ଉମରକୋଟ୍‌ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀର ୮୦ରୁ ଊର୍ଦ୍ଧ୍ୱ ଜନପ୍ରତିନିଧି ଆଜି ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର, ୧/୬/୨୦୧୮(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ବଳିଷ୍ଠ ନେତୃତ୍ୱ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ଓଡ଼ିଶା ଜନମୋର୍ଚ୍ଚା ବିଧାୟକ ପ୍ରାର୍ଥୀ ଆଇନ୍‌ଜୀବୀ ଗଙ୍ଗାଧର ଜାନି, ଉମରକୋଟ୍‌ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ୮୦ରୁ ଊର୍ଦ୍ଧ୍ୱ ଜନପ୍ରତିନିଧି ଓ କର୍ମୀ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ ନବରଙ୍ଗପୁର ଜିଲ୍ଲାରେ ଦଳ ଆହୁରି ମଜଭୁତ ହୋଇପାରିବ ବୋଲି କହିଥିଲେ।

ରାଇଘର ବ୍ଲକର ହାଟଭରାଣ୍ଡି ସମିତି ସଭ୍ୟା ରଞ୍ଜିତା ମାଝୀ, କାଉଦୋଳା ସମିତି ସଭ୍ୟ ରାମଚନ୍ଦ୍ର ଗଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୋବାଇ ଗଣ୍ଡ, ପୂର୍ବତନ ସରପଞ୍ଚ ଫଗୁନୁରାମ ଗଣ୍ଡ, ସୁକଚାନ୍ଦ ଗଣ୍ଡ, ଆଗମନ ଗଣ୍ଡ, ଲାଚୁରାମ ଗଣ୍ଡ, ଉମାଶଙ୍କର ସଂଘନା, ପାପଡ଼ାହାଣ୍ଡି ବ୍ଲକ କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ବୁଦୁରାମ ପୂଜାରୀ, ନୂଆକୋଟ ପୂର୍ବତନ ସରପଞ୍ଚ ଗାବ୍ରୁ ମାଝୀ, ଭତ୍ରା ସମାଜ ସଂପାଦକ ନେତ୍ରାନନ୍ଦ ନାୟକ, ଖ୍ରୀଷ୍ଟ ସମାଜ ସଂପାଦକ କପିଳାସ ସେମିଲି ପ୍ରମୁଖ ଆଜି ନବୀନ ନିବାସରେ ବିଜେଡିରେ ଯୋଗଦେଇଥିଲେ।

ନବୀନ ନିବାସ ଠାରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ କୁମାର ଦାସବର୍ମା, ସାଂସଦ ବଳଭଦ୍ର ମାଝୀ, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସୁବାସ ଗଣ୍ଡ, ଜିଲ୍ଲା ସଭାପତି ପ୍ରହ୍ଲାଦ ତ୍ରିପାଠୀ ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *