ତାଳଚେର, ୨୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ତରଫରୁ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଫିଟ୍ନେସ ପଦଯାତ୍ରା ଡିଏଭି ସ୍କୁଲ ପରିସରରୁ ପିଟିଏସ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପଦଯାତ୍ରାରେ ଷ୍ଟେସନ ହେଡ଼ ଦାୟିତ୍ୱରେ ଥିବା ତଥା ଜିଏମ୍ (ଓ ଆଣ୍ଡ ଏମ୍) ଏ.କେ.ତ୍ରିପାଠୀ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ, ତନଭି ସଙ୍ଗମର ସଦସ୍ୟାଗଣ, କର୍ମଚାରୀ, ପରିବାରବର୍ଗ, ସିଆଇଏସଏଫର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ, ସ୍କୁଲ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନେ ସୁସ୍ଥ ଶରୀର ଏବଂ ମନ ପାଇଁ ଯୋଗର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ସ୍ଲୋଗାନ ଓ ବାର୍ତ୍ତା ମାଧ୍ୟମରେ ସଚେତନତା କରିଥିଲେ। ଏହି ଫିଟନେସ୍ ଯାତ୍ରା ପରେ ପରେ ସାମୁହିକ ଯୋଗାଭ୍ୟାସ ଶିବିରର ଆୟୋଜନ କରା ଯାଇଥିଲା। ଯୋଗ ପ୍ରଶିକ୍ଷକ ବ୍ୟାସ ମିଶ୍ର ଏବଂ ତରୁଣ କୁମାର ବାରିକ ବିିଭିନ୍ନ ଯୋଗାସନ ପ୍ରଦର୍ଶିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିଜିଏମ୍ (ଏଚ ଆର) ପି.କେ.ସାହୁ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ସ୍ୱାଗତ କରିବାସହ ବିଶ୍ୱ ଯୋଗ ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ସାହୁ ‘ଯୋଗ ଜୀବନର ଏକ ଅଂଶ’ ସମ୍ବନ୍ଧରେ ବକ୍ତୃତା ପ୍ରଦାନ କରିଥିଲେ। ପରିଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯିବାକୁ ନିଷ୍ପତି ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବ୍ୟକ୍ତି ଭାଗ ନେଇ ଏହାକୁ ସଫଳ କରାଇଥିଲେ।
