ଗଳ୍ପ

ଏକ ଅଭୁଲା ଭୁଲ

– ପ୍ରଶାନ୍ତ କୁମାର ବେହେରା

କଥାଟା ଗପଟେ ପରି ଲାଗିପାରେ, ହେଲେ ପୁରା ସତ। ୧୯୮୪ ମସିହା କଥା। ମୁଁ ସେତେବେଳେ ଅଷ୍ଟମ ଶ୍ରେଣୀରେ ଶ୍ରୀକୃଷ୍ଣ ଏକାଡେମୀରେ ଅଧ୍ୟୟନ କରୁଥାଏ। ସେତେବେଳେ କିରଣ ସାର୍ କଲେଜ ଛକର ନିୟନ୍ତିତ ବଜାର ପାଖେର ଥିବାଏକ ଆଜବେସ୍ଟସ ଘରେ ରହୁଥିଲେ। ମୁଁ ତାଙ୍କ ପାଖକୁ ଟିଉସନ୍ ଯାଉଥାଏ। ମୋ ସହିତ ପାଟେଣୀ ଗାଁର ପ୍ରଖ୍ୟାତ ଓୌପନାସିକ ଭାଗିରଥୀ ଦାସଙ୍କ ପୁଅ ଟୁଟୁ, ମୋର ଆଉ ଜଣେ ସାଙ୍ଗ ପ୍ରେମାନନ୍ଦ ବି ଟିୟୁସନ୍ ଆସୁଥିଲା।

ଦିନେ ମୁଁ ବେଳାବେଳି ସେଠି ପହଂଚି ଗଲି। ଟୁଟୁ କି ପ୍ରେମାନନ୍ଦ କେହି ଆସିନଥାନ୍ତି।

ସାର୍ ମୋତେ ଦେଖି କହିଲେ, ” ଆରେ ଜଟିଆ ଗୋଟେ କାମ କଲୁ, ଏ ସାର୍ଟଟା ନେଇ ଟିକେ ସେ ନାଳରେ ସଫା କରି ଆଣିଲୁ। ”

ମୋ ମୁଣ୍ଡରେ ଦୁଇଟି ଜଟ ଥିବାରୁ ମୋ ଡାକ ନାମ ଜଟିଆ ହୋଇ ଯାଇଥାଏ ଆଉ କିରଣ ସାର୍ ମୋତେ ସେଇ ନାମରେ ଡାକନ୍ତି।

ମୁଁ ମୋ ସାର୍ଟ ପ୍ୟାଣ୍ଟ କେବେ ବି ମୋ ହାତରେ ସେ ଯାଏ ସଫା କରି ନ ଥିଲି। ମୋ ସାନ ଭଉଣୀମାନେ ସଫା କରି ଦିଅନ୍ତି। ମନେ ମନେ ସାର୍ ଙ୍କ ଉପରେ ରାଗ ବି ଆସିଲା। ବାଧ୍ୟ ହୋଇ ସାର୍ ଦେଇଥିବା ସାର୍ଟ ଓ ସନଲାଇଟି ସାବୁନ୍ ଧରି ପାଖରେ ଥିବା ମାଛଗାଁ କେନାଲ୍ କୁ ସଫା କରିବାକୁ ଗଲି। ସେଠି ସାର୍ଟ କୁ ପାଣିରେ ବୁଡାଇ ପାହାଚ ଉପରେ ସାବୁନ ମାରିବାକୁ ଗଲାବେଳେ ଦେଖିଲି ସାର୍ଟ ପକେଟ୍ ରେ କିଛି ଅଛି। ବାହାର କରି ଦେଖିଲି ୧୦ ଟଂକିଆ ନୋଟ୍ ଟାଏ। ସାର୍ ଙ୍କୁ ଫେରାଇବି କି ଫେରାଇବି ନାହିଁ ଏମିତି କିଛି ସମୟ ଭାବି ଶେଷକୁ ନିଷ୍ପତି ନେଲି କି ଆଉ ଫେରାଇବି ନାହିଁ। ବଦମାସ୍ ଭାବନା ଆସିଲା, ” ସାର୍ କାଇଁ ସାର୍ଟ ସଫା କରିବାକୁ ଦେଲେ କି, ଖର୍ଚ କରିଦେବା ଠିକ୍ ହେବ।”

ସାର୍ଟ ସଫା କରି ସାରିବା ପରେ ଠିକ୍ ୧୦ ଟଂକିଆ ସାଇଜ୍ ର ଗୋଟେ କାଗଜକୁ ପାଣିରେ ବୁଡାଇ ଟୁକୁରା ଟୁକୁରା ର ଛୋଟ ପିଣ୍ଡୁଳା ଟେ କରି ପକେଟ୍ ରେ ରଖିଦେଲି।

ସାର୍ଟ ଟିକୁ ନେଇ ସାର୍ ଙ୍କ ଘର ସାମ୍ନାରେ ଖରାରେ ଶୁଖାଇ ଦେଲି। କିଛି ସମୟ ପରେ ସାର୍ ଙ୍କର ମନେ ପଡିଲା ଟଂକା କଥା। ମୋତେ ପଚାରିଲେ, ” ଆରେ ଜଟିଆ ସାର୍ଟ ପକେଟ୍ ରେ ୧୦ ଟଂକା ଟେ ଥିଲା ବୋଧେ।”

ମୁଁ ପୁରା ପୋଖତ ଚୋର ଟେ ପରି କହିଲି, ” ନାଁ ସାର୍ ମୁଁ ଦେଖିନି ତ।”

ସାର୍ ସାର୍ଟ ପାଖକୁ ଯାଇ ପକେଟ୍ ରେ ହାତ ପୁରାଇ ସେ କାଗଜ ବିଣ୍ଡା କୁ କିଛି ସମୟ ଦେଖିଲେ ଆଉ ତା ପରେ ଫୋପାଡି ଦେଇ କହିଲେ,

” ଆରେ ଜଟିଆ ଟଂକା ଟା ପୁରା ନଷ୍ଟ ହୋଇ ଯାଇଚି ରେ। ଛାଡ୍ ମୋର ଭୁଲ୍ ମୁଁ ସାର୍ଟ ଦେବା ଆଗରୁ ରଖିବାର ଥିଲା। ”

ସେ କଥାରେ ସାର୍ ଙ୍କ ର ତାଂକ ଛାତ୍ର ଉପରେ କେତେ ଗଭୀର ବିଶ୍ୱାସ ଥିଲା ପୁରା ଜଣା ପଡୁଥିଲା। ମୁଁ ସେଦିନ ସେ ୧୦ ଟଂକା କୁ ଯେମିତି ଖର୍ଚ କରିଥିଲି ତାହା ଆଜି ବି ମନେ ଅଛି। ସେ ଟଂକା ରେ ଦୁଇଟା କୋକା କୋଲା ଥଣ୍ଡା ପାନୀୟ ପିଇବା ସହ ଗୋଟେ କ୍ୟାମେଲ୍ ରଙ୍ଗ ଡବା କିଣିଥିଲି ସେତେବେଳେ କଲେଜ ଛକ ରେ ଥିବା ଦୁର୍ଗା ଷ୍ଟୋର ବହି ଦୋକାନରୁ।

କିନ୍ତୁ ପରେ ସାର୍ ଙ୍କୁ ଯେଉଁଠି ଦେଖି ନମସ୍କାର କରେ ମୋର ସେ ୧୦ ଟଂକା ଚୋରୀ କରିବା କଥା ମନେ ପଡିଯାଏ। ଯେମିତି ଗୋଟେ ବଡ ଭୁଲ୍ କରିଚି ସାର୍ ଙ୍କ ପାଖରେ ସେମିତି ଲାଗେ।

୧୯୯୮ ମସିହାରେ ସାରା ଓଡିଶା ରେ ଅଧ୍ୟାପକ ମାନେ ତାଙ୍କର କିଛି ଦାବି ପାଇଁ ଧର୍ମଘଟ କରିଥାନ୍ତି। ସେତେବେଳେ ଯୁକ୍ତ ଦୁଇ ପରିକ୍ଷା ଚାଲିଥାଏ। ଏସ୍. ଭି. ଏମ୍. କଲେଜ ରେ ସେତେବେଳେ ଆମେ ମାତ୍ର ଚାରି ଜଣ ଅଧ୍ୟାପକ ମ୍ୟାନେଜମେଣ୍ଟରେ ଥିଲୁ ଆଉ ଆମକୁ ସେ ଧର୍ମଘଟରୁ ବାଦ୍ ଦିଆଯାଇ Exam duty କରିବାକୁ କୁହାଯାଇ ଥିଲା। Direct Payment ଅଧ୍ୟାପକ ମାନେ Strike ରେ ଥିବାରୁ Collector ଙ୍କ Order ବଳରେ ଶ୍ରୀକୃଷ୍ଣ ଏକାଡେମୀ, Girls’ High School ର Teachers ତଥା ତହସିଲ୍ ଅଫିସ୍ ର Staff ଙ୍କୁ Exam duty ଦିଆଯାଇ ଥିଲା। ଭାଗ୍ୟକୁ କିରଣ ସାର୍ ଙ୍କ ମୋ ସହ ୧୨୮ ନଂ ରୁମ୍ ରେ Exam Duty ପଡିଲା। ସାର୍ ଙ୍କୁ ଦେଖୁ ଦେଖୁ ମୋର ସେ ୧୦ ଟଂକା କଥା ମନେ ପଡିଗଲା। ୩ ଘଣ୍ଟା Exam duty ଭିତରେ peon ହାତରେ ସାର୍ ଙ୍କୁ ଦୁଇଥର ଚାହା ମଗାଇ ପିଆଇଲି। ସେଦିନ ମୁଁ ଅଧ୍ୟାପକଟେ ହୋଇଛି ବୋଲି ସାର୍ ପ୍ରଥମ ଥର ପାଇଁ ଜାଣିଲେ ଆଉ ବହୁତ ଖୁସି ବି ହେଲେ।

ତା ପରଠୁ ସାର୍ ପ୍ରାୟ ଆମ ଘରକୁ ବୁଲି ଆସନ୍ତି। ଚାକିରୀରୁ ଅବସର ନେବା ପରେ ଯେହେତୁ ବୋରିକିନା ପାଖରେ ଗୋଟେ ସ୍କୁଲରେ ସାର୍ ଙ୍କ ଝିଅ Teacher ଭାବରେ Join କଲେ ତେଣୁ ଲାଲା ସାହି ରେ ଆସି ଘର ଭଡା ନେଇ ରହିଲେ। ମୋ ଘର ପାଖାପାଖି ହୋଇଥିବାରୁ ପ୍ରାୟ କିଛି ଦିନ ଅନ୍ତରରେ ବୁଲି ଆସନ୍ତି। ମୋ ପୁଅ ସୋନୁ ତାଙ୍କ ପାଦଧୁଳି ନେବାବେଳେ ବହୁତ ଖୁସି ହୁଅନ୍ତି ଆଇ ଥରେ ତା ହାତକୁ ଧରି କୋଳକୁ ଟାଣିନେଇ ହସି ହସି କହିଲେ, ” ଆରେ ତୋ ବାପାଟା ବହୁତ ଦୁଷ୍ଟ ଥିଲା। ତୁ ବହୁତ ସାଧାରଣିଆ ହୋଇଛୁ। ମନ ଦେଇ ପାଠ ପଡୁଥିବୁ।”

ଏମିତି ଭିତରେ ଦିନେ ସାର୍ ସକାଳ ୭ ଟା ଆସି ସଂଧ୍ୟା କୁ କହିଲେ,

” ଆଲୋ ମା ଜଟିଆ କୁ ଟିକେ ଉଠା, ମୋର ଟିକେ ଜରୁରୀ କଥା ଅଛି।” ସାର୍ ଜାଣିଥାନ୍ତି ମୁଁ ଡେରିରେ ଉଠେ। ତଥାପି କିଛି କାମରେ ଆସିଛନ୍ତି ଜାଣି ମୁହଁ ଧୋଇ ସାର୍ ଙ୍କୁ ନମସ୍କାର କଲି।

ସାର୍ କହିଲେ, ” ଆରେ ଜଟିଆ, ଟିକେ ଅସୁବିଧା ହୋଇଗଲା। ଝିଅ ଟା ସକାଳୁ ତା ସ୍କୁଲକୁ ବସ୍ ରେ ଉଠି ପଳାଇଲା। ଟ୍ରଙ୍କ ଚାବିଟା ଭୁଲ୍ ରେ ତା Money purse ରେ ନେଇଯାଇଛି। ଏବେ କଟକ ରୁ ଫୋନ୍ ଆସିଲା, ସଢ଼ୁ ଦେହ ପୁରା ସିରିୟସ୍, ସେ କଟକ ମେଡିକାଲରେ ଆଡମିଟ୍ ହୋଇଛନ୍ତି ତାଙ୍କୁ ଦେଖିବାକୁ ଯିବାକୁ ହେବ। ୨୦୦ ଟଙ୍କା ଦେଇଥା, ମୁଁ କଟକରୁ ଫେରିଲେ ଦେଇଦେବି।”

ମୁଁ ଚୁପ୍ ଚାପ୍ Bed room କୁ ଯାଇ Money Purse ରୁ ୨୦୦ ଟଂକା ଆଣି ସାର୍ ଙ୍କୁ ଦେଲି। ସଂଧ୍ୟା ଚାହା ପିଇବାକୁ କହିଲା କିନ୍ତୁ ପରେ ଆସିଲେ ପିଇବି ବୋଲି କହି ସାର୍ ତର ତର ହୋଇ ପଳାଇଲେ।

ଠିକ୍ ତା’ ପରଦିନ ସକାଳ ୮ ଟା ରେ ସଂଧ୍ୟା ମୋତେ ନିଦରୁ ଭଠାଇ କହିଲା, ” କିରଣ ସାର୍ ଚାଲିଗଲେ।”

ମୁଁ ବିଶ୍ୱାସ କରି ପାରିଲିନି। ସଂଗେ ସଂଗେ ଲାଲା ସାହି ରେ ସାର୍ ରହୁଥିବା ଘରକୁ ଗଲି ଶୁଣିଲି ତା ପୂର୍ବଦିନ ରାତି ୧୦ ଟା ରେ କଟକ ରୁ ଫେରି ଖାଇକି ଶୋଇଥିଲେ। ଆଉ ସକାଳୁ ଛାତିରେ କଷ୍ଟ ହେଲା। ତା ପରେ ସବୁ ଶେଷ୍।

ସାର୍ ଙ୍କୁ ଶେଷ ପ୍ରଣାମ କରି ଫେରିଲି l

କିନ୍ତୁ ଏତେ ଥର ସୁବିଧା ପାଇ ବି ସାର୍ ଙ୍କ ପାଖରେ କରିଥିବା ଭୁଲ୍ କୁ ସ୍ୱୀକାର କରି ପାରିଲିନି ଏଥି ପାଇଁ ମନରେ ସବୁଦିନ ପାଇଁ ଅବଶୋଷ ରହିଗଲା।

ଅଧ୍ୟାପକ, ରାଜନୀତି ବିଜ୍ଞାନ
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top