ଏନସିଆରବିର ତଥ୍ୟ ଅନୁସାରେ ଓଡିଶା ମହିଳା ବିରୋଧୀ ହିଂସାରେ ତୃତୀୟ ସ୍ଥାନରେ ନବୀନ ଶାସନରେ ଓଡିଶା ମହିଳା ମାନେ ଅସୁରକ୍ଷିତ ହୋଇ ପଡିଥିବାର ପ୍ରତିବାଦରେ ବିଜେପି ମହିଳା ମୋର୍ଚାର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, ତା.୦୪/୧୨(ଓଡ଼ିଆ ପୁଅ): ନବୀନ ପଟ୍ଟନାୟକଙ୍କ ଶାସନରେ ଓଡିଶା ମହିଳାମାନେ ଅସୁରକ୍ଷିତ ହୋଇ ପଡିଥିବାର ପ୍ରତିବାଦରେ ବିଜେପି ମହିଳା ମୋର୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟ ଅନୁସାରେ ଓଡିଶା ମହିଳା ବିରୋଧୀ ହିଂସାରେ ତୃତୀୟ ସ୍ଥାନରେ ରହିଥିବା ରାଜ୍ୟ ନବୀନ ଶାସନରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଥିବା ପ୍ରମାଣିତ ହୋଇଛି ବୋଲି ଶ୍ରୀମତୀ ପରିଡା ଏହି ଅବସରରେ କହିଛନ୍ତି।

ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ, ଦିନ ଦିପ୍ରହରରେ ବରଗଡଠାରେ ଛାତ୍ରୀକୁ ଗଣଦୁଷ୍କର୍ମ, ବ୍ରହ୍ମପୁରଠାରେ ଯୁବତୀଙ୍କ ଉପରକୁ ଏସିଡ୍ ମାଡ, ଅନୁଗୁଳଠାରେ ଚଳନ୍ତା ଆମ୍ବୁଲାନ୍ସ ଭିତରେ ମହିଳାକୁ ଦୁଷ୍କର୍ମ ଆଦି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ ଓ ନିନ୍ଦିତ କରିଛି। ଛାତ୍ରୀ ଓ ଯୁବତୀମାନଙ୍କର ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ବାରମ୍ବାର ପ୍ରସାରିତ ହେବା, ଦୁଷ୍କର୍ମ ମାମଲା ମାନ ବଢିବା ଆଦି ଘଟଣା ପ୍ରତିଦିନ ସାମନାକୁ ଆସୁଛି। ମାଁକୁ ସମ୍ମାନର ନାରା ଦେଉଥିବା ନବୀନ ସରକାର ଏଭଳି ମହିଳା ବିରୋଧୀ ହିଂସାକୁ ରୋକିବାରେ ସମ୍ପୂର୍ଣ ରୂପେ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଏନସିଆରବିର ତଥ୍ୟ ଅନୁସାରେ ରାଜ୍ୟରେ ୧୯୮୪ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ୩୯୭ଟି ଯୈାତୁକଜନିତ ମୃତ୍ୟୁ ଘଟଣା ସାମନାକୁ ଆସିଛି। ଏହି ରିପୋର୍ଟରେ କୁହା ଯାଇଛି ଯେ, ୨୪୪୨ ଜଣଙ୍କର ଅପହରଣ ଓ ୮୨୬୯ ଜଣ ଶାରୀରିକ ହିଂସାର ଶୀକାର ହୋଇଛନ୍ତି। ମହିଳାମାନଙ୍କ ପ୍ରତି ଅପରାଧ କ୍ଷେତ୍ରରେ ଉତର ପ୍ରଦେଶ, ବିହାର ପରି ରାଜ୍ୟମାନଙ୍କ ଠାରୁ ଓଡିଶାର ସ୍ଥିତି ଆହୁରି ଖରାପ ରହିଛି। ଏହି କ୍ଷେତ୍ରରେ ଉତର ପ୍ରଦେଶ ୧୭ତମ ସ୍ଥାନରେ ଥିବାବେଳେ ବିହାର ୨୯ ତମ ସ୍ଥାନରେ ରହିଛି। ସବୁଠାରୁ ଉଦବେଗଜନକ କଥା ହେଲା ଯେ, ରାଜ୍ୟରେ ମହିଳା ହିଂସା ମାମଲାରେ ମାତ୍ର ୬.୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି। କେବଳ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ନୁହେଁ, ରାଜ୍ୟ ଗୃହ ବିଭାଗ ଦ୍ୱାରା ପ୍ରସ୍ତୁତ ଶ୍ୱେତ ପତ୍ର ଅନୁସାରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଧର୍ଷଣର ମାମଲା ଲଗାତାର ଭାବେ ବଢିବାରେ ଲାଗିଛି। ୨୦୧୩ରେ ୧୮୭୨ଟି ଧର୍ଷଣ ମାମଲା ପଂଜୀକୃତ ହୋଇଥିବା ବେଳେ ୨୦୧୪ରେ ୨୦୧୪ଟି ତଥା ୨୦୧୫ରେ ୨୨୪୮ଟି ମାମଲା ପଂଜୀକୃତ ହୋଇଛି। ଏହି ତଥ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ବର୍ଦ୍ଧିତ ମହିଳା ବିରୋଧୀ ହିଂସାକୁ ଦର୍ଶାଉଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଯୌତୁକ ଜନିତ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଥିବା ବେଳେ ପୋଲିସ ତାର କାମ ଠିକ ଭାବେ କରୁ ନାହିଁ। ୨୦୧୫ ମସିହାରେ ୬୦୮ଟି ଯୌତୁକ ଜନିତ ମୃତ୍ୟୁ ମାମଲା ହୋଇଥିବା ବେଳେ ୩୪୨ ଟି ମାମଲାରେ ଚାର୍ଜ ସିଟ ହେବା ସହ ମାତ୍ର ଦୁଇଟି ମାମଲାରେ ଫାଇନାଲ ରିପୋର୍ଟ ଆସିଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *