ଏନ୍ .ଏ.ଶାହଃ ଅନସାରୀ ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ମନୋନୀତ

ନୂଆଦିଲ୍ଲୀ / ଭୁବନେଶ୍ୱର ୨-୮ (ଓଡ଼ିଆ ପୁଅ): ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ଭାବେ ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ତଥା ମାନବାଧିକାର କର୍ମୀ ଏନ୍ .ଏ.ଶାହଃ ଅନସାରୀ ମନୋନୀତ ହୋଇଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସେହେଗାଲ ଫାଉଣ୍ଡେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସମ୍ମେଳନରେ ଏହି ନିର୍ବାଚନ ପ୍ରକ୍ରିୟା ଆହୁତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଗୋଷ୍ଠୀ ବେତାର କେନ୍ଦ୍ରର ମୁଖ୍ୟମାନେ ଯୋଗ ଦେଇଥିଲେ। ଏତାଦୃଶ ସମ୍ମାନଜନକ ପଦବୀ ନିମନ୍ତେ ମନୋନୀତ ହୋଇଥିବାରୁ ଅନସାରୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଶ୍ରୀ ଅନସାରୀ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ଗୋଷ୍ଠୀ ବେତାର କେନ୍ଦ୍ରର ପ୍ରଚାର, ପ୍ରସାର ଓ ସ୍ଥାପନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ୨୦୧୦ ମସିହାରେ ତାଙ୍କ ଉଦ୍ୟମରେ କୋଣାର୍କ ଠାରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପ୍ରତିଷ୍ଠା ହୋଇ ଲୋକାଭିମୁଖୀ ପ୍ରସାରଣ ଜାରି ରଖିଛି। ସଂପ୍ରତି ରାଜ୍ୟର ପ୍ରତି ବ୍ଲକରେ ଗୋଷ୍ଠୀ ବେତାର କେନ୍ଦ୍ର ସ୍ଥାପନ ଉଦ୍ଦେଶ୍ୟରେ ତାଙ୍କ ଉଦ୍ୟମରେ ମିଶନ-ସିଆର-୩୧୪ ଅଭିଯାନ ଚାଲୁରହିଛି। ଦକ୍ଷିଣ ଏସିଆର ବିଭିନ୍ନ ଦେଶର ଗୋଷ୍ଠୀ ଗଣମାଧ୍ୟମ ପରିସରରେ ଅନସାରୀଙ୍କର ପ୍ରଭାବଶାଳୀ ପରିଚିତି ରହିଛି। ଜଣେ ସଫଳ ଯୁବ ସମାଜସେବୀ ଭାବେ ଅନସାରୀ ଛାତ୍ର ଜୀବନରୁ ଦେଶ ତଥା ଦେଶ ବାହାରେ କାର୍ଯ୍ୟ କରି ଖୁବ ସୁନାମ ଅର୍ଜନ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଜାତୀୟ ଯୁବ ସମ୍ମାନ, ଇନ୍ଦିରାଗାନ୍ଧୀ ଜାତୀୟ ଯୁବ ସମ୍ମାନ ସହ ଦେଶବିଦେଶରେ ସେ ବହୁ ସରକାରୀ ଓ ବେସରକାରୀ ସଂଗଠନ ଦ୍ୱାରା ସମ୍ମାନୀତ ହୋଇଛନ୍ତି। ସେ ଖୁବ ଶୀଘ୍ର କୋଣାର୍କ ଠାରେ ଏକ ଜାତୀୟ ସ୍ତରର ଗୋଷ୍ଠୀ ଗଣମାଧ୍ୟମ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *