ଜିଲ୍ଲା ପରିକ୍ରମା

ଏନ୍ଏଚ୍ଏଆଇର ନାଲିଫିତା ତଳେ ଅଟକିଛି ଏନ୍ଏଚ୍ ଓଭରବ୍ରିଜ୍ ଯୋଜନା

ଭଦ୍ରକ, ୧୫ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଲୋକଙ୍କର ଦୁଃଖ ବଢାଇ ଦେଇଛି। ଅଧିକାଂଶ ସମୟରେ ଘଟୁଛି ଦୁର୍ଘଟଣା। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ବାରମ୍ବାର ଏପରି ଘଟୁଛି ବୋଲି ଅଭିଯୋଗ ହେଉଛି। ଯାଜପୁର ଜିଲାର ଶେଷ ସୀମାରୁ ଭଦ୍ରକ ଜିଲାର ସୀମା ଆଖୁଆପଦାର ବୈତରଣୀ ପୋଲ ଠାରୁ ଆରମ୍ଭ ହୋଇ ବାଲେଶ୍ୱର ଜିଲାର ସୀମାନ୍ତବର୍ତ୍ତୀ ରାଣୀତାଲ ଛକ ପର୍ଯ୍ୟନ୍ତ ଯାଇଥିବା ଏହି ରାଜପଥର ପ୍ରଶସ୍ତିକରଣ ବେଳେ କର୍ତ୍ତୃପକ୍ଷ କେଉଁ କେଉଁ ଛକରେ ଅଣ୍ଡରପାସ୍ ଓ ଓଭରବ୍ରିଜ୍ ନିର୍ମାଣ ହେବା କଥା ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନକରିଥିବାରୁ ଲୋକେ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ ସ୍ଥାନୀୟ ଲୋକଙ୍କର ନିତିଦିନିଆ ରାସ୍ତା। ରାସ୍ତା ପ୍ରଶସ୍ତିକରଣ ବେଳେ ବିଭାଗୀୟ ଅଧିକାରୀଙ୍କର ଦୂରଦୃଷ୍ଟିର ଅଭାବ ପାଇଁ ଆଜି ଭଦ୍ରକ ଦେଇ ଯାଇଥିବା ରାଜପଥର ଅନେକ ସ୍ଥାନରେ ଆବଶ୍ୟକ ଥିବା ଅଣ୍ଡରପାସ୍ ଓ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କରାଯାଇନାହିଁ। ଯେଉଁଥିପାଇଁ ଏକ ଜନଗହଳିପୂର୍ଣ୍ଣ ରାଜପଥ ଉପରେ ହଜାର ହଜାର ସଂଖ୍ୟାରେ ଗାଡିମଟର ଦ୍ରୁତି ଗତିରେ ଯିବାବେଳେ ଦୁର୍ଘଟଣା ଘଟୁଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଭଦ୍ରକ ଜିଲାରେ ଯାଇଥିବା ରାଜପଥ ସୀମା ପ୍ରତି ଯେତିକି ଦୃଷ୍ଟି ଦେବା କଥା ତାହା କରିନାହାଁନ୍ତି। ଏନେଇ ଲୋକେ ବାରମ୍ବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏବେ ରାଜପଥ ଛଅ ଲେନ୍ ହେବା ବେଳେ ଅଣ୍ଡରପାସ୍, ଓଭରବ୍ରିଜ୍ ଓ ଫ୍ଲାଏଓଭର କଥା ଚିନ୍ତା କରାଯିବ ବୋଲି ଯୋଜନା କରାଯାଇଛି। ମାତ୍ର ଏସବୁ ଯୋଜନା ଏଯାଏ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଫାଇଲ୍ରେ ବନ୍ଧା ହୋଇରହିଛି। ରାଜପଥରେ ଭଣ୍ଡାରିପୋଖରୀ ଛକରେ ଏକ ଓଭରବ୍ରିଜ୍ ନିର୍ମାଣ କରାଯିବାକୁ ସ୍ଥାନୀୟ ଲୋକ ଦାବି କରି ଆସୁଥିବା ବେଳେ ଜଳମଣ୍ଡୁଆ ଛକରେ ଅଣ୍ଡରପାସ, ବାରିକପୁର ଛକ ଓ ନଳାଙ୍ଗଛକ ଉପରେ ଓଭରବ୍ରିଜ୍ ନିର୍ମାଣ କରାଯିବା ନେଇ ଯୋଜନା କରାଯାଇଛି। ଭଦ୍ରକ ସହରର ଗେଲପୁର ଠାରୁ ଆରଡିଛକ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ନେଇ ଦାବି ଉପସ୍ଥାପନ କରାଯାଇଛି। ଭଦ୍ରକର ବରିଷ୍ଠ ନାଗରିକ ସମାଜ ଏଭଳି ଦାବି ଉପସ୍ଥାପନ କରିଛି। ଆଗାମୀ ଦିନରେ ରାଜପଥର ବାରିକପୁର ଛକଠାରୁ ନଳାଙ୍ଗ ଓ ଗେଲପୁର ଛକ ପର୍ଯ୍ୟନ୍ତ ସହରର ପ୍ରଶସ୍ତିକରଣ ହେବାକୁ ଯାଉଛି। ଗେଲପୁରକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉଠିଯିବା ପାଇଁ ପ୍ରସ୍ତାବ ଚୂଡାନ୍ତ ହୋଇଥିବା ବେଳେ ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇଛି। ସେହିପରି ନଳାଙ୍ଗ ଛକରେ ଜିଲା ଜଜ୍ କୋର୍ଟ ନିର୍ମାଣ କାମ ଚାଲିଛି। ଆଉ କିଛିଦିନ ପରେ ନଳାଙ୍ଗ ଭଦ୍ରକର ଏକ ଜନଗହଳିପୂର୍ଣ୍ଣ ଛକରେ ପରିଣତ ହେବ। ନଳାଙ୍ଗ ଛକରୁ ଆରମ୍ଭ ହେବ ଭଦ୍ରକ ସହର। ତେଣୁ ଆଗାମୀ ଦିନକୁ ଦୃଷ୍ଟିରେ ରଖି ଏଠାରେ ଅଣ୍ଡରପାସ୍ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି। ଆରଡି ଛକରେ ଥିବା ଅଣ୍ଡରପାସ୍ରେ ଲୋକ ଯାନବାହନରେ ଚଳାଚଳ କରିବା ବେଳେ ବହୁ ଅସୁବିଧାରେ ଯାଉଛନ୍ତି। ତେଣୁ ଅଣ୍ଡରପାସ୍ ବଦଳରେ ଏଠାରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ଦାବି ହେଉଛି। କାରଣ ଏଇ ଅଣ୍ଡରପାସ୍ ଦେଇ ଆଗାମୀ ଦିନରେ ଡିଆରଡିଏ କେନାଲ ରୋଡ୍ ଆସି ଲାଗିବ ଆରଡି ରାସ୍ତାରେ। ଆଉ ଏହାର ଭଦ୍ରକର ଏକ ପ୍ରମୁଖ ଜନଗହଳି ଛକ ପାଲଟିବ। ଏଇ ଛକ ଦେଇ ଅନେକ କଲୋନୀ ଲୋକଙ୍କର ଯାତାୟତ ହେବ। ତେଣୁ ଏଇ ଛକ ପ୍ରତି ଏବେଠାରୁ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହା ଏକ ମରଣଯନ୍ତ୍ରା ପାଲଟିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଭଦ୍ରକର ମୋଟେଲ ଛକରେ ଓଭରବ୍ରିଜ୍ ଦାବି ବାରମ୍ବାର ହୋଇଆସୁଛି। ନୂଆ ବସ୍ଷ୍ଟାଣ୍ଡ ଛକଠାରୁ ଡାହାଣୀଗଡିଆ ଛକ ଓ ଚରମ୍ପା ଷ୍ଟେସନ ବଜାର ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ କରିବାକୁ ଦାବି ହେଉଛି। ଚରମ୍ପା ପରେ ଆଇଟିଆଇ କେନାଲ ରୋଡ୍ ଠାରେ ଏକ ଅଣ୍ଡରପାସ୍ ନିର୍ମାଣର ଆବଶ୍ୟକତା ଥିବାବେଳେ ତ୍ରିଶଳପୁର ଛକଠାରେ ଅଣ୍ଡରପାସ୍ ନିର୍ମାଣ ଓ ରାଣୀତାଲ ଛକଠାରେ ଓଭରବ୍ରିଜ୍ ନିର୍ମାଣ କରିବାକୁ ମଧ୍ୟ ସଚେତନ ସହରବାସୀ ଦାବି କରୁଛନ୍ତି। ଏସବୁ ଦାବିକୁ ନେଇ ଅତୀତରେ ଅନେକ ଆନ୍ଦୋଳନ, ଧାରଣା ଓ ଧର୍ମଘଟ କରାଯାଇଛି। ମାତ୍ର ଫଳ କିଛି ମିଳିନାହିଁ। ଭଦ୍ରକ ଜିଲାର ସୀମା ଦେଇ ଯାଇଥିବା ରାଜପଥରେ ଏଇସବୁ ଦୁର୍ଘଟଣା ପ୍ରବଣ ଅଂଚଳକୁ ରାଜ୍ୟ ସରକାର ବ୍ଲାକ୍ସ୍ପଟ୍ ଭାବେ ଚିହ୍ନଟ କରି ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ଏନ୍ଏଚ୍ଏଆଇକୁ ଉପଯୁକ୍ତ ପଦକ୍ଷେପ ନେବାକୁ ବାଧ୍ୟ କରନ୍ତୁ ବୋଲି ଲୋକେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top