ଏନକେ ସିଂଙ୍କ ଅଧ୍ୟକ୍ଷତାରେ ପଂଚଦଶ ଅର୍ଥ ଆୟୋଗଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ ୪-୧୨(ଓଡ଼ିଆ ପୁଅ)ନୂଆଦିଲ୍ଲୀର ନର୍ଥ ବ୍ଲକ୍ ଠାରେ ପଂଚଦଶ ଅର୍ଥ ଆୟୋଗଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ନଭେମ୍ବର ୨୭ ତାରିଖରେ ଏହି ଆୟୋଗ ଗଠନ କରାଯାଇଥିଲା। ଆଜିର ବୈଠକରେ ଶ୍ରୀ ଏନକେ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଆୟୋଗର ଅନ୍ୟ ସଦସ୍ୟ ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ଡ. ଅନୁପ ସିଂଙ୍କ ସହିତ ସାମୟିକ ସଦସ୍ୟ ଡ. ଅଶୋକ ଲାହିରି ଓ ଡ. ରମେଶ ଚାନ୍ଦ ଉପସ୍ଥିତ ଥିଲେ।

୨୭ ନଭେମ୍ବର ୨୦୧୭ରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପଂଚଦଶ ଅର୍ଥ ଆୟୋଗ ପାଇଁ ବିଚାରଯୋଗ୍ୟ ମୂଳ ପ୍ରସଙ୍ଗ ଗୁଡ଼ିକ ଉପରେ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଥିଲା।

ବ୍ୟାପକ ବିଚାରଯୋଗ୍ୟ ମୂଳ ପ୍ରସଙ୍ଗଗୁଡ଼ିକର ସୂଚାରୁ ରୂପେ ସମାଧାନ ଲାଗି ଦିଆଯାଇଥିବା ଦାୟିତ୍ୱ ତୁଲାଇବା ଲାଗି ଆୟୋଗ ସହମତ ହୋଇଥିଲେ। ଏହି ଲକ୍ଷ୍ୟ ହାସଲ ଦିଗରେ, ବିଭିନ୍ନ ଅଂଶୀଦାର ଯେପରିକି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ସମସ୍ତ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ପଂଚାୟତ ଏବଂ ରାଜନୈତିକ ଦଳ ଏବଂ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ କରାଯିବା ଲାଗି ତୁରନ୍ତ ପ୍ରୟାସ କରାଯିବାର ଆବଶ୍ୟକତା ରହିଥିବା ଆୟୋଗ ହୃଦବୋଧ କରିଥିଲେ।

ବିଚାରଯୋଗ୍ୟ ମୂଳ ପ୍ରସଙ୍ଗଗୁଡ଼ିକର ସୂଚାରୁ ରୂପେ ସମାଧାନ ଲାଗି ବିଶ୍ଳେଷାତ୍ମକ ନଥି ପ୍ରସ୍ତୁତ କରିବା, ଦେଶ ଏବଂ ଦେଶ ବାହାରର ଅଗ୍ରଣୀ ଗବେଷଣା ସଂସ୍ଥା ଦ୍ୱାରା ବିଶ୍ଳେଷଣ କରାଇବାର ଆବଶ୍ୟକତା ମଧ୍ୟ ରହିଥିବା ଆୟୋଗ ବିବେଚନା କରିଥିଲେ।

ଆୟୋଗଙ୍କୁ ତାଙ୍କ କାର୍ଯ୍ୟରେ ସହାୟତା କରିବା ଲାଗି ଅଗ୍ରଣୀ ବିଶେଷଜ୍ଞ ସମୂହ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କ ସହିତ ଆଲୋଚନା ଏବଂ ସେମାନଙ୍କ ଠାରୁ ଉପାଦେୟ ତଥ୍ୟ ହାସଲ କରିବା ଲାଗି ଆୟୋଗ ଗୁରୁତ୍ୱାରୋପ କରିଥିଲେ।

ଏହାଛଡ଼ା ନୂଆଦିଲ୍ଲୀର ଜନପଥସ୍ଥିତ ଜବାହର ବ୍ୟାପାର ଭବନ ଠାରେ ନିଜସ୍ୱ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଗି ଆୟୋଗ ଅନୁମୋଦନ ଦେଇଥିଲେ।

Leave a Reply

Your email address will not be published. Required fields are marked *