ଅନୁଗୁଳ

ଉଷସୀଙ୍କୁ ଅସଦାଚରଣ ଏବଂ ମାଡ଼ ମରା ଘଟଣାରେ ଅଭିଯୁକ୍ତ ବାପ ଓ ପୁଅ ଗିରଫ

ଅନୁଗୋଳ, ୩୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସିନେ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ପୁଅ ରୁଜିତ କୁମାର ସାହୁଙ୍କୁ ପୋଲିସ ସୋମବାର ଦିନ ଗିରଫ କରିଛି। ଏହି ଘଟଣାରେ ସହଯୋଗ କରିଥିବା ବଳରାମ ପ୍ରସାଦର ଦୁଷ୍ମନ୍ତ ସାହୁ ଏବଂ କନ୍ୟାବେଡ଼ା ଗ୍ରାମର ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ତେବେ ଇନ୍ଦ୍ରମଣି ସାହୁଙ୍କ ଅନ୍ୟତମ ପୁଅ ଅଜିତ କୁମାର ସାହୁ ଏବେ ସୁଦ୍ଧା ଫେରାର ଥିବାର ପୋଲିସ ପ୍ରକାଶ କରିଛି। ଏଥିସହ ସମ୍ପୂର୍ଣ୍ଣ ଘଟଣାରେ ବ୍ୟବହୃତ ହୋଇଥିବା ମାରୁତି ସୁଜୁକି କାର (ଓଡି ୧୯ ଏନ୍ ୯୨୧୦)ଗାଡ଼ି ଏବଂ ୬ଟି ମୋବାଇଲ ଫୋନ୍କୁ ମଧ୍ୟ ପୋଲିସ ଜବତ କରିଛି। ଏ ସମ୍ପର୍କରେ ଅନୁଗୋଳ ଏସପି ମିତ୍ରଭାନୁ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଇନ୍ଦ୍ରମଣି ଓ ତାଙ୍କ ପୁଅ ନାମରେ ଆଇପିସି ୩୪୧/୨୯୪/୩୨୩/ ୩୨୬/୩୦୭/୪୨୭/୩୫୪(କ)(ଖ)/୫୦୬ ଓ ୩୪ଧାରାରେ କେଶ ରୁଜୁ ହୋଇଛି। ପୋଲିସ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବାପରେ ତାଳଚେର କୋର୍ଟରେ ହାଜିର କରାଯିବ ବୋଲି ପୋଲିସ ପ୍ରକାଶ କରିଛି। ପ୍ରକାଶ ଥାଉକି, ଗତ ୨୨ତାରିଖରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଡେରେଙ୍ଗ ଗ୍ରାମରେ ହେଉଥିବା ଯାତ୍ରା ପରିବେଷଣ କରିବାକୁ ଆସିଥିବା ଉଷସୀଙ୍କୁ ଇନ୍ଦ୍ରମଣି ଏବଂ ତାଙ୍କ ପୁଅ ମାଡ଼ ମାରିବାସହ ଅସଦାଚରଣ କରିଥିବାର ୨୩ ତାରିଖ ସକାଳେ ଉଷସୀ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଇନ୍ଦ୍ରମଣି ମଧ୍ୟ ଉଷସୀଙ୍କ ବିରୁଦ୍ଧରେ ତାଳଚେର ଏସଡିଜେଏମ୍ କୋର୍ଟରେ ତାଙ୍କୁ ମାଡ଼ ମାରିଥିବା ପାଲଟା ଅଭିଯୋଗ କରିଥିଲେ। ପୂର୍ବରୁ ଅଭିଯୁକ୍ତଙ୍କ ଡ୍ରାଇଭର ଦୁଷ୍ମନ୍ତ କୁମାର ବେହେରାଙ୍କୁ ୨୩ ତାରିଖ ରାତିରେ ପୋଲିସ ଗିରଫ କରିଥିଲା। ଗତକାଲି ଉଷସୀ ରାଜ୍ୟ ସିନେ କଳାକାର ସଂଘ ସହିତ ପୋଲିସ ଡିଜି ଆର.ପି.ଶର୍ମାଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ଦୃଢ଼ ଦାବି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top