ଅନୁଗୁଳ

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଘଂଟପଡ଼ା ସରପଂଚଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

ତାଳଚେର, ୨୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ ଦ୍ୱାରା ନୂତନ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ତାଳଚେର ମେଡ଼ିକାଲ କଲେଜରେ ଘଂଟପଡ଼ା ପଂଚାୟତର ବେକାର ଯୁବକମାନଙ୍କୁ ନିଯୁକ୍ତି ଦାବି ନେଇ ସରପଂଚ ମନୋଜ ବେହେରାଙ୍କର ଆମରଣ ଅନଶନ ଆଜି ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି। ପ୍ରକାଶଥାଉକି, ଗତ ୨୦ତାରିଖରୁ ଘଂଟପଡ଼ା ସରପଂଚ ଶ୍ରୀ ବେହେରା ନିଜ ପଂଚାୟତର ବେକାର ଯୁବକ, ଯୁବତୀମାନଙ୍କୁ ମେଡ଼ିକାଲ କଲେଜର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦାବି କରି ଆମରଣ ଅନଶନ ଚଳାଇ ଆସୁଥିଲେ। ଏଥିପାଇଁ ପଂଚାୟତବାସୀ ସରପଂଚଙ୍କ ଏହି ଅନଶନକୁ ପୂର୍ଣ୍ଣ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଅଧିନରେ ଏମ୍.ସି.ଏଲ ଦ୍ୱାରା ଏହି ବିଶାଳ ମେଡ଼ିକାଲ କଲେଜ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ ହେଉଥିବା ବିଭିନ୍ନ କାର୍ଯ୍ୟରେ ବାହାର ଲୋକଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ ବେକାର ଯୁବକମାନେ ହାତବାନ୍ଧି ବସିଛନ୍ତି ବୋଲି ସରପଂଚ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଏବାବଦରେ ସେ ପ୍ରଶାସନକୁ ଅବଗତ କରାଇଥିବା ବେଳେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ କୈାଣସି ସୁଫଳ ନମିଳିବାରୁ ସେ ବାଧ୍ୟ ହୋଇ ଅନଶନ କରିଥିବାର ପ୍ରକାଶ କରିଥିଲେ। ତେବେ ଅନଶନକୁ ଚପାଇ ଦେବା ଉଦ୍ଦେଶ୍ୟରେ ଗତ ରାତିରେ କିଛି ଦୁବୃର୍ତ ଅନଶନସ୍ଥଳ ନିକଟରେ ତାଙ୍କୁ ଏବଂ ଅନ୍ୟମାନଙ୍କୁ ଟେକାପଥର ମାରିବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଆଜି ସନ୍ଧ୍ୟାରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ଅନଶନସ୍ଥଳୀରେ ପହଂଚି ଶ୍ରୀ ବେହେରା ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ୨୭ତାରିଖରେ ପ୍ରଶାସନର ମଧ୍ୟସ୍ଥତାରେ ଏକ ବୈଠକ କରାଯାଇ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାୟକ ପ୍ରତିଶ୍ରୁତି ଦେବାପରେ ସରପଂଚ ଶ୍ରୀ ବେହେରା ନିଜ ଅନଶନକୁ ପ୍ରତ୍ୟାହୃତ କରିଥିଲେ। ତେବେ ବୈଠକରେ ଯଦି କୈାଣସି ସମାଧାନ ନହୁଏ ତେବେ ପୁନର୍ବାର ଅନଶନ କରିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top