ଜାତୀୟ

ଏକ ପରାଜିତ ଭିକ୍ଷୁ ଠାରୁ ବିଶ୍ୱର ସର୍ବମାନ୍ୟ ନେତା ପର୍ଯ୍ୟନ୍ତ ଦଲାଇଲାମାଙ୍କ ଯାତ୍ରା

 – ସମନ୍ୟ ନନ୍ଦ
ଚୀନର ଦାନବତା ବିରୁଦ୍ଧରେ ଲଢେଇ ଲଢୁଥିବା ଅହିଂସାର ମୂର୍ତିମନ୍ତ ପ୍ରତୀକ ତଥା ତିବତର ଆଧ୍ୟାତ୍ମିକ ମୁଖ୍ୟ ପରମ ପାବନ ହେଉଛନ୍ତି ଦଲାଇ ଲାମା।ପରମପାବନ ଦଲାଇଲାମା କେବଳେ ତିବତର ଶାସନମୁଖ୍ୟ ନୁହନ୍ତି।ସେ ତିବତର ସର୍ବୋଚ୍ଚ ଧର୍ମଗୁରୁ ମଧ୍ୟ ଅଟନ୍ତି।କିଛି ଲୋକ ତାଙ୍କୁ ଜୀବନ୍ତ ବୁଦ୍ଧ ବୋଲି ମଧ୍ୟ କହିଥାନ୍ତି।ତିବତ ଉପରେ ଯେତେବେଳେ ମାଓର ଲାଲ ସେନା ଅଧିକାର କଲା ସେତେବେଳେ ଦଲାଇଲାମାଙ୍କ ବୟସ ଖୁବ କମ ଥିଲା।୧୯୫୦ ମସିହାରେ ଲାହାସା ଠାରେ ୧୬ ବର୍ଷୀୟ ଦଲାଇଲାମାଙ୍କୁ ତିବତର ଶାସକ ଭାବରେ ଅଭିଷିକ୍ତ କରାଯାଇଥିଲା ୧୯୫୦ ମସିହାରେ ମାଓର ଲାଲ ସେନା ତିବତରେ ପ୍ରବେଶ କରି ତିବତକୁ ଅଧିକାର କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲା।୧୯୫୯ ମସିହା ଆସୁ ଆସୁ ସମଗ୍ର ତିବତ ଚୀନର କବଳିତ ହୋଇ ସାରିଥିଲା।ଶେଷରେ ୧୯୫୯ ମସିହାରେ ତିବତ ଛାଡି ଭାରତରେ ଶରଣ ନେଇଥିଲେ।

ଏହି ଘଟଣାକୁ ୫୯ ବର୍ଷରୁ ଉର୍ଧ ବିତି ସାରିଲାଣି।ଯେତେବେଳେ ଦଲାଇଲାମା ତିବତ ଛାଡି ଭାରତ ଆସିଲେ ସେତେବେଳେ ତାଙ୍କର କେହି ମିତ୍ର ନ ଥିଲେ।ସେତେବେଳେ ସେ ଜଣେ ପରାଜିତ ଧାର୍ମିକ ଶାସକ ଥିଲେ।କିଛି ଶରଣାର୍ଥୀଙ୍କୁ ନେଇ ସେ ଭାରତରେ ପହଂଚି ଥିଲେ ଓ ଏହି ଶରଣାର୍ଥୀ ମାନଙ୍କର ସେ ନେତା ଥିଲେ।

ତେବେ ଏହି ଘଟଣାର ପାଂଚ ଦଶନ୍ଧି ବିତି ସାରିବା ପରେ ପରିସ୍ଥିତି ସମ୍ପୂର୍ଣ ଭିର୍ଣ୍ଣ।ଦଲାଇଲାମାଙ୍କର ସବୁଠାରୁ ବଡ ଉପଲବ୍ଧି ହେଲା ଯେ ସେ ଏହି ପଚାଶ ବର୍ଷରୁ ଉର୍ଧ ସମୟ ମଧ୍ୟରେ ସେ ଏକ ମିତ୍ର ବିହୀନ ଭିକ୍ଷୁ, ପରାଜିତ ଧାର୍ମିକ ଶାସକ ଓ କିଛି ଶରଣାର୍ଥୀ ମାନଙ୍କର ନେତା ସ୍ତରରୁ ଉପରକୁ ଉଠି ଏହି ଯୁଗର ସବୁଠାରୁ ସମ୍ମାନିତ ବ୍ୟକ୍ତି ଏବଂ ସର୍ବମାନ୍ୟ ବିଶ୍ୱନେତା ହୋଇ ପାରିଛନ୍ତି।

ଦଲାଇଲାମାଙ୍କୁ ଯେତେବେଳେ ୧୯୫୦ ମସିହାରେ ତିବତର ଶାସକ ଭାବରେ ଅଭିଷେକ କରାଗଲା ସେତେବେଳେ ତାଙ୍କର କୂଟେନୈତିକ ସ୍ତରରେ ତିଳେ ହେଲେ ଅଭିଜ୍ଞତା ନ ଥିଲା।ବିଶ୍ୱ ରାଜନୀତିରୁ ସବୁ ବେଳେ ଦୂରରେ ରହୁଥିବା କାରଣରୁ ଚୀନ ଦ୍ୱାରା ତିବତ ଅଧିକାର ସମୟରେ କୌଣସି ଦେଶ ତାଙ୍କ ସହିତ ଠିଆ ହୋଇ ନ ଥିଲା।ଏପରିକି ଭାରତ ମଧ୍ୟ ତିବତର ସହାୟତା କରି ନ ଥିଲା।ତିବତ ଭାରତ ଠାରୁ ଏହି ସଙ୍କଟ ସମୟରେ ସହଯୋଗ ଆଶା କରିଥିଲା।ମାତ୍ର ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଚୀନର କମ୍ୟୁନିଷ୍ଟ ନେତା ମାନଙ୍କ ଦ୍ୱାରା ଏତେ ମାତ୍ରାରେ ଭୟଭୀତ ଥିଲେ ଯେ ତିବତ ସମ୍ପର୍କରେ ବିଶ୍ୱରେ ଆନ୍ତର୍ଜାତିକ ଜନ ମତ ତିଆରି କରିବାକୁ ଚେଷ୍ଟା କରିବା ତ ଦୂରର କଥା ମିଳିତ ଜାତିସଂଘରେ ଚୀନ ଦ୍ୱାରା ତିବତକୁ ପରାଧୀନ କରାଯିବା ଘଟଣା ଉପରେ ଚାଲିଥିବା ବିତର୍କକୁ ମଧ୍ୟ ପଣ୍ଡିତ ନେହେରୁ ବନ୍ଦ କରାଇ ଦେଇଥିଲେ।କିନ୍ତୁ ପଣ୍ଡିତ ନେହେରୁଙ୍କ ଦ୍ୱାରା ତିବତ ପ୍ରତି କରାଯାଇଥିବା ଏହି ବିଶ୍ୱାସଘାତକତାର ଫଳ ଭାରତବର୍ଷକୁ ଉଠାଇବାକୁ ପଡିଥିଲା।ହିନ୍ଦୀ ଚୀନ ଭାଇ ଭାଇର ସ୍ଲୋଗାନରେ ପଣ୍ଡିତ ନେହେରୁ ମସଗୁଲ ଥିବା ବେଳେ ଚୀନ ୧୯୬୨ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲା ଓ ବର୍ତମାନ ସୁଦ୍ଧା ହଜାର ହଜାର ବର୍ଗ ମାଇଲ ଭାରତୀୟ ଭୂମି ଚୀନ କବଳରେ ରହିଛି।

ଗତ ୫୦ ବର୍ଷ ମଧ୍ୟରେ ପରମ ପାବନ ଦଲାଇଲାମା ନିଜକୁ ବିଶ୍ୱ ସ୍ତରର ଏକ ଅଦ୍ୱିତୀୟ ଜନନେତା ଭାବେ ପ୍ରତିପାଦିତ କରି ପାରିଛନ୍ତି। ଯେତେବେଲେ ପରମପାବନ ଦଲାଇଲାମା ତିବତରୁ ନିର୍ବାସିତ ହୋଇ ଭାରତ ଆସିଲେ ତା ପରେ ଅନେକ ଦେଶ ତାଙ୍କୁ ଯାତ୍ରା ପାଇଁ ଭିସା ପ୍ରଦାନ କରୁ ନ ଥିଲେ।କିନ୍ତୁ ଏହାକୁ ଦଲାଇଲାମାଙ୍କ ସବୁଠାରୁ ବଡ ଉପଲବ୍ଧି ବୋଲି କୁହାଯିବ ନାଁ ତିବତ ପ୍ରତି ବଢୁଥିବା ନୈତିକ ସମର୍ଥନ ଯେ ବର୍ତମାନ ସୁଦ୍ଧା ଜାତିସଂଘ ବ୍ୟତୀତ ୟୁରୋପୀୟ ପାର୍ଲାମେଂଟ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, କାନାଡା, ବେଲଜିୟମ ଆଦି ୧୭ଟି ଦେଶର ସଂସଦ ତିବତର ଜନସାଧାରଣଙ୍କର ସଂଘର୍ଷ ଓ ମାନବାଧିକାର ସମର୍ଥନରେ ୪୦ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଗୃହୀତ ହୋଇ ସାରିଛି।ପରମ ପାବନ ଦଲାଇଲାମା ସବୁବେଳେ ଭାରତକୁ ଗୁରୁ ରାଷ୍ଟ୍ର ବୋଲି ମନେ କରନ୍ତି ଓ ତିବତକୁ ଶିଷ୍ୟ ରାଷ୍ଟ୍ର ବୋଲି କହିଥାନ୍ତି।ସେ କହନ୍ତି ଯେ ଭାରତର ଗୁରୁଶିଷ୍ୟ ପରମ୍ପରା ଅନୁସାରେ ଭାରତ ହେଉଛି ଗୁରୁ ଓ ତିବତ ହେଉଛି ଶିଷ୍ୟ। କାରଣ ତିବତ ଯାହା ଶିଖିଛି ଓ ତିବତୀୟ ମାନଙ୍କ ପାଖରେ ଯାହା ରହିଛି ତାହା ଭାରତ ଠାରୁ ହିଁ ପାଇଛନ୍ତି।କିନ୍ତୁ ବର୍ତମାନ ଯେତେବେଳେ ଶିଷ୍ୟ ସଙ୍କଟରେ ରହିଛି ସେତେବେଳେ ଗୁରୁଙ୍କୁ ମଧ୍ୟ ତାଙ୍କର କର୍ତବ୍ୟ ନିର୍ବାହ କରିବା ଉଚିତ।

ତିବତର ସଙ୍କଟ ସମୟରେ ଭାରତ ଦ୍ୱାରା କରାଯାଇଥିବା ସମର୍ଥନଙ୍କୁ ଦଲାଇଲାମା ସବୁବେଳେ ମନେ ପକାଇଥାନ୍ତି।ତାଙ୍କୁ ଯେତେବେଳେ ୧୯୮୯ ମସିହା ଡିସେମ୍ବର ୧୦ ତାରିଖ ଦିନ ନୋବେଲ ପୁରସ୍କାର ମିଳିଥିଲା, ସେହି ଅବସରରେ ଦେଇଥିବା ତାଙ୍କ ବକ୍ତବ୍ୟରେ ଭାରତର ପ୍ରଶଂସା କରି କହିଥିଲେ ଯେ “ଆମର ନିର୍ବାସିତ ତିବତୀୟ ସଂପ୍ରଦାୟର ଲୋକ ମାନଙ୍କୁ ଭାରତ ସରକାର ଯଦି ଖୋଲା ହୃଦୟରେ ଶରଣ ଦେଇ ନ ଥାନ୍ତେ ଓ ସହଯୋଗ ପ୍ରଦାନ କରି ନଥାନ୍ତେ ତେବେ ଆମେ ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଥାନ୍ତୁ।ଆମର ସଂସ୍କୃତି, ଧର୍ମ, ପରମ୍ପରା ବର୍ତ୍ତମାନ ଲୋପ ପାଇ ସାରନ୍ତାଣିି”।
ଭାରତରେ କ୍ଷମତାରେ ଥିବା ସରକାର ଗୁଡିକର ବ୍ୟବହାର ଦଲାଇଲାମା ଓ ତିବତ ପ୍ରତି ଯେପରି ହେଉ ନାଁ କାହିଁକି ଭାରତର ସାଧାରଣ ଜନତା ସବୁ ବେଳେ ଦଲାଇଲାମା ଓ ତିବତର ସମର୍ଥନରେ ଅଛନ୍ତି।କେବଳ କମ୍ୟୁନିଷ୍ଟ ପାର୍ଟୀକୁ ଛାଡି ଦେଲେ ଦେଶର ସମସ୍ତ ରାଜନୈତିକ ଦଳ ସବୁବେଳେ ତିବତକୁ ସମର୍ଥନ ଦେଇଛନ୍ତି।କେତେକ ସୁନାମଧନ୍ୟ କମ୍ୟୁନିଷ୍ଟ ମଧ୍ୟ ତିବତ ସମ୍ପର୍କରେ ନିଜର ଭୁଲକୁ ପରବର୍ତ୍ତି ସମୟରେ ସ୍ୱୀକାର କରିଛନ୍ତି।ଏପରି ଜଣେ କମ୍ୟୁନିଷ୍ଟ ହେଲେ ପ୍ରସିଦ୍ଧ ସାମ୍ବାଦିକ ଓ ବ୍ଲିଟଜ ପତ୍ରିକାର ପୂର୍ବତନ ସମ୍ପାଦକ ଆର.କେ କରଂଜିଆ।ସେ ୧୯୯୬ ମସିହାରେ କହିଥିଲେ ଯେ ” ତିବତର ଘୋର ପୀଡା ସମୟରେ ମୋର ହୃଦୟ ତିବତ ସପକ୍ଷରେ ଥିଲା।ହେଲେ ମୁଁ ତିବତ ପାଇଁ କିଛି କରି ପାରି ନ ଥିଲି।କାରଣ ସେତେବେଳେ ମୁଁ ଜଣେ ଜ୍ଞାନହୀନ ମାର୍କସବାଦୀ ହେବା କାରଣରୁ ତଥ୍ୟ ଗୁଡିକୁ ଠିକ ଭାବେ ବୁଝି ପାରି ନଥିଲି।କିନ୍ତୁ ବର୍ତ୍ତମାନ ମୋ ଭାଗ୍ୟରେ ଦାୟିତ୍ୱରୁ ବର୍ତିବା ପାଇଁ ମୋ ପାଖରେ କୌଣସି ବାହାନା ନାହିଁ।ଆଜି ମୁଁ ମୋର ଦୋଷକୁ ଅତ୍ୟନ୍ତ ଦୁଃଖର ସହିତ ନିଜର ଅନ୍ତଃକରଣରେ ସ୍ୱୀକାର କରୁଛି। ”

ଏହି ଜୀବନ ଯାତ୍ରାରେ ଦଲାଇଲାମା ଏକ ବିଶ୍ୱ ସ୍ତରରେ ସର୍ବମାନ୍ୟ ନେତା ହୋଇ ପାରିଛନ୍ତି ସତ, କିନ୍ତୁ ଚୀନର କବଳରୁ ତିବତ ଓ ତିବତୀୟତାକୁ ମୁକ୍ତ କରିବାରେ ସେ ସଫଳ ହୋଇ ପାରି ନାହାନ୍ତି।କିନ୍ତୁ ଏହି ପରିଣତ ବୟସରଙ୍କ ସେ ଚୀନ ବିରୁଦ୍ଧରେ ସତ୍ୟ ଓ ନ୍ୟାୟର ଲଢେଇ ଜାରୀ ରଖିଛନ୍ତି।

ପରମପାବନ ଦଲାଇଲାମା ଚୀନ ଭଳି ଆସୁରିକ ଶକ୍ତି ବିରୁଦ୍ଧରେ ସମ୍ପୂର୍ଣ ଅହିଂସାତ୍ମକ ଭାବରେ ଲଢେଇ ଜାରୀ ରଖିଛନ୍ତି।ସେ ପାଶବିକ ଶକ୍ତି ବିରୁଦ୍ଧରେ ସତ୍ୟ, ଧର୍ମ, ନ୍ୟାୟର ଲଢେଇ ଲଢୁଛନ୍ତି। କୁହାଯାଏ ଯେ ସତ୍ୟମେବ ଜୟତେ।ଅର୍ଥାତ ସତ୍ୟ ଓ ଧର୍ମର ବିଜୟ ନିଶ୍ଚିତ ଭାବରେ ହେବ।ତେଣୁ ଦଲାଇଲାମାଙ୍କର ଏହି ସତ୍ୟ ଓ ଧର୍ମର ବିଜୟ ପାଇଁ ଲଢାଯାଉଥିବା ଅହିଂସକ ଯୁଦ୍ଧରେ ପ୍ରତ୍ୟେକ ଭାରତବାସୀଙ୍କୁ ନୈତିକ ସମର୍ଥନ ପ୍ରଦାନ କରିବା ଉଚିତ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top