ଏନ୍.ଟି.ପି.ସି କଣିହାଁରେ ଠିକା ନିଯୁକ୍ତି ଦାବିରେ ବନ୍ତୋଲ ଜମି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ତାଳଚେର, ୨୧/୫(ଓଡ଼ିଆ ପୁଅ.ଅଜିତ କୁମାର ବେହେରା): ସୋମବାର ସକାଳ ୬ ଟାରୁ ଏନ୍.ଟି.ପି.ସି କଣିହାଁ ଦ୍ୱାରା ବନ୍ତୋଲ ଗ୍ରାମ ପଂଚାୟତର ଅଧିକୃତ ଚାଷ ଜମି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ପ୍ରଦାନରେ ଅବହେଳା ପ୍ରତିବାଦରେ ଏନ୍.ଟି.ପି.ସି ରେଳଧାରଣାରେ ଆନ୍ଦୋଳନ କରାଯାଇଥିଲା। ବନ୍ତୋଲ କ୍ଷତିଗ୍ରସ୍ତ ପ୍ରଜାସଂଘ ନେତୃତ୍ୱରେ ସରୋଜ କୁମାର ରଥ, କାହ୍ନୁଚରଣ ରଥ, ଶୁଭେନ୍ଦୁ କୁମାର ରଥ, ଦେବାଶିଷ ବିଶ୍ୱାଳ, ଶିବୁ ନାରାୟଣ ରଥ ଏବଂ ଅନ୍ୟମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରାୟ ୨ ଘଂଟା କାଳ ଏନ୍.ଟି.ପି.ସି.କୁ କୋଇଲା ଟ୍ରେନ୍ ଚଳାଚଳ ବନ୍ଦ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏନ୍.ଟି.ପି.ସି କଣିହାଁ ଦ୍ୱାରା କୋଇଲା ପରିବହନ ନିମନ୍ତେ ନିର୍ମିତ ରେଳପଥ ଯୋଗୁଁ ବନ୍ତୋଲ ଗ୍ରାମ ପଂଚାୟତର ଅଧିକୃତ ଚାଷ ଜମି ପ୍ରାୟ ୩୦ବର୍ଷ ହେବ ଅଧିଗୃହୀତ ହୋଇଛି। ସେତେବେଳେ ଏନ୍.ଟି.ପି.ସି କଣିହାଁ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ଲାଂଟରେ ଚୁକ୍ତିଭିତିକ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଅଧ୍ୟାବଧି ସେମାନଙ୍କୁ ଠିକା ନିଯୁକ୍ତି ମିଳି ପାରିନାହିଁ। ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ଧାରଣା ସହ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାସତ୍ୱେ ପ୍ଲାଂଟ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ନେଉନାହାନ୍ତି। ବାହାର ଲୋକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। କିନ୍ତୁ ସେମାନଙ୍କର ଉପଯୁକ୍ତ ଶିକ୍ଷାଗତ ଥିଲେ ମଧ୍ୟ ଠିକା ନିଯୁକ୍ତି ମିଳୁନାହିଁ ସେମାନେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଶାସନ ମଧ୍ୟସ୍ଥତାରେ ଜମିହରା ପ୍ରଜା ଏବଂ ଏନ୍.ଟି.ପି.ସି କଣିହାଁ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ ୧ ଘଂଟା କାଳ ଆଲୋଚନା ହୋଇଥିଲା। ତେବେ ପ୍ଲାଂଟର ଉଚ୍ଚ କର୍ତ୍ତୃପକ୍ଷ ଏହି ବୈଠକରେ ଅନୁପସ୍ଥିତ ରହିବାରୁ ତାଳଚେର ଉପଜିଲ୍ଲାପାଳ ଆଗାମୀ ଜୁନ୍ ୫ତାରିଖ ସୁଦ୍ଧା ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକାରୀ ମାନେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *