରୁଷ ପୁର୍ବରୁ ଗଢି ଉଠିଥିଲା ଏହି ଗ୍ରାମର ବସତି । ସଂପ୍ରତି ଏହି ଗ୍ରାମରେ ବସବାସ କରି ରହୁଛନ୍ତି ୨୮ ଟି ପରିବାରର ପ୍ରାୟ ୧ଶହ ରୁ ଉର୍ଦ୍ଧ ସଦସ୍ୟ । ଓଡିଶା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ରୁପେ ଜଣାଶୁଣା ଟିକରପଡା ର ମହାନଦୀ ଅପରପାଶ୍ୱର୍ରେ ରହିଛି ଏହି ମାରଡା ଗ୍ରାମ । ଏହି ଗ୍ରାମର ଗୋଟିଏ ପଟେ ରହିଛି ନିଘଞ୍ଚ ଅଭୟାରଣ୍ୟ ଯେଉଁଠି ରୁହନ୍ତି ବନ୍ୟ ହିଂସ୍ରଜନ୍ତୁ ଅନ୍ୟପଟେ ଗାଁ ର ୫୦ ମିଟର ଦୂର ଦେଇ ବହିଯାଇଛି ମହାନଦୀର ସାତକୋଶିଆ ଗଣ୍ଡ । ଯେଉଁ ଗଣ୍ଡ ରେ ରହିଛନ୍ତି ଅନେକ ଘଡିଆଳ ଓ ଗୋମୁହାଁ ଆଦି ବିରଳ ପ୍ରଜାତିର କୁମ୍ଭିର । ତେବେ ସବୁଠାରୁ ଦଃୁଖର କଥା ହେଲା ପୁର୍ବ ପୁରୁଷାନୁକ୍ରମେ ସେହି ଗ୍ରାମର ଲୋକେ ଯାତାୟତ କରୁଥିବା ଏ÷÷୍ୟତିହାସିକ ଜଗନ୍ନାଥ ସଡକ କୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର ଏରିଆ ଦର୍ଶାଇ ବନ୍ୟପ୍ରାଣୀ ବନ ବିଭାଗ ପକ୍ଷରୁ ଗତ ୩ ବର୍ଷ ହେଲା ଯାନବାହାନ ଚଳାଚଳ ଉପରେ ସଂପୁର୍ଣ୍ଣ କଟକଣା କରିବାରୁ ମାରଡା ଗ୍ରାମ ର ଲୋକେ ପ୍ରତିମାସରେ ଘଂଚ ଜଙ୍ଗଲ ପାହାଡିଆ ଦୁର୍ଗମ ରାସ୍ତା ଦେଇ କୁଶଙ୍ଗ ପଞ୍ଚାୟତ କାର୍ଯ୍ୟଳୟ କୁ ଚାଉଳ , କିରୋସିନି ନେବାପାଇଁ ୪୪ କିମି ବାଟ ଚାଲି ଚାଲି ଯିବା ଆସିବା କରିବାକୁ ବାଧ୍ୟ ହେଉଥିବା ଭଳି ଅଭାବନୀୟ ସ୍ଥିତି ଦେଖାଦେଇଛି । ସେହିଭଳି ପଂଚାୟତ କାର୍ଯ୍ୟାଳୟ କୁ ଭତ୍ତା ନେବାପାଇଁ ପ୍ରତି ମାସର ଏକ ନିର୍ଦିଷ୍ଟ ଦିନ ଅସହାୟ ବୃଦ୍ଧ ,ବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମ ମାନେ ଅତି ଦୟନୀୟ ଭାବେ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବା ଆସିବା ସମୟରେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଗତ ୨ ବର୍ଷ ତଳେ ଗ୍ରାମରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟରେ କେବଳ ୫ ଜଣ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବିଭାଗୀୟ କର୍ତୁପକ୍ଷ ବିଦ୍ୟାଳୟ ଟିକୁ ବନ୍ଦ କରି ଦେଇଥିଲେ । ମାତ୍ର ପରବର୍ତି ବର୍ଷ ଗ୍ରାମରେ ୧୩ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢିବା ପାଇଁ ନାମ ଲେଖାଇବା କୁ ବାହାରିଥିଲେ ମଧ୍ୟ କର୍ତୁପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ନେଇ ନଥିବା ଯୋଗୁଁ ଶିକ୍ଷା ଦାନରୁ ସେମାନେ ବଂଚିତ ହୋଇଥିବା ଜଣାଯାଇଛି । ସରକାରୀ ରେକର୍ଡ ରେ ମାରଡା ଗ୍ରାମଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ରେ ରହିଥିବା ସତ୍ୱେ ସେହି ଗ୍ରାମର ଲୋକେ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପାଇଁ ମହାନଦୀ ଆରପଟେ ଥିବା ଟିକରପଡା ଓ ଅନୁଗୋଳ ଉପରେ ନିର୍ଭର କରିଥାନ୍ତି । ମୁଖ୍ୟତ ବର୍ଷାଦିନେ ମହାନଦୀ ରେ ଅଧିକ ଜଳ ପ୍ରବାହିତ ହୋଇ ଭୟାଭହ ବନ୍ୟା ଦେଖାଦେଲେ ଏହି ଗ୍ରାମ ଅଧିକାଂଶ ସମୟରେ ବାହ୍ୟ ଜଗତରୁ ସଂପୁର୍ଣ୍ଣରୁପେ ବିଛିନ୍ନ ହୋଇପଡିଥାଏ । ହେଲେ ଏହି ମାରଡା ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ମାନେ ଅନେକ ସର୍ବନିମ୍ନ ମୈଳିକ ଅଧିକାର ରୁ ବଂଚିତ ହେବା ସହିତ ଅନେକ ସମସ୍ୟା ଦେଇ କାଳାତିପାତ କରିଆସୁଥିଲେ ମଧ୍ୟ ସେମାନେ କେବେହେଲେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଦାୟୀ କରନ୍ତି ନାହାନ୍ତିା ଓଲଟି ଆମେ ନିଜ ମାଟିରେ ଯେମିତି ଅଛୁ ବହୁତ ଖୁସିରେ ଅଛୁ ଓ ରହିବୁ ବୋଲି କହନ୍ତି । ମାତ୍ର ଗତ କିଛି ମାସ ହେଲା ବିଭିନ୍ନ ସମୟରେ ତାଙ୍କ ଗାଁ କୁ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବିଭାଗ ର କେତେକ ବରିଷ୍ଠ ଅଧିକାରୀ ଆସି ସରକାରଙ୍କ ନିୟମ ଅନୁଯାଇ ସଂରକ୍ଷିତ ଅଭୟାରଣ୍ୟ ର କୋର ଏରିଆ ମଧ୍ୟରେ ଏହି ଗ୍ରାମ ଆସୁଛି ତେଣୁ ଏଠାରେ କେହି ବସବାସ କରିପାରିବେ ନାହିଁ କହୁଥିବା ବେଳେ ସେହିପରି ଏହି ଗାଁକୁ ଅନେକ ସମୟରେ ଜିଲ୍ଲା ପ୍ରଶାସନ ର କେତେକ ଅଧିକାରୀ ଆସି ଏ ଅଂଚଳରେ ମଣିଭଦ୍ରା ବ୍ୟାରେଜ ନିର୍ମାଣ କରିବାକୁ ସରକାରୀ ସ୍ତରରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିବା କହିବା ସହିତ ବିସ୍ଥାପିତ ପରିବାର ଙ୍କୁ ଜମି ଓ ଘରଡିହ ଦେଇ ଥଇଥାନ କରାଯିବା ସଙ୍ଗେ ସଙ୍ଗେ ଆର୍ଥିକ ସହାୟତା ଦିଆଯିବା ର କୁଆଡେ ପ୍ରଲୋଭନ ଦେଖାଇ ଗ୍ରାମବାସୀ ଙ୍କୁ ସାମୁହିକ ଭାବେ ଏଠାରୁ ବିସ୍ଥାପିତ ହେବାକୁ ଚାପ ପ୍ରୟୋଗ କରାଯାଉଥିବା ନେଇ ମାରଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *