ଏକବିଂଶତମ ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା: ପ୍ରଥମ ସନ୍ଧ୍ୟାରେ ୩ ନାଟକ: ହାସ୍ୟ, କରୁଣ ସହ ଜୀବନ ଯନ୍ତ୍ରଣା

ସମ୍ବଲପୁର, ୨୫/୧୨(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସ୍ଥାନୀୟ ଝାଡ଼ୁଆପଡ଼ା ଆରଣ୍ୟକ ମଞ୍ଚରେ ଏକବିଂଶତମ ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଫେସର ମୀନକେତନ ପୁରୋହିତ ଓ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅତିଥି ଭବେ ଯୋଗଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଆୟୋଜନ ସମିତି ସଭାପତି ସଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ସିଦ୍ଧାର୍ଥ ପଣ୍ଡା ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ। ଅତିଥିମାନେ ସମ୍ବଲପୁରୀ ନାଟକକୁ ଏକ ସ୍ୱତନ୍ତ୍ର ପରିଚିତି ପ୍ରଦାନ କରିବାରେ ଏହି ନାଟକ ପ୍ରତିଯୋଗିତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମାନବୃଦ୍ଧି ସକାଶେ କମ୍‌ସଂଖ୍ୟକ ନାଟକ ପ୍ରଦର୍ଶନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା। ଆଗାମୀ ଦିନରେ ଜାତୀୟସ୍ତରର ନାଟକ ପ୍ରଦର୍ଶନ ଦିଗରେ ଯତ୍ନବାନ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଭିଷେକ ମିଶ୍ରଙ୍କ ସମେତ ଆୟୋଜନ ସମିତିର ସଦସ୍ୟମାନେ ମଞ୍ଚାସୀନ ଥିଲେ। ଉଦ୍‌ଘାଟନୀ ଦିବସରେ ‘ଜୁକର୍‌’, ‘ସାହିତ୍ୟ ଦୁକାନ’ ଏବଂ ‘ଯୁଜ୍‌ନା ଚାଲିଛେ’ ଭଳି ତିନିଟି ବ୍ୟଙ୍ଗାତ୍ମକ ନାଟକ ପରିବେଷିତ ହୋଇଥିଲା।

ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁରର କଳାକାର ମାନେ ଜୁକର ନାଟକ ପରିବେଷଣ କରି ଏକ ବାମନର ଜୀବନ କାହାଣୀକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପୁର୍ଣ୍ଣଚନ୍ଦ୍ର ମିଶ୍ର ଜଣେ ବାମନ। ତାଙ୍କ ପୁଅ ଛୋଟୁ ଓ ସ୍ତ୍ରୀ ଲକ୍ଷ୍ମୀଙ୍କୁ ନେଇ ଛୋଟ ପରିବାର। ସେ ସର୍କସରେ କାମ କରନ୍ତି। ଜୀବନରେ ଯାହା ଦୁଃଖ ଥିଲେ ବି ଲୋକଙ୍କୁ ହସାନ୍ତି। ସେ ଜୋକର ହୋଇଥିବାରୁ ତାଙ୍କ ସ୍ତ୍ରୀ ଅପମାନ ବୋଧ କରୁଥାଆନ୍ତି। ତାଙ୍କ ପୁଅ ବି ବେଳେ ବେଳେ ସାଙ୍ଗମାନଙ୍କ ଠାରୁ ଅପମାନିତ ହେଉଥାଏ। ଏ ବିଷୟ ପୂର୍ଣ୍ଣଚନ୍ଦ୍ର ଜାଣିବା ପରେ ତାଙ୍କ ମନରେ ଖୁ୍‌ବ୍‌ଦୁଃଖ ହୁଏ। ସେ କିଛି ଖରାପ କାମ କରୁଛି ବୋଲି ଭାବନ୍ତି ନାହିଁ। ଘଟଣାକ୍ରମରେ ଏକ ଦୁର୍ଘଟଣାରୁ ପାଞ୍ଚଶହ ଲୋକଙ୍କୁ ରକ୍ଷା କରିବା ଯୋଗୁଁ ତାଙ୍କୁ ରାଷ୍ଟ୍ରପତି ସମ୍ମାନୀତ କରନ୍ତି। ଏହାପରେ ପରିବାର ଓ ସମାଜରେ ତାଙ୍କର ସମ୍ମାନ ବୃଦ୍ଧି ପାଏ। ହାସ୍ୟ, କରୁଣ ଓ ବାତ୍ସଲ୍ୟ ରସପୂର୍ଣ୍ଣ ଏହି ନାଟକଟି ଚମକ୍ରାର ଅଭିନୟ, ନିର୍ଦେଶନା, ଆଲୋକସମ୍ପାତ ଯୋଗୁଁ ଦର୍ଶକଙ୍କ ମନ ଛୁଇଁଥିଲା। ଏହାକୁ ରଚନା ଏବଂ ନିର୍ଦେଶନା ଦେଇଥିଲେ ଅତୀଶ କୁମାର ଶତପଥୀ, ଦ୍ୱିତୀୟ ନାଟକ ଥିଲା ‘ସାହିତ୍ୟ ଦୁକାନ୍‌’। ଆଜି ସମୟରେ ସାହିତ୍ୟର ଦଲାଲ୍‌ମାନେ କିପରି ନବପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ଦେବା ନାଁରେ ତାଙ୍କ ଠାରୁ ଅର୍ଥ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବାହାନାରେ ଶୋଷଣ କରନ୍ତି ତାର ଏକ ଚିତ୍ର ଏହି ନାଟକରେ ଦେଖିବାକୁ ମିଳିଥିଲା। କବି ରାମଚରଣ ପ୍ରଧାନ କୁହାକଖାରୁ ସାହିତ୍ୟ ପରିଷଦ ଗଠନ କରି ସାହିତ୍ୟ ନାମରେ ଦୁର୍ନୀତି କରୁଥିବାର ଏଥିରେ ଦର୍ଶାଯାଇଛି। ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦେଶିତ ଏହି ନାଟକକୁ ବୀଣାପାଣି କଳାପରିଷଦ ବଡ଼କର୍ଲେର କଳାକାର ମାନେ ପରିବେଷଣ କରିଥିଲେ। ନାଟକରେ ହାସ୍ୟରସ ଭରି ରହିଥିଲା। ଶେଷନାଟକ ଥିଲା ‘ଯୁଯ୍‌ନା ଚାଲିଛେ’। ଅରୁଣ କୁମାର ସାହୁଙ୍କ ରଚିତ, ନିର୍ଦେଶିତ ଏହି ନାଟକକୁ ପରିବେଷଣ କରିଥିଲେ ତାଲଶ୍ରୀଗିଡ଼ା ଗାଁ ମାଏଟ ସାଂସ୍କୃତିକ ଆନ୍ଦୋଳନର କଳାକାରମାନେ। ଏହି ନାଟକରେ ସରକାରୀ ଯୋଜନା ଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କୁ ପଙ୍ଗୁ କରି ଦେଇ ରାଜନେତାମାନେ କିପରି ନିଜର ସ୍ୱାର୍ଥ ହାସଲ କରନ୍ତି ସେହି ବିଷୟକୁ ଚିତ୍ରଣ କରାଯାଇଥିଲା। ପୀଢ଼ୀ ପରେ ପୀଢ଼ୀ ରାଜନେତା ମାନଙ୍କ ରାଜନୀତିର ଶିକାର ହୋଇ କିପରି ଉପରକୁ ଉଠି ପାରୁନାହାନ୍ତି ନାଟକରେ ତାହା ଦେଖାଇବାର ଚେଷ୍ଟା କରାଯାଇଥିଲା। ଏହି ନାଟକର ସଂଳାପ ‘ତର୍‌ଲି ନାଇଁ ଯିବୁ ଉହୁଲି ଯିବୁ’। ସାମାଜିକ ବାର୍ତ୍ତା ଦେଉଥିଲା। ଏହା ଏକ ତାଚ୍ଛଲ୍ୟ ଧର୍ମୀ ନାଟକ ମନେ ହେଉଥିଲା।

Leave a Reply

Your email address will not be published. Required fields are marked *