ଓଡ଼ିଶା

ଉପ-ନିର୍ବାଚନରେ ଦଳ ଲଜ୍ଜାଜନକ ସ୍ଥିତିରେ, ସମୀକ୍ଷା କରିବ କଂଗ୍ରେସ

ଯାଜପୁର-୭/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ବ୍ଲକ୍ ୩୦ ନମ୍ବର ଜିଲା ପରିଷଦ ଜୋନରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉକ୍ତ ଜୋନରୁ ଦଳୀୟ ପ୍ରାର୍ଥୀ ଯେଉଁ ପରିମାଣର ଭୋଟ ପାଇଥିଲା ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ତାହାଠାରୁ କମ୍ ଭୋଟ ପାଇଥିବା ଜଣାପଡ଼ିଛି। ଦଳର ବିପର୍ଯ୍ୟୟ ପାଇଁ ନୈତିକତା ଦୃଷ୍ଟିରୁ ଜିଲା ସଭାପତି ମନୋଜ ରାଉତ ଓ ଯାଜପୁର ବ୍ଲକ୍ ସଭାପତି ବିଳାସ ରାଉତରା ଇସ୍ତଫା ଦେଇଛନ୍ତି। ଦଳ ସ୍ଥିତି ପରଖିବା ସହ ସମୀକ୍ଷା କରିବ ବୋଲି କଂଗ୍ରେସ ଦଳର ନିର୍ବାଚନମଣ୍ଡଳୀ ନେତା ସନ୍ତୋଷ ନନ୍ଦ ସଫେଇ ଦେଇଛନ୍ତି। ଉପ-ନିର୍ବାଚନରେ ଶ୍ରୀ ନନ୍ଦଙ୍କ ସମେତ କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ବଳଭଦ୍ର ଦାସ, ବରିଷ୍ଠ ନେତା ଦିଗମ୍ବର କର, ବ୍ଲକ୍ ସଭାପତି ବିଳାସ ରାଉତରା, ଶ୍ୟାମଦାସପୁର ସରପଞ୍ଚ ଗଣେଶ୍ୱର ଦାସ, ପୂର୍ବତନ ସରପଞ୍ଚ ଗଦାଧର ଦାସ ପ୍ରମୁଖ ପଞ୍ଚାୟତଗୁଡ଼ିକର ଦାୟିତ୍ୱ ନେଇଥିଲେ। ଏପରିକି କେନ୍ଦ୍ରୀୟ ନେତା ରୁଦ୍ର ରାଜୁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବରୁଆଁ ଡାକବଙ୍ଗଳାରେ ନିର୍ବାଚନ ସମୀକ୍ଷା ବୈଠକ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଦଳର ବିପର୍ଯ୍ୟସ୍ତ ଘଟିଛି। ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମଫିଜୁଲ ରହେମାନ ଉକ୍ତ ୩୦ ନମ୍ବର ଜୋନରୁ ୩୦୦୫ ଖଣ୍ଡ ଭୋଟ ପାଇଥିବାବେଳେ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମଫିଜୁଲ ରହେମାନ ୧୭୮୦ ଖଣ୍ଡ ଭୋଟ ପାଇଛନ୍ତି। ଯାଜପୁର ବ୍ଲକ୍ର ସିମିଳିଆ, ବେରୁଦା, ମହେଶ୍ୱରପୁର, ଉପର ବରୁଆଁ, ଯମଧର ଓ ଶ୍ୟାମଦାସପୁର ପଞ୍ଚାୟତକୁ ନେଇ ୩୦ ନମ୍ବର ଜିଲା ପରିଷଦ ଜୋନ ଗଠିତ। ଉପ-ନିର୍ବାଚନ ୬ ଗୋଟି ପଞ୍ଚାୟତ ୨୧୬୫୩ ଭୋଟର ମତଦାନ କରିଥିଲେ। ସେଥିମଧ୍ୟରୁ ୩୯୨ ଭୋଟ ନାକଚ ହୋଇଥିଲା। ଅବଶିଷ୍ଟ ୨୧୨୬୧ ଭୋଟ ମଧ୍ୟରୁ କଂଗ୍ରେସ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ୧୭୮୦ ଖଣ୍ଡ ଭୋଟ ଯାଇଛି। ଏପରିକି ଶ୍ୟାମଦାସପୁର ପଞ୍ଚାୟତରେ ଦଳୀୟ ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ଗଣେଶ୍ୱର ଦାସ ଥିବାବେଳେ ଉପ-ନିର୍ବାଚନରେ କଂଗ୍ରେସ ଦଳ ପ୍ରାର୍ଥୀ ଉକ୍ତ ପଞ୍ଚାୟତରୁ ମାତ୍ର ୨୫୦ ଖଣ୍ଡ ଭୋଟ ପାଇବାରେ ସମକ୍ଷ ହୋଇଛନ୍ତି। ଯେଉଁ ବରିଷ୍ଠ ନେତାମାନେ ପଞ୍ଚାୟତଗୁଡ଼ିକର ଦାୟିତ୍ୱ ନେଇଥିଲେ। ସେହି ନେତାମାନେ ଠିକଣାଭାବେ ଦଳୀୟ ପ୍ରଚାରରେ ନିଜକୁ ସାମିଲ କରିନଥିବା ଅଭିଯୋଗ ହେଉଛି। କେବଳ ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ି ବାହା ବାହା ନେଉଥିଲେ। ବରିଷ୍ଠ ନେତାମାନେ ପ୍ରଚାରରେ ଆସିନାହାନ୍ତି, ପିକ୍ନିକ୍ ମନାଇବାକୁ ଆସିଛନ୍ତି ବୋଲି କେତେକ ଦଳୀୟ ନେତା ଖୋଲାଖୋଲିଭାବେ କହିବାକୁ ପଛାଇନଥିଲେ। ଏପରିକି ଯାଜପୁର ନିର୍ବାଚନମଣ୍ଡଳୀରେ ବହୁ ଦକ୍ଷ ଦଳୀୟ ନେତା ଥିବାବେଳେ ଉକ୍ତ ନିର୍ବାଚନରେ ସେମାନଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ ହେଉଛି। କଂଗ୍ରେସ ଦଳ ନିଜ ଦୋଷକୁ ସ୍ୱୀକାର କରିବା ପରିବର୍ତ୍ତେ ଅନ୍ୟ ଦଳର କଳାଟଙ୍କା ଆଗରେ ଦଳୀୟ ପ୍ରାର୍ଥୀ ପରାଜୟ ବରଣ କଲା ବୋଲି ବରିଷ୍ଠ ନେତାମାନେ ସଫେଇ ଦେଉଥିବା ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକ ନେଲାପରେ ଦଳ ଚଳଚଞ୍ଚଳ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଉପ-ନିର୍ବାଚନ ପଳାଫଳ ପରେ ଦଳୀୟ କର୍ମୀଙ୍କ ମହଲରେ ହତୋତ୍ସାହିତ ଭାବ ପରିଲକ୍ଷିତ ହୋଇଛି। ଯାଜପୁର ନିର୍ବାଚନମଣ୍ଡଳୀରେ ଦଳ ଆଉ ସୁଧୁରିବ ନାହିଁ ବୋଲି କେତେକ ପୁରୁଣା ନେତା କହିବାକୁ ପଛାଇ ନାହାନ୍ତି। ଉପ-ନିର୍ବାଚନରେ ବରିଷ୍ଠ ନେତାମାନଙ୍କ କାର୍ଯ୍ୟକଳାପରେ ଦଳୀୟ କର୍ମୀ ଅତିଷ୍ଠ ହୋଇ ଦଳରୁ ମୁହଁ ଫେରାଇ ନେଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣ ମିଳୁଛି। ସେହିପରି କଏଦୀର ମୃତ୍ୟୁକୁ ନେଇ ଦଳୀୟ ନେତାମାନେ ଯେପରି ଢଙ୍ଗରେ ରାସ୍ତାରୋକ କଲେ ଦଳପାଇଁ ଏହା ମହଙ୍ଗା ହେଲା ବୋଲି କେତେକ ନେତା କହୁଥିବା ଶୁଣିବାକୁ ମିଳିଛି। ଉପ-ନିର୍ବାଚନ ଫଳାଫଳକୁ ନେଇ ଦଳ ଭିତରେ ବିଦ୍ରୋହର ସ୍ୱର ଉଠିଥିବାବେଳେ ଜିଲା ସଭାପତି ମନୋଜ ରାଉତ ଓ ବ୍ଲକ୍ ସଭାପତି ବିଳାସ ରାଉତରା ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top