ଏକ କେ ଏକ

ଯୋଗାନନ୍ଦ ସାହୁ

ଆସିଛି ବଂଧୁ ଏକା ଏକା, ଆଉ
ଫେରିଯିବି ଏକା ଏକା
ଦୁନିଆ-ହାଟରେ ଭିଡ କାଟି କାଟି
ଚାଲୁଛି ମୁଁ ଏକା ଏକା ।।୦।।

ଏକା ଏକା ହୋଇ କର୍ମ ଯୋଗର
ସାଧନା କରିବା ପାଇଁ
ସୂର୍ଯ୍ୟ,ଚନ୍ଦ୍ର, ଆକାଶଠାରୁ ଯେ
ଦୀକ୍ଷା ନେଇଛି ମୁହିଁ
ଶୈଳ ଶିଖରେ ବିଷାଦ ଯୋଗ ବି
ଶିଖିଛି ମୁଁ ଏକା ଏକା ।।୧।।

ବିଷାଦ ଯୋଗରେ ବାଟ ଚାଲିବାରେ
ମାନୁଛି ଦରଜ ଅଛି
ହେଲେ ଏ ଦରଜ କିଣିବା ପାଇଁ ମୁଁ
କରଜ କରିନି କିଛି
କେ କାହିଁ କହିବ : କରଜ ମୁଣ୍ଡାଇ
ଫେରିଗଲା ଏକା ଏକା !।।୨।।

ଆପଣା ଇଚ୍ଛାରେ ଫୁଟିନାହିଁ ଯେଣୁ
ଦୁନିଆର ବଗିଚାରେ
ଆପଣା ଇଚ୍ଛାରେ ଝଡିଯିବି ବୋଲି
ତେଣୁ ନାହିଁ କହିପାରେ
ଆପଣା ଇଚ୍ଛାରେ ପିଇ ବି ହୁଏନି
ଲୁହ ଟୋପେ ଏକା ଏକା ।।୩।।

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *