ଜିଲ୍ଲା ପରିକ୍ରମା

ଉର୍ଦ୍ଦୁ ଶିକ୍ଷା ପ୍ରତି ଶିକ୍ଷା ବିଭାଗ ବିମୁଖ କାହିଁକି?

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାର ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଗୁରୁତ୍ୱ ଦେଇ ସେମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏପରିକି ମୁସଲିମ ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଦୁ ଭାଷାରେ ତାଲିମ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଅପରପକ୍ଷରେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶହ ଶହ ତାଲିମପ୍ରାପ୍ତ ଉର୍ଦ୍ଦୁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନଥିବାରୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ସେହିପରି ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡିକରେ ବିନା ବେତନରେ ଦୀର୍ଘବର୍ଷ ହେବ ଉର୍ଦ୍ଦୁ ଶିକ୍ଷକମାନେ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ପଦବୀକୁ ଆପ୍ରୁଭ କରାଯାଉନାହିଁ। ଏଭଳି ସମସ୍ୟା ଏହି ଜିଲାର ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲ ଉର୍ଦ୍ଦୁ ଶିକ୍ଷକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ୨୦୦୪ ମସିହାରେ ଏହି ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏଠାରେ ସର୍ବାଧିକ ମୁସଲିମ ଛାତ୍ରଛାତ୍ରୀ ଉର୍ଦ୍ଦୁ ଭାଷାରେ ଅଧ୍ୟୟନ କରିଆସୁଛନ୍ତି। ଉକ୍ତ ବିଦ୍ୟାଳୟର ଉର୍ଦ୍ଦୁ ବିଭାଗରେ ଗତ ୨୦୦୯ ମସିହାରୁ ଉର୍ଦ୍ଦୁ ଶିକ୍ଷକ ଭାବେ ସେକ୍ ସବୀର କାର୍ଯ୍ୟ କରିଆସୁଛନ୍ତି। ବହୁ ପୂର୍ବରୁ ଉକ୍ତ ଉର୍ଦ୍ଦୁ ପଦବୀ ଆପ୍ରୁଭ ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସହିତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ୨୦୧୫ ଅକ୍ଟୋବର ୮ ତାରିଖରେ ସରକାରଙ୍କ ବ୍ଲକ ଗ୍ରାଣ୍ଟଇନଏଡ୍ ଯୋଜନାରେ ବିଦ୍ୟାଳୟଟି ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଉର୍ଦ୍ଦୁ ପଦବୀଟି ଆପ୍ରୁଭ୍ ହୋଇନାହିଁ। ଉକ୍ତ ବିଦ୍ୟାଳୟର ଉର୍ଦ୍ଦୁ ପଦବୀ ଏପ୍ରୁଭ୍ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶା ଓ ଜିଲା ଶିକ୍ଷାଧିକାରୀଙ୍କୁ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଏଥିସହ ସ୍ଥାନୀୟ ବିଧାୟକ, ସାଂସଦ ମଧ୍ୟ ବହୁବାର ଚିଠି ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏହା ମଧ୍ୟରେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଉପରୋକ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ରାଜ୍ୟ ଶିକ୍ଷା ବିଭାଗ ଉର୍ଦ୍ଦୁ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ରାଜ୍ୟ ସରକାରଙ୍କୁ ବଦନାମ କରୁଛନ୍ତି ବୋଲି ଓଡିଶା ୱାକବୋର୍ଡ ସଦସ୍ୟ ସେକ୍ ଜଲାଲଉଦ୍ଦୀନ ଅଭିଯୋଗ କରିଛନ୍ତି। ରାଜ୍ୟରେ ବହୁ ବିଦ୍ୟାଳୟରେ ଉର୍ଦ୍ଦୁ ପଦବୀ ଆପ୍ରୁଭ ହୋଇ ନଥିବା ଏବଂ ବହୁ ମୁସଲିମ ଛାତ୍ରଛାତ୍ରୀ ଉର୍ଦ୍ଦୁ ସିଟି ଓ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଘରେ ବସି ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦିଆ ନଯିବା ପରିତାପର ବିଷୟ ବୋଲି ସେ କହିଛନ୍ତି। ଓଡିଶାରେ ମୁସଲିମ ଛାତ୍ରଛାତ୍ରୀଙ୍କୁ ଉର୍ଦ୍ଦୁ ଶିକ୍ଷାରୁ ବଞ୍ଚିତ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ରାଜ୍ୟ ଶିକ୍ଷା ବିଭାଗ ଉପରୋକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top