ଓଡ଼ିଶା

ଋଣ କବଳରେ କବଳିତ ମଣିଷ : ବାଧ୍ୟହୁଏ ଆତ୍ମହତ୍ୟା ପାଇଁ

– ଜଗଦୀଶ ସୁନା

ମଣିଷ ବଂଚିବା ସାଙ୍ଗକୁ ପରିବାର ପ୍ରତିପୋଷଣ କରିବା ପାଇଁ ରୋଜଗାର କରିବାକୁ ପଡିଥାଏ ତତ୍ ସଙ୍ଗେ ସଙ୍ଗେ ଅର୍ଥର ନିଅଂଟ ହେଲେ ମଣିଷ କୁ ବାଧ୍ୟ କରାଇଥାଏ ଋଣ ନେବାପାଇଁ। ଋଣ ମହାଜନ ଠାରୁ ହେଉ ବା ଆତ୍ମିୟ ସ୍ୱଜନଙ୍କ ଠାରୁ ହେଉ ସେମାନଙ୍କ ଠାରୁ ନେବାକୁ ପଡିଥାଏ ଋଣ ତା ବଦଳରେ ସତକଡା ତିନି ରୁ ପାଂଚ ଟଙ୍କା ଦେବାକୁପାଡିଥାଏ। ଯଦି ଟଙ୍କା ର ମାତ୍ରା ଉର୍ଦ୍ଧ ହୁଏ ତେବେ ସତକଡା ଏକ ଟଙ୍କା ରୁ ଦୁଇଟଙ୍କା ଦେବାକୁ ପଡିଥାଏ କିନ୍ତୁ ଚାଷୀଋଣ ସବୁଠାରୁ ନିଆରା। ଯାହାକି ଚାଷୀ ଭାଇ ମାନଙ୍କୁ ନେବାକୁପଡିଥାଏ ସ୍ଥାନୀୟ ସେବା ସମବାୟ ବ୍ୟାଙ୍କ କିମ୍ବା ଆଂଚଳିକ ବ୍ୟାଙ୍କ ତଥା ଅନ୍ୟାନ୍ୟ ଘରୋଇ ବ୍ୟାଙ୍କ ମାନଙ୍କ ଠାରୁ। ବିଶେଷ କରି ସେବା ସମବାୟ ବ୍ୟାଙ୍କ ରେ ଅଧିକ ଲୋକେ ଚାଷିଋଣ କାରବାର କରିଥିବାର ଦେଖିବାକୁ ମିଳେ। ଓଡିଶାରେ ଥିବା ଅନେକ ସେବାସମବାୟ ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରୁ ବରଗଡ ଜିଲ୍ଲା ପାଇକମାଲ ବ୍ଲକ, ଝାରବନ୍ଦ ପଂଚାୟତ ସ୍ଥିତ ଜାମସେଠ ସେବା ସମବାୟଠାରୁ ନେଇଥିବା ଚାଷୀଋଣ ଦ୍ୱାରା ମଣିଷ କିପରିଭାବେ ତଳସ୍ତରକୁ ନେଇଯାଇଥାଏ ତାହା ର ବାସ୍ତବ ଚିତ୍ର ର ଏକ ଉଦାହରଣ ଦେଖାଯାଏ ଜଲଗଡ ଗ୍ରାମର କ୍ଷଦ୍ର ଚାଷୀ ଜଗଦୀଶ ବୁଡେକଙ୍କ ଠାରୁ।

ଝାରବନ୍ଧ ପଂଚାୟତ, ପାଇକମାଲ ବ୍ଲକ, ବରଗଡ ଜିଲ୍ଲା ଜଲଗଡ ଗ୍ରାମର ୪୮ ବର୍ଷ ର ଜଗଦୀଶ ବୁଡେକ। ଜଣେ ଆଦିବାସୀ ସମ୍ପ୍ରଦାୟର ଚାଷୀ। ସେ ପାଇକମାଲ ସ୍ଥିତ ଧରଜ୍ଗଡ ଆଶ୍ରମ ଠାରୁ +୨ ଯାଏ ପାଠ ପଢିଥିଲେ। ଆର୍ଥିକ ଅନାଟନ ଯୋଗୁଁ ଆଗକୁ ପାଠ ପଢିବାରୁ ବଂଚିତ ହୋଇଥିଲେ। ନିଜ ସ୍ୱାଭିମାନ କୁ ବଂଚାଇ ଦାଦନ ଖଟି ଯାଉନଥିଲେ। ଥରଟିଏ ସାଙ୍ଘାତିକ ପରିସ୍ଥିତି ଉଠିବାରୁ ତାମିଲନାଡୁ ସହରର ତ୍ରିପୁର ର କପଡା ଦୋକାନ ରେ କାମକରିବାକୁ ଯାଇ ସେଠାରୁ ୨୦, ୦୦୦ ଟଙ୍କା କମାଣି କରି ନିଜ ଗାଁ କୁ ଫେରିଥିଲେ ଓ ନେଇଥିବା ଋଣବାଡି ସୁଝିଥିଲେ। ସେ ଜାତି ରେ ଆଦିବାସୀ ସମ୍ପଦାୟ ହୋଇଥିବାରୁ ଶିକ୍ଷାକର୍ମିର୍ ଚାକିରୀଟିଏ ପାଇଥିଲେ। ସେହି ସମୟରେ ଦରମା ୪୦୦ ଟଙ୍କା ହୋଇଥିବାରୁ ସେ ଚାକିରୀ ନକରି ଛାଡିଦେଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବାବେଲେ ବଡଝିଅଟି କୌଶଲ୍ୟା କୁ ବାହାଦେଇ ସାରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ଗତ ୨୦୦୭ -୦୮ ମସିହାରେ ଅକସ୍ମାତ ତା ପୁଅକୁ ଭାଲୁ ଆକ୍ରମଣ କରିବା ଦ୍ୱାରା ମୃତ୍ୟୁ ହୋଇଯାଇଥିଲେ। ସେ ମାଟ୍ରିକ ଯାଏ ପାଠପଢିଥିଲେ। ପୁଣି ୧୫ ବର୍ଷର ସବାସାନ ଝିଅ ମଧ୍ୟ ହଠାତ୍ କୌଣସି କାରଣରୁ ମୃର୍ତୁ୍ୟ ହୋଇଯାଇଥିଲେ। ବର୍ତମାନ ତାଙ୍କ ଘରେ ଜଗଦୀଶ ଙ୍କ ସହିତ ତା ସ୍ତ୍ରୀ ଜେମାବତୀ ବୁଡେକ ଉଭୟେ ଚିନ୍ତା ଗ୍ରସ୍ତରେ ରହିଛନ୍ତି। ନିଜ ପିତୃ ଅର୍ଜିତ ସଂପତି ରୁ ଭାଗ ପାଇଥିବା ପାଂଚ ଏକର ଜମି କୁ ଦୀର୍ଘବର୍ଷରୁ ଚାଷ କରିଆସୁଥିଲେ। ସେହି ଜମିରୁ ତିନି ଏକର ଟିକିରା ଜମି ହୋଇଥିବା ବେଳେ ଦୁଇ ଏକର ବାହାଲ ଜମି। ସେହି ଜମି ମାନଙ୍କରେ କପା ଚାଷ ସାଙ୍ଗ କୁ ଧାନଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାଏ। ପୁଣି ଅର୍ଥ ନିଅଂଟ ସକାଶେ ତା ନିଜଘରେ ଦୁଇ ତିନିଶହ ଟଙ୍କା ର ସାମଗ୍ରୀ ନେଇ ଛୋଟିଆ କିରାନା ଦୋକାନଟିଏ ଦେଇଥିଲେ। ଗାଁ ଟି ଜଙ୍ଗଳଘେରା ଅଂଚଳ। ଅଧିକାଂଶ ହରିଜନ ଓ ଆଦିବାସୀ ସଂପ୍ରଦାୟ ଲୋକେ ରହନ୍ତି। ସେଠାକାର ଲୋକେ କେବଳ ଆକାଶ ର ବର୍ଷା ଉପରେ ନିର୍ଭର କରି ଚାଷବାସ କରିଥାନ୍ତି। ଏହି ଗାଁ ଠାରୁ ଜିଲ୍ଲା ସଦର ମହକୁମା ୧୩୦ କି.ମି. ନା ସେଠାରେ ଦେଖିବାକୁ ମିଲେ ବନ୍ଧକଟା ନା ଜଳସେଚନ ର ସୁବିଧା। ଠାଁଏ ଠାଁଏ ଶୁଖା ଏରିଆ। ଗ୍ରୀଷ୍ମ ଦିନରେ ଏହି ଅଂଚଳ ର ଲୋକେ ଜଙ୍ଗଳଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଲେ ବର୍ଷା ମାସେ ଚାଷ ସଂପର୍କିୟ କୁଳି ମଜୁରୀ କରି ଚଳିଥାନ୍ତି। ଏହି ଗାଁ ର ଅଧାରୁ ଅଧିକାଂଶ ଲୋକେ ନବାନ୍ନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ମାସରେ ଖାଦ୍ୟ ଅନ୍ୱେଷଣେ ପାଇଁ ଦଲାଲ ମାନଙ୍କ ଠାରୁ ଅଗ୍ରିମ ଟଙ୍କା ନେଇ ସୁଦୁର ଦେଶ କୁ ଦାଦନଖଟି ଯାଇଥାନ୍ତି। ଏହା ଦୀର୍ଘବର୍ଷରୁ ଏହି ପ୍ରଥା ଚଳିଆସୁଛି। ଦୀର୍ଘ ତିନିବର୍ଷ ଧରି ୨୦୧୫, ୨୦୧୬ ଓ ୨୦୧୭ ଏହି ଅଂଚଳ ମାନଙ୍କରେ ମରୁଡିର ଭୟ ଦେଖାଦେଇଥିଲା। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଳ ସବୁ ନଷ୍ଟ ହୋଇ ପୁଆଲ ପାଲଟି ଯାଇଥିଲା। ଜଗଦୀଶ ବୁଡେକ ଚାଷ ବାବଦକୁ ଚାଷ କରିବାପାଇଁ ଜାମସେଠ ସେବା ସମବାୟ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଓ ସ୍ଥାନୀୟ ମହାଜନ ଠାରୁ ଚାଷୀଋଣ ନେଇ ଚାଷ କରିଥିଲେ। ଚାଷ ନଷ୍ଟ ହେବା ଫଳରେ ଟଙ୍କା ଫେରସ୍ତ କରିନପାରି ତାକୁ ବହୁତ ଚିନ୍ତା ଘାରିଥିଲା। ତାଙ୍କ ଟିକିରା ତିନି ଏକର ଜମିରେ କପାଚାଷ ଓ ବାହାଲ ୨ ଏକର ଜମିରେ ଧାନ ଚାଷ କରି ସର୍ବସ୍ୱାନ୍ତ ହୋଇଥିବା କଥା ତାଙ୍କ କାକା ପୁଅ ହରେ ବୁଡେକ ଓ ତା ସ୍ତ୍ରୀ କହିବସନ୍ତି। ଅନ୍ୟ ପଟେ ପରିବାର ପ୍ରତିପୋଷଣ ଓ ପୁଅଝିଅ କୁ ପାଠ ପଢଇବାର ଚିନ୍ତା ଦୁଇ ଗୁଣିତ ହୋଇଯାଇଥିଲା ଶେଷରେ ନିଜକୁ ସମ୍ଭାଲି ନପାରି ଗତ ତା.୨୭.୧୦.୨୦୧୭ ରିଖ ଦିନ ନିଜ ବିଳରେ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାହା ଓଡିଶା ସାରା ଚାଷୀ ଆତ୍ମହତ୍ୟା ବୋଲି ଚର୍ଚ୍ଚିତ ହୋଇଥିଲା ବିଭିନ୍ନ ଗଣ ମାଧ୍ୟମ ମାନଙ୍କରେ। ରାଜ୍ୟ ସରକାର ଙ୍କ ପ୍ରତିନୀଧିମାନେ ମଧ୍ୟ ସଂପୃକ୍ତ ଗାଁ କୁ ଅନୁଧ୍ୟାନ କରିଆସି ଚାଲି ଯାଇଥିଲେ। ଚାଷୀ ଆତ୍ମହତ୍ୟା ବିଷୟକୁ ରାଜ୍ୟରେ ଅନେକ ନେତା ବୁଦ୍ଧିଜିବୀ ଓ ଆଇନଜିବୀ ମାନଙ୍କ ଦ୍ୱାରା ଚର୍ଚ୍ଚାର ସହ ଆଳୋଚନ ସମାଳୋଚନା ହୋଇଥିଲା। ଶେଷ କୁ ସରକାର ମଧ୍ୟ ବଧ୍ୟ ହୋଇ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ, ବିମାରାଶୀ ମଧ୍ୟ ଦେଲେ ହେଲେ ମୂଳ ଘଟଣାକୁ ଅନୁଧ୍ୟାନ କଲେନାହିଁ। ପରବର୍ତି ପର୍ଯ୍ୟାୟରେ ତାହା ଶିତିଲ ହୋଇଗଲା ଓ ଆଗକୁ ପୂର୍ଣ୍ଣଛେଦ ହୋଇ ରହିଗଲା।

ମୃତ ଜଗଦୀଶ ବୁଡେକ ଜୀବିତ ଥିବାବେଳେ ଚାଷ ପାଇଁ ସେବା ସମବାୟ ବ୍ୟାଙ୍କ ଜାମସେଠ ଠାରୁ ଗତ ତା.୨୩.୦୫.୨୦୧୪ ରେ ପ୍ରଥମ କରି ଖରିଫ ଚାଷ ବାବଦକୁ ୮୯, ୩୦୭ ଟଙ୍କା ରୁଣ ନେଇଥିଲେ। ଏହି ଟଙ୍କ ନେବା ପୂର୍ବରୁ ନିଜ ଜମିର ପାଂଚ ଏକର ପାର୍ଚ୍ଚା ର ଅବିକଳ ନକଳ ନିଆଯାଇଥିଲା। କେବଳ ଥରଟିଏ ବ୍ୟାଙ୍କ କର୍ମଚାରୀ ଙ୍କ ଠାରୁ ଭିତିରିଆ ଦିଆନିଆ ହଉ ଅବା ଆପୋଷ ବୁଝାମଣା ହେଇଥାଉ ସେ ଟଙ୍କା ପାଇଥିଲା ଏହି ଟଙ୍କା ସୁଝି ନ ପାରିବାରୁ ଗତ ତା.୨୫.୦୩.୨୦୧୫ ରେ ସେ ଟଙ୍କା କୁ ନବୀକରଣ କରାଗଲା (ରିନୁୱାଲ)। ତେବେ ମୂଳଟଙ୍କା ଟ୮୯, ୩୦୭ ଯୁକ୍ତ ସୁଧ ବାବଦକୁ ୧୪୮୮ ଟଙ୍କା ଏବଂ ପଇଠ କରିବାର ନର୍ଦ୍ଧାରିତ ତାରିଖ ହିସାବରେ ତିନି ସତକଡା ର ସୁଧ ରିହାତି ଦିଆଗଲା ୨୨୩୧ ଟଙ୍କା। ବଳକା ରହିଲା ତାଙ୍କ ଜମାଖାତାରେ ୯୩୦୨୮ ଟଙ୍କା ସେ ଟଙ୍କାରୁ ୨୨୩୧ ଟଙ୍କା କର୍ତନ କରାଯାଇ ୯.୭୯୫ ଟଙ୍କା ରହିଲା। ପୁଣି ତା.୨୫.୦୩.୨୦୧୫ ରେ ତାଙ୍କ ନାମରେ ରବିଚାଷ ପାଇଁ ଋଣ ନେଇଥିବାର ଦେଖାଇଦିଆଗଲା ୯୧, ୫୦୦ ଟଙ୍କା। ସେ ଟଙ୍କା କୁ ତା ୧୩.୦୮.୨୦୧୫ ମସିହାରେ ନବିକରଣ କରିଦିଆଗଲା ମୁଳ ଟଙ୍କା ୯୧୫୦୦ ଯୁକ୍ତ ସୁଧ ୨୬୧୫। ତାହା ୧୨ ଟଙ୍କା ୭୫ ପାଇସା ସୁଧ ଆକାରରେ ଯୋଡି ଦିଆଯାଇଥିଲା। ସମୁଦାୟ ଟଙ୍କା ହୋଇବସିଥିଲା ୯୪୧୧୫। ଏହି ତାରିଖ ଦିନ ତାଙ୍କ ନାମରେ ରସିଦ କଟାଯାଇଥିବାର ଦର୍ଶାଇ ଦିଆଗଲା। ତାଙ୍କୁ ପୁଣି ଋଣ ଖରିଫ ଚାଷ ପାଇଁ ଋଣ ଦିଆଯାଇଥିବାର ଦର୍ଶାଇ ଦିଆଗଲା ୯୭୦୦୦ ଟଙ୍କା ଗତ ୧୪.୦୧.୨୦୧୫ ଦିନ। ସେହି ସମୟରେ ବିମାଋଣ ଦିଆଗଲା ୮୫ ଟଙ୍କା, ଏହାପରେ ଗତ ତା୩୦.୦୬.୨୦୧୬ ମସିହାରେ ତାଙ୍କ ଟଙ୍କା ପରିଶୋଧ ର ରସିଦ କଟାଗଲା। ମୂଳଟଙ୍କା ୯୭, ୦୦୦ ଟଙ୍କା ଯୁକ୍ତ ସୁଧ ୧୩୨୯ ଟଙ୍କା ମିଶିଲେ ୯୮, ୩୨୯ ଟଙ୍କା। ପୁଣି ତା.୦୧.୦୭.୨୦୧୬ ମସିହାରେ ଖରିଫ ବାବଦକୁ ଋଣ ନେଇଥିବାର ଦର୍ଶାଇଦିଆଗଲା ୧୦୧୦୦୦ ଟଙ୍କା। ତା.୦୯.୦୭.୨୦୧୬ ମସିହାରେ ସାର ବାବଦକୁ ୧୨, ୨୭୨ ଟଙ୍କା ଓ ତା.୩୦.୦୯.୨୦୧୬ ରେ ବୀମାଋଣ ଦିଆଗଲା ୨୧୩ ଟଙ୍କା। ତେବେ ତାଙ୍କର ମୋଟ ଋଣ ନେଇଥିବାର ସେହି ସିଜନ ରେ ହୋଇଯାଇଥିଲା ୧, ୧୩, ୪୮୫ ଟଙ୍କା। ଥରଟିଏ ତା.୦୬.୧୨.୨୦୧୬ ମସିହାରେ ୨୦୧୫ ବର୍ଷର ବୀମା ଟଙ୍କା ପାଇଥିଲେ ୨୧, ୩୪୦ ଟଙ୍କା। ସେହି ଟଙ୍କା ତାଙ୍କ ଋଣ ଖାତାକୁ ଚାଲିଯାଇଥିଲା। ତେବେ ତାଙ୍କ ଖାତାର ମୂଳ ଟଙ୍କାରୁ ୨୦, ୩୫୨ ଟଙ୍କା ଓ ସୁଧ ରୁ ୯୮୮ ଟଙ୍କା କାଟିଦିଆଗଲା। ବଳକା ରହିଲା ୯୩, ୧୩୩ ଟଙ୍କା। ତେବେ ତା.୨୭.୦୧.୨୦୧୭ ମସିହାରେ ତାହା ୯୩, ୦୦୫ ଟଙ୍କା ନବିକରଣ କରାଗଲା ଏବଂ ୨୬୫ ଟଙ୍କା ସୁଧ ବାବଦକୁ ମଧ୍ୟ କାଟି ଦିଆଗଲା ତେବେ ତାଙ୍କର ବଳକା ଟଙ୍କା ରହିଲା ୧୨୮ ଟଙ୍କା। ପୁଣି ତା.୨୭.୦୧.୨୦୧୭ ମସିହାରେ ରବିଋଣ ବାବଦକୁ ତାଙ୍କୁ ଦର୍ଶାଇଦିଆଗଲା ୧, ୧୩, ୧୨୮ ଟଙ୍କା। ୦୭.୦୭.୨୦୧୭ ମସିହାରେ ୧୧୩୦୦୦ ଟଙ୍କା ନବିକରଣ କରାଗଲା। ସୁଧ ବାବଦକୁ ୨୯୬୦ ଟଙ୍କା, ସେହି ଦିନ ତା.୦୭.୦୭.୨୦୧୭ ରେ ଦର୍ଶାଇଦିଆଗଲା ତାଙ୍କ ଖାତାରେ ଋଣ ନେଇଥିବାର ୧, ୧୬, ୦୦୦ ଟଙ୍କା। ସାର ବବଦକୁ ନେଇଥିବା ପୁଣି ୮୯୪ ଟଙ୍କା ଓ ବୀମାରୁ ୧୬୮୦ଟଙ୍କା ଏମିତି କରି ଯୋଡି ଦିଆଯାଇଥିଲା ୧, ୭୮, ୭୦୨ ଟଙ୍କା। ବର୍ତ ମାନ ପର୍ଯ୍ୟନ୍ତ ଦେଖିବାକୁ ଗଲେ ତାଙ୍କ ଖାତାର ହିସାବ କହୁଛି ତା ୩୧.୦୩.୨୦୧୮ ସୁଦ୍ଧା ୧, ୧୮, ୭୦୨ ଟଙ୍କା ମୂଳ ଟଙ୍କା ହୋଇଥିବା ବେଲେ ୪୪୯୨ ଟଙ୍କା ସୁଧ ବୃଦ୍ଧି ହୋଇଛି। ଏହି ପରି ଟିକିନିଖି ଭାବେ ହିସାବ ଦେଇଥିଲେ ଦାମୋଦର ରଣା ସଂପାଦକ ଜାମସେଠ କୃଷୀ ସମବାୟ ସମିତି। ସୂଚନାଯୋଗ୍ୟ ଯେ ବ୍ୟାଙ୍କ ଅନୁଯାଇ ଖରିଫ ସମୟ ଏପ୍ରିଲ ମାସରୁ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଝାଯାଏ। ଏହି ସମୟ ମଧ୍ୟରେ ଚାଷୀ ଭାଇ ମାନଙ୍କୁ ତିନି ଶତକଡା ଋଣ ବାବଦକୁ ସୁଧ ନିଆଯାଇଥାଏ। ଏହି ସମୟରୁ ଉର୍ଦ୍ଧ ହେଲେ ଶତକଡା ୧୨.୭୫ ଟଙ୍କା ହିସାବରେ ଗୁଣନ କରାଯଇ ନେଇଥିବା ମୁଳ ଟଙ୍କା କୁ ବୃଦ୍ଧି କରାଯାଉଥିବାର ସଂପୃକ୍ତ ସଂପାଦକ କହି ବସନ୍ତି।

ତେବେ ଏହି ପରିପ୍ରେକ୍ଷିରେ ଦେଖିବାକୁ ଗଲେ ସେବା ସମବାୟ ବ୍ୟାଙ୍କ ମାନଙ୍କଦ୍ୱାରା କିପରିଭାବେ ଚାଷୀଭାଇ ମାନେ ଶିକାର ହେଉଛନ୍ତି ତାହା ଏହିଠାରୁ ଜଣାଯାଏ। କେବଳ ସରକାରଙ୍କ ହିସାବ ରେ ହିସାବ ଚାଲିଛି, ସରକାରି କାର୍ଯ୍ୟ ବଂଚି ରହିଲେ ହେଲା ଅନ୍ୟ ପକ୍ଷରେ ଚାଷୀର ସମସ୍ୟା କୁ ବୁଝୁଛି କିଏ ? ଜଗଦୀଶ ବୁଡେକ ଥରଟିଏ କିମ୍ବା ଦୁଇଥର ସମ୍ପୃକ୍ତ ବ୍ୟାଙ୍କୁ ଯାଇଥିବେ କିନ୍ତୁ ତା ବାବଦରେ ହିସାବ କରାଯାଇଥାଏ ବର୍ଷକୁ ବର୍ଷ କେବଳ ଟେବୁଲ ଉପରେ। ତେବେ ଏହି ପରିପ୍ରେକ୍ଷି ରେ ତାଙ୍କ ଋଣ ବୃଦ୍ଧି ନେଇ ତାଙ୍କୁ ପଇଠ କରିବାରେ ସେ ହତାସ ହୋଇଯାଇଥିଲେ ଓ ତାଙ୍କ ଚିନ୍ତାର ପରିମାଣ ଦିନରାତି ଘାରି ରହିଥିଲା। ସେହି ବର୍ଷ କରାଳ ମରୁଡି ହେବାରୁ ସଂପୂର୍ଣ୍ଣ ଚାଷ ନଷ୍ଟ ହୋଇଯାଇଥିଲା। ଅନ୍ୟ ପଟେ ଋଣଗ୍ରସ୍ତ ର ଶିକାର ଓ ସ୍ଥାନୀୟ ମହାଜନୀ ଋଣ ସମସ୍ୟା ତଥା ପରିବାର ପ୍ରତି ପୋଷଣ ରେ ଜୁଡୁବୁଡୁ ହୋଇ ତାଙ୍କୁ ବ୍ୟାକଳ କରିଥିଲା। ପୁଣି ସେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଠାରୁ ଖରିଫ ଚାଷ ବାବଦରେ ୨୦୧୫ ମସିହାରେ ଋଣ ନେଇଥିଲେ ୮୧, ୦୦୦ ଟଙ୍କା। ସେହି ଟଙ୍କା କୁ ରିନୁ କରିଦିଆଗଲା ତା.୧୨.୦୬.୨୦୧୭ ମସିହାରେ ଦଶ ଶତକଡା ହିସାବ ରେ ଯୋଡିଦିଆଗଲା ତାହା ୯୧, ୦୦୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବିଶେଷ ବ୍ୟାଙ୍କ ସୂତ୍ର ରୁ ଜଣା ପଡିଥିଲା।
ଷ୍ଟେଟ୍ ବ୍ୟାଙ୍କ ନିୟମ ଅନୁସାରେ ରବି ଫସଳ ପାଇଁ ଜୁଲାଇ ୩୧ ସୁଦ୍ଧା ସତକାଡା ୭ ଟଙ୍କା ସୁଧ ନିଆଯାଇଥାଏ ଏବଂ ଜାନୁୟାରୀ ୩୧ ସୁଦ୍ଧା ଖରିଫ ଫସଳ ପାଇଁ ଶତକଡା ୭ ଟଙ୍କା ହିସାବରେ ସୁଧ ନିଆଯାଇଥାଏ। ଏହାରୁ ଉର୍ଦ୍ଧ ହେଲେ ବର୍ଷକୁ ୧୧.୦୫ ଶତକଡା ଟଙ୍କା ଯୋଡି ଦେଇ ହିସାବ କରିଦିଆଯାଇଥାଏ। ସେହ ିଷ୍ଟେଟବ୍ୟାଙ୍କ ଅନୁସାରେ ଅପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଖରିଫ ଋଣ ଦେଣ ନେଣ କାରବାର କରୁଥିବା ବେଳେ ଅକ୍ଟୋବର ମାସରୁ ମାର୍ଚ ମାସ ପର୍ଯ୍ୟନ୍ତ ରବି ଫସଳ ଋଣ କାରବାର କରିଥାନ୍ତି। ସେହି ଜଲଗଡ ଗ୍ରାମର ଚାଷୀ ଭାଇମାନେ ଗତ ୨୦୧୩ ରୁ ୧୪ ମସିହାରେ ଜାମସେଠ ସେବା ସମବାୟ ବ୍ୟାଙ୍କ ଠାରୁ ୧୧ ଜଣ ଚାଷୀ ଋଣ ନେଇ ଖିଲାପ ହୋଇଥିଲେ। ସେମାନଙ୍କୁ ଦେବାକୁ ପଡିବ ୫, ୮୯୦୧୩ ଟଙ୍କା। ୨୧.୦୭.୨୦୧୮ ମସିହାରେ ଖରିଫ ଚାଷ ପାଇଁ ଋଣ ନେଇଛନ୍ତି ସେହି ଗାଁ ର ୩୩ ଜଣ ଚାଷୀ ସର୍ବ ମୋଟ ୪୪ ଜଣ। ସେମାନଙ୍କ ଋଣ ବାବଦକୁ ହିସାବ କଲେ ୩୩, ୨୩, ୩୦୯ ଟଙ୍କା ଋଣ ଭାର ପଡୁଛି। ହାରା ହାରି ସେମାନଙ୍କ ମୁଣ୍ଡପିଛା ପଡିଲା ୭୫୦୦୦ ଟଙ୍କା। ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁସାରେ ଶୁଖା ଏରିଆ ରେ ଏକର କୁ ୨୬, ୦୦୦ ଟଙ୍କା ଦିଆ ଯାଉଥିବା ବେଲେ କେନାଲ ଏରିଆକୁ ଏକର କୁ ୨୭୦୦୦ ଟଙ୍କା ଦିଆଯାଇଥାଏ। ତେବେ ଏହି ପରିପ୍ରେକ୍ଷି ରେ କୃଷି ସମବାୟ ବ୍ୟାଙ୍କ କିମ୍ବା ଘରୋଇ ବ୍ୟାଙ୍କ ମାନେ କେମିତି ଚାଷି ଭାଇ ମାନଙ୍କୁ ଋଣଗ୍ରସ୍ତ କରି ଦେବାଲିଆ କରିଦେଉଛନ୍ତି ଓ ସେମାନଙ୍କ ଜୀବନର ଆୟୁକୁ ହ୍ରାସ କରିଦିଆଯାଇଥାଏ ଏହା ଏକ ଜ୍ୱଳନ୍ତ ଉଦାହରଣ। ତେବେ ଏହି ପରିପ୍ରେକ୍ଷି ରେ ପରିବାର ପ୍ରତିପୋଷଣ ଓ ପୁଅଝିଅକୁ ପାଠ ପଢାଇବାର ଚିନ୍ତ କିପରି ଭୋଗିବାକୁ ପଡୁଥିବ ତାହା ଆପଣ ମାନେ ଜାଣିପାରୁଥିବେ।

ବିଗତ ତିନିବର୍ଷ ମଧ୍ୟରେ ଜଲଗଡ ଗ୍ରାମରେ ଘଟିଥିବା ବର୍ଷାର ପରିମାଣ ଅନୁଧ୍ୟାନ କଲେ ଜଣାଯାଏ ଯେ ପାଇକମାଲ ବ୍ଲକ ରୋପୋର୍ଟ ଅନୁଯାୟୀ ଜାନୁୟାରୀ ମାସ ୨୦୧୫ ରେ ନିଲ, ଫେବୃୟାରୀ ମାସରେ ନିଲ, ମାର୍ଚ ମାସରେ ୦୫ ମି.ମି, ମେ ମାସରେ ୨୫ ମି.ମି, ଜୁନ ମାସରେ ୨୩୦ ମି.ମି., ଜୁଲାଇ ରେ ୨୦୯ ମି.ମି., ଅଗଷ୍ଟରେ ୨୧୬ ମି.ମି., ସେପ୍ଟେମ୍ବର ରେ ୧୮୦ ମି.ମି., ଅକ୍ଟୋବର ରେ ୦.୫ ମି.ମି. ଏବଂ ନଭେମ୍ବର, ଡିସେମ୍ବର ମାସ ରେ ନିଲ ବୃଷ୍ଟିପାତ ହୋଇଥିଲା ସେହିପରି ୨୦୧୬ ମହିହରେ ଜାନୁୟାରୀ ମାସରେ ୦୩ ମି.ମି., ଫେବୃୟାରୀ ନିଲ, ମାର୍ଚ୍ଚ ରେ ୧୬ମି.ମି., ଏପ୍ରିଲ ରେ ୦୫ ମି.ମି., ମେ ରେ ୪୯ ମି.ମି. ଜୁନ ରେ ୬୨.୦୭ ମି.ମି., ଜୁଲାଇ ରେ ୨୨୯.୩୬ ମି.ମି., ଅଗଷ୍ଟ ରେ ୧୮୩.୨୭ ମି.ମି., ସେପ୍ଟେମ୍ବର ରେ ୨୯୭.୧୫ ମି.ମି., ଅକ୍ଟୋବରେ ରେ ୫୬.୦୫ ମି.ମି., ନଭେମ୍ବର ରେ ନିଲ ଓ ଡିସେମ୍ବରରେ ମଧ୍ୟ ନିଲ ସହିପରି ୨୦୧୭ ମସିହାରେ ଜାନୁୟାରୀ ରେ୧୦୨ ମି.ମି., ଫେବୃୟାରୀ ନିଲ, ମାର୍ଚ ୦୭୪ ମି.ମି., ଏପ୍ରିଲ ନିଲ, ମେ ରେ ୦.୨୦ ମି.ମି., ଜୁନ ରେ ୨୦୬ ମି.ମି., ଜୁଲାଇରେ ୨୦୬ ମି.ମି., ଅଗଷ୍ଟ ୨୪୫ ମି.ମି., ସେପ୍ଟେମ୍ବର ୧୨୦ମି.ମି., ଅକ୍ଟୋବର ରେ ୮୨ ମି.ମି., ନଭେମ୍ବର ରେ ନିଲ ଓ ଡିସେମ୍ବରରେ ମଧ୍ୟ ନିଲ ଏହିପରି ଭାବରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସେହି ଅଂଚଳ ମାନଙ୍କରେ କରାଲ ମରୁଡି ଘାରିଥିଲା। ରାଜସ୍ୱ ଅଧିକାରୀ ଜାମସେଠ ଙ୍କ ରିପୋର୍ଟ ମୁତାବକ ୨୦୧୫- ମସିହାରେ ୭୦ ଶତକଡା କ୍ଷତି ହୋଇଥିବା ବେଲେ ୨୦୧୬ ମସିହାରେ ୬୦ ଶତକଡା କ୍ଷତି ହୋଇଥିଲା ଏବଂ ୨୦୧୭-୧୮ ମସିହାରେ ୭୦ ଶତକଡା କ୍ଷତି ହୋଇଥିଲା। ସେହି ବର୍ଷ ଜଗଦୀଶ ବୁଡେକ ଙ୍କ ସଂପୂର୍ଣ୍ଣ କପା ଏବଂ ଧାନ ଚାଷ ନଷ୍ଟ ହୋଇଥିବା କହିଥିଲେ। ଜାମସେଠ ଆର.ଆଇ ଶଶିଭୁଷଣ ସାହୁ ଓ ତାଙ୍କ ସହ ଯୋଗୀ ଇଶ୍ୱର ଚନ୍ଦ୍ର ନାଏକ ଙ୍କ ରିପୋର୍ଟ ମୁତାବକ ଜଲଗଡରେ ସମୁଦାୟ ୩୧୬.୯୪ ଏକର ଜମି ରହିଥିବାବେଲେ ୨୦୧୫-୧୬-୧୭ ମସିହା ମାନଙ୍କରେ ସମୁଦାୟ ଜମି ଗୁଡିକ କ୍ଷତି ହୋଇଥିଲା।୨୦୧୫-୧୬ ବର୍ଷ ରେ ସୁଖା ଜମି ମାନଙ୍କ ପାଇଁ ଇନପୁଟ ସବସିଡି ୬୮୦୦ଟଙ୍କା ଦିଆଯାଇଥିଲା ପର ହେକ୍ଟର କୁ। ୨୦୧୬-୧୭ ବର୍ଷ ରେ ଇନପୁଟ ସବସିଡି ଦିଆଯାଇନଥିଲା। ଗତ ୨୦୧୭-୧୮ ବର୍ଷ ରେ ଇନପୁଟ ସବସିଡି ୬୮୦୦ ଟଙ୍କା ଦିଆଯାଇ୍ଥିଲା। ସମୁଦାୟ ଝାରବନ୍ଧ ପଂଚାୟତ ର ବିଷେଶ କରି ଝାରବନ୍ଧ, ଗଙ୍ଗାଦାବର, ମେନକାମୁଣ୍ଡା, ଜଲଗଡ, ଟେମରିମାଲ, ଓ ପତ୍ରାପାଲି ରେ ମରୁଡି ଗ୍ରାସିଥିଲା। ଜଲଗଡ ଗ୍ରାମର ଆତ୍ମହତ୍ୟା କରିଥିବା ଜଗଦୀଶ ବୁଡେକ ନିଜ ପିତୃଅର୍ଜିତ ସଂପତି ରେ ୧୦ ଗୋଟି ପରିବାର ର ସଂପୃକ୍ତ ଥିବା ଜମିରୁ ୫ ଏକର ଭାଗ ପାଇଛି। ତାହା ଇଜମାଲି ସଂପତି ର ୮୬ ଏକର ଖାତା ନଂ ୦୪ ରେ ଦର୍ଶାଯାଇଥିବା ରାଜସ୍ୱ ଅଧିକାରୀ କହି ବସନ୍ତି।

୨୦-୨୫ ବର୍ଷ ଅନୁଭୁତି ରଖିଥିବା ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ସେହିଗାଁ ର ଅତୀତ ଉପରେ କହିବସନ୍ତି ଗ୍ରାଫାଇଟ ଖଣି ଭରପୁର ରହିଥିଲା। ଲୋକେ ଭୋକ ଉପାସରେ କଦାପି ରହୁନଥିଲେ କି ମରୁନଥିଲେ। ଲୋକଙ୍କୁ ରୋଜଗାର କରିବାର କ୍ଷମ ମିଲିଯାଉଥିଲା। ଏହି ଗାଁ ର ଟେମରିମାଲ ଓ ଝାରବନ୍ଧ ରେ ଦୁଇଗୋଟି ଗ୍ରାଫାଇଟ ଫେକ୍ଟ୍ରେରି ବସାଇଥିଲେ ସମ୍ବଲପୁର ନିବାସୀ ଶ୍ରୀ ଗିରିଧାରରୀ ଲାଲ ଅଗ୍ରୱାଲ। ଛୋଟ ଛୋଟ ଖଣି ଆଠ ଗୋଟି ରହିଥିବା ବେଲେ ସେଠାରେ ସେହି ଗାଁ ଲୋକେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। କାଳ କ୍ରମେ ପ୍ରାୟ ୧୦ ବର୍ଷ ହେବ ଖଣି ଗୁଡିକୁ ସରକାର ବନ୍ଦ କରିଦେବା ଫଳରେ ସେହି ଗାଁ ଲୋକେ ପେଟ ପାଟଣା ପାଇଁ ସହରାଭିମୁଖି ହୋଇବସିଲେ। ଏହା ପରେ ପରେ ଲଗାତାର ତିନିବର୍ଷ ଧରି ୨୦୧୫-୧୬-୧୭ ବର୍ଷା ନହେବା ଫଳରେ ସେହି ଗାଁ ରେ କରାଳ ମରୁଡି ଗ୍ରାସି ଥିଲା। ଫଲରେ ଲୋକେ ହା ଚିତ୍କାର କରି ବସିଥିଲେ। ସେହି ଚିତ୍କାର ରୁ ସେହି ଗାଁ ର ଜଗଦୀଶ ବୁଡେକ ଙ୍କ ଅବସ୍ଥା ଅତି ଜଘନ୍ୟ ସମସ୍ୟା ଉପୁଜିଥିଲା ବୋଲି କହିଥିଲେ। ପାଇକମାଲ ବ୍ଲକ ର ସରକାରୀ କନିଷ୍ଠଯନ୍ତ୍ରୀ ଙ୍କ କହିବାମୁତାବକ ସେହିି ଜଲଗଡ ଗ୍ରାମ ରେ ସରକାରଙ୍କ ତରଫରୁ କେବଳ କଂକ୍ରିଟ ରାସ୍ତା ଓ ଗାଧୁଆଘାଟ ଏବଂ କଲଭଟ ୨୦୧୫ ବର୍ଷ ରେ କାମ ହୋଇଥିବା ବେଲେ ୨୦୧୬-୧୭ ବର୍ଷ ମାନଙ୍କରେ କଂକ୍ରିଟ ରାସ୍ତା, ଗୋଧୁଆଘାଟ ଓ ଅଙ୍ଗନୱାଡି ଗୃହ ଏବଂ ୨୦୧୭-୧୮ ବର୍ଷ ମଧ୍ୟରେ କେବଳ ଗାଧୂଆ ଘାଟ କାମ କରାଯାଇଥିଲା କିନ୍ତୁ କରାଳ ମରୁଡି ସମୟରେ ଚାଷୀ ମାନଙ୍କ ଉଦ୍ଦେଶ ନେଇ ବା ସେମାନଙ୍କ ସମସ୍ୟାକୁ ଦୁର କରିବାପାଇଁ କୌଣସି ଉଦ୍ଦେଶମୁଳକ ମାଟିକାମ ବା ଉନ୍ନତ ମାନର ଯୋଜନା ଧରାଯାଇନଥିଲା। ଯଦି ଓ ମାଟି କାମ ପ୍ରତିବର୍ଷ ଧରାଯାଉଥିଲା ତାହା ଶ୍ରମିକ ନ ମିଲିବାରୁ କାମ ବନ୍ଦ ହୋଇଯାଉଥିଲା ବୋଲି ପାଇକମାଲ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଜୟରାମ ବାଗ ମତ ଦିଅନ୍ତି। ସେହି ତିନି ବର୍ଷ ମଧ୍ୟରେ ହାରାହାରି ୧୦, ୦୦୦୦୦ ଟଙ୍କା କାମ କରାଯାଇଥିବା କହିଥିଲେ। କିନ୍ତୁ ଦୁଃଖ ର ବିଷୟ ସେହି ମରୁଡି ପ୍ରପିଡିତ ଅଂଚଳ ମାନଙ୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ହୋଇଥିବା ହାତ କୁ କାମ ପେଟକୁ ଦାନା ଭଲି ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେହି ଗାଁ ମାନଙ୍କରେ କାମ କରାନଯିବା ଫଳରେ ଲୋକେ ଭୋକଦାଉରୁ କଳବଳ ହୋଇ ସହରାଭିମୁଖି ହେଉଥିଲେ ବୋଲି ସାଧାରଣ ଲୋକେ ମତ ଦିଅନ୍ତି।

ସେହି ପଂଚାୟତ ଅଧିନସ୍ଥ ଟେମରି ଗାଁ ର ଦେବାର୍ଚ୍ଚନ ସାହୁ ନାମକ ଚାଷୀ ର କହିବା ମୁତାବକ ଜଗଦୀଶ ବୁଡେକ ଜଣେ ସରଳ ଚାଷୀ ଥିଲେ। ଋଣଗ୍ରସ୍ଥ ତାର ମୁଖ୍ୟ କାରଣ, ମୋ ଦାଦା ଙ୍କ ଠାରୁ ମଧ୍ୟ ହାତ ଉଧାରି ନେଇଥିଲେ ମୁଁ ପ୍ରତ୍ୟକ୍ଷଦର୍ଶୀ। ସାମନ୍ୟ ୨୦୦ ରୁ ୩୦୦ ଟଙ୍କାର ସାମଗ୍ରୀ ନେଇ କିରାନା ଦୋକାନ ଟିଏ ଖୋଲି କିଣା ବିକା କରୁଥିଲେ। ଫସଳ ନଷ୍ଟ ଓ ବ୍ୟାପକ ମାତ୍ରାରେ ଋଣ ର ଶିକାର ହୋଇ ଆତ୍ମହତ୍ୟା କରିଥିବାର କହିଛନ୍ତି। ସେହି ଗ୍ରାମର ୪୪ ଜଣ ଚାଷୀ ନେଇଥିବା ଋଣ ଓ ଜଗଦୀଶ ବୁଡେକଙ୍କ ଋଣଗ୍ରାସ ରୁ ଅନୁମାନ କଲେ ଏମାନଙ୍କ ଅବସ୍ଥା କଣ ହେବ ତାହା ସମସ୍ତ ଙ୍କୁ ଜଣା। କେବଳ ଯେ ବୀମା ଟଙ୍କା ଓ ଋଣ ଛାଡ ଟଙ୍କା ମିଲିବ କେବେ ସେହି ଚାଷୀ ଭାଇମାନେ ଚାତକ ପକ୍ଷୀ ପରି ଆକାଶ କୁ ଚାହିଁ ରହିଛନ୍ତି। ସଂପୃକ୍ତ ସେବା ସମବାୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଋଣି ଚାଷୀ ଭାଇମାନଙ୍କୁ ପ୍ରୋସାହନ ଦେଇ ବସନ୍ତି ବୀମା ଟଙ୍କା ଓ ଋଣଛାଡ ହେଲେ ତୁମ୍ଭମାନଙ୍କ ଋଣଟଙ୍କା କଟିଯିବ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଚାଷୀ ମାନଙ୍କୁ ଉତ୍ସାହିତ କରିଥାନ୍ତି।

ବିଡମ୍ବନାର ବିଷୟ ଯେ ଚାଷୀ ଭାଇମାନଙ୍କୁ ଚାଷ ସମ୍ପର୍କରେ ଟିକିନିଖି କଥା, ସଦ ବିନିଯୋଗ, ସଦ୍ ବିନିଯୋଗ ବିଷୟ ଏବଂ ଋଣ ପଇଠକରିବା କଥା ନ କହି ଓଲାଟା ସେମାନଙ୍କୁ ଚାଷୀ ଋଣ ଛାଡ ହୋଇଗଲେ ଟଙ୍କା ସବୁ କଟିଯିବ ବୋଲି ଉଭୟେ ମିଳାମିଶା ଭାବେ ଉପଦେଶ ଗୁଡିକ ଦେଇଥାନ୍ତି ଫଳରେ ଚାଷୀଭାଇମାନ ଋଣାଭିମୁଖି ହୋଇଥାନ୍ତି ଓ ଶେଷ କୁ ଋଣଗ୍ରସ୍ଥ ହୋଇ ଜୀବନ ସହ ସଂଗ୍ରାମ କରନ୍ତି।

ନେସନାଲ ଫାଉଣ୍ଡେସନ ମିଡିଆ ଫେଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top