ଏନ୍ ଜିଓସିସି ସହ ସହବନ୍ଧିତ ସଂଗଠନ ତରଫରୁ ସରକାରଙ୍କୁ ଚେତାବନୀ ଏକ ମାସ ମଧ୍ୟରେ ୭ମ ବେତନ କମିଶନ ଲାଗୁ କର, ନଚେତ୍ ଆନ୍ଦୋଳନ

ଭୁବନେଶ୍ୱର, ୮/୫ (ଓଡ଼ିଆ ପୁଅ) : ରାଜ୍ୟର ସବୁ ବର୍ଗର କର୍ମଚାରୀ ଏକାଠି ହୋଇ ସରକାରଙ୍କ ଉପରେ ଚାପ ସୃଷ୍ଟି କଲେ ଫିଟ୍ ମେଣ୍ଟ କମିଟି ସମୟ ଗଡ଼ାଇବା ପରିବର୍ତ୍ତେ ଅତିଶୀଘ୍ର କର୍ମଚାରୀଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବ ଓ ନିର୍ଦ୍ଧାରିତ ୪୫ଦିନ ମଧ୍ୟରେ ଫିଟ୍ ମେଣ୍ଟ କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ ନକଲେ ରାଜ୍ୟର ସମସ୍ତ ସଙ୍ଗଠନ ଏକତ୍ରିତ ହୋଇ ଆନ୍ଦୋଳନ ଜରିଆରେ ସରକାରଙ୍କୁ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିପାରିବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଅତିଥି ଭାବେ ଯୋଗଦେଇ କହିଛନ୍ତି। କର୍ମଚାରୀ ନେତା ଗଗନ ଭଞ୍ଜଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ ପରିସରରେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ସହ ସହବନ୍ଧିତ ସଂଗଠନ ତରଫରୁ ଅନୁଷ୍ଠିତ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଧାୟକ ବିଜୟ କୁମାର ମହାନ୍ତି ଯୋଗଦେଇ କହିଛନ୍ତି ଯେ, କର୍ମଚାରୀଙ୍କ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ତେବେ ୭ମ ବେତନ କମିଶନ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ କିପରି ଅତିଶୀଘ୍ର ଲାଗୁ ହୋଇପାରିବ, ସେଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେବାସହ ଫିଟ୍ ମେଣ୍ଟ କମିଟି ଯେଉଁ ୪୫ଦିନ ସମୟ ନେଇଛନ୍ତି କର୍ମଚାରୀମାନେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ସମସ୍ତ ବର୍ଗର କର୍ମଚାରୀ ଓ ଶିକ୍ଷକଙ୍କ କ୍ଷେତ୍ରରେ ୭ମ ବେତନ କମିଶନ ସୁପାରିଶ ନେଇ ଗଠିତ ଫିଟ୍ ମେଣ୍ଟ କମିଟି ସରକାରଙ୍କୁ ରିପୋର୍ଟ ଦେବାରେ ବାରମ୍ବାର ସମୟ ଗଡ଼ାଇ ଚାଲିଥିବାରୁ ଓ ଅନ୍ୟାନ୍ୟ ୮ଦଫା ଦାବି ନେଇ ସରକାରଙ୍କ ଅହେତୁକ ବିଳମ୍ବତା ଯୋଗୁଁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ସହ ସହବନ୍ଧିତ ସଂଗଠନ ଓ ବିଭିନ୍ନ କର୍ମଚାରୀ ସଂଗଠନର ନେତୃବୃନ୍ଦମାନେ ସରକାରଙ୍କ ନକମରାତ୍ମକ ନୀତିକୁ ନାପସନ୍ଦ କରିଛନ୍ତି। ତେବେ ଫିଟ୍ ମେଣ୍ଟ କମିଟି ୪୫ଦିନ ମଧ୍ୟରେ କର୍ମଚାରୀଙ୍କ ଦରମାରେ ଥିବା ଅସଂଗତି ଦୂର କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ନକଲେ ତେବେ ପରବର୍ତ୍ତୀ ସମୟରେ ଭୟାନକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଭିନ୍ନ ସଂଗଠନର କର୍ମଚାରୀ ନେତା ସର୍ବଶ୍ରୀ ସୁଧାଂଶୁ ପତି, କାଶୀନାଥ ଦେହୁରୀ, ପ୍ରମୋଦ ପ୍ରଧାନ, ଗଙ୍ଗାଧର ସ୍ୱାଇଁ, କୈଳାସ ମଲ୍ଲିକ, ଅଖିଳ ନାୟକ, କୃଷ୍ଣଚନ୍ଦ୍ର ନାୟକ, ସୁବାଷ କର, ଝଞ୍ଜାମୟୀ ମହାପାତ୍ର, ସଂଗ୍ରାମ ସମିତିର ସାଧାରଣ ସମ୍ପାଦକ ପ୍ରଭାତ ମହାନ୍ତି, ଜି.ଇ.ସି. ନେତା କ୍ଷେତ୍ରମୋହନ ଦାସ, ପ୍ରଭାକର ସ୍ୱାଇଁ, ଅଶୋକ ରଣଜିତ୍, ଆଶୀଷ ନନ୍ଦ, ଅମୀୟ କୁମାର ସେଠୀ, ସୁରେଶ ସ୍ୱାଇଁ ଓ ଏହାଛଡ଼ା ଆୟୁର୍ବେଦିକ ସଂଗଠନ, ହୋମିଓପାଥିକ ସଂଘ, ହେଲଥ୍ ସୁପରଭାଇଜର ସଂଘ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସଂଗଠନର ବିଭିନ୍ନ ଦାବିମାନ ମଧ୍ୟରେ କର୍ମଚାରୀ ଓ ଶିକ୍ଷକଙ୍କ ଦରମା ଓ ଭତ୍ତାରେ ଥିବା ଅସଙ୍ଗତି ଦୂର କରିବା, ସର୍ବନିମ୍ନ ଓ ସର୍ବୋଚ୍ଚ ଦରମା ହାର ୧:୮ ହାରରେ ରଖାଯିବା, ୭ମ ବେତନ କମିଶନ ଲାଗୁ କରିବା ନେଇ ବିଧିବଦ୍ଧ ଘୋଷଣା, ସମସ୍ତ ବର୍ଗର ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ଓ ପେନ୍ ସନ୍ ଭୋଗୀ କର୍ମଚାରୀ ଭାବେ ଗଣ୍ୟ କରିବା, ଗ୍ରୁପ୍ ‘ଡି’ ବର୍ଗର କର୍ମଚାରୀଙ୍କ ମୂଳଦରମା ପି.ବି-୧କୁ ଧାର୍ଯ୍ୟ କରି କେନ୍ଦ୍ରୀୟ ହାରରେ ପ୍ରଦାନ ଓ ଅବସର ବୟସ ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷକୁ ବୃଦ୍ଧି, ସମସ୍ତ ବର୍ଗର କର୍ମଚାରୀଙ୍କ ଆର.ଏ.ସି.ପି.ରେ ଥିବା ଅସଂଗତି ଦୂର, ଠିକାରେ ନିଯୁକ୍ତି ଷ୍ଟାଫ୍ ନର୍ସକୁ ନିୟମିତ କରିବା, ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଅମଲା କର୍ମଚାରୀଙ୍କ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଡିଗ୍ରୀ କରିବା, ବିଭିନ୍ନ ବିଭାଗରେ ଠିକା ଓ ଡେଲିୱେଜେସ୍ ରେ ଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଜିଲ୍ଲାର ଜିଲ୍ଲାପାଳମାନେ କନିଷ୍ଠ କିରାଣୀ ଓ ଅମିନମାନଙ୍କୁ ନିୟମିତ ପଦବୀରେ ନିଯୁକ୍ତି ଦେଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଏହି ନିଯୁକ୍ତିରେ ଯେଉଁ ଅସ୍ଥିରତା ସୃଷ୍ଟି କରିଛି, ଏହାର ଦୂରୀକରଣ, ଟେମ୍ପୋରାରୀ ଷ୍ଟାଟସ୍ ରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟକୁ ନେଇ ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ ପଦବୀରେ ନିୟମିତ କରିବା, ତା ୧୨.୪.୯୩ରିଖ ପରେ ନିଯୁକ୍ତ ଡିଏଲ୍ ଆର କର୍ମଚାରୀଙ୍କୁ ନିୟମିତ କରିବା ଆଦି ଅନ୍ତର୍ଭୁକ୍ତ। ସରକାର ଏକ ମାସ ମଧ୍ୟରେ ଦାବି ସମସ୍ତ ସମାଧାନ ନକଲେ ଆନ୍ଦୋଳନାତ୍ମକ ଗ୍ରହଣ କରାଯିବାକୁ ଆଲୋଚନା କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଥିବାର ଆହୂତ ସାମୂହିକ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ନେତାମାନେ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ କର୍ମଚାରୀ ନେତା ସର୍ବଶ୍ରୀ ନରସିଂହ ଆଚାରୀ, କୁଳମଣି ପଣ୍ଡା, ହେମନ୍ତ ଓଝା, ପ୍ରମୋଦ ପଟ୍ଟନାୟକ, ଅଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *