ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ

ପୁରୀ:୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ ଉନ୍ନୟନମୂଳକ କାର୍ଯ୍ୟତ୍ୱରାନ୍ୱିତ କରି ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜସ୍ୱମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅବଢ଼ା ଯୋଜନାରେ ପୁରୀ ସହରର ରାସ୍ତା ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା ହୋଇଥିଲା।ଏହି ଯୋଜନାରେ ୬ଟି ରାସ୍ତା ଉନ୍ନତିକରଣ ହବ ବୋଲି ନିର୍ବାହୀଯନ୍ତ୍ରୀ ପୂର୍ତ୍ତ ବିଭାଗ କହିଥିଲେ। ଏହା ବ୍ୟତୀତ ଗୃହ ନିର୍ମାଣ ପ୍ରକଳ୍ପରେ ହବିଷ୍ୟାଳିମାନଙ୍କ ପାଇଁ ଗୃହ ନିର୍ମାଣ କରାଯାଉଛି। ଜଗନ୍ନାଥ ବଲ୍ଲଭ ଠାରେ ବହୁତଳ ବିଶିଷ୍ଟ ପାର୍କିଂସ୍ଥଳ ନିର୍ମାଣ କରାଯିବ। ଡ୍ରେନେଜ କାର୍ଯ୍ୟାଳୟ ତରଫରୁ ମୂଷା ନଦୀର ଦଳ ସଫା କରାଯାଉଛି। ଏହାପରେ ଉନ୍ନତିକରଣ କାର୍ଯ୍ୟ ହେବ। ‘ଉନ୍ନତି’ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ପୁରୀ ମ୍ୟୁନିସପାଲିଟି ଏବଂ କୋଣାର୍କ, ନିମାପଡା ଓ ପିପିଲି ଏନ୍ ଏସିରେ ଏହା କାର୍ଯ୍ୟକାରୀ ହେଉଛି। ପୁରୀ ପୌରାଞ୍ଚଳର ସମସ୍ତ ୱାର୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହେବ। ସେପ୍ଟେମ୍ବର ୭ତାରିଖ ସୁଦ୍ଧା କାମ ଆରମ୍ଭ ହେବ ବୋଲି ଆଲୋଚନା ହୋଇଥିଲା। ‘ହୃଦୟ’ ଯୋଜନାରେ ୨୦କୋଟି ଟଙ୍କା ମଞ୍ଜୁର ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୧୦କୋଟି ୪୦ଲକ୍ଷ ୨୮ହଜାର ଟଙ୍କା ମିଳିଛି। ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ ବାଙ୍କୀମୁହାଣ ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭ ମଠ ଉଦ୍ୟାନ ଉନ୍ନତିକରଣ, ବଡଓଡିଆ ମଠ ଉନ୍ନତିକରଣ, ଜାଗାଘର ଉନ୍ନତି, ପୋଖରୀ ପୁନରୁଦ୍ଧାର, ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ ଉନ୍ନତିକରଣ କାର୍ଯ୍ୟ କରାଯିବ। ପ୍ରସାଦ ଯୋଜନାରେ ଦିଗବାରେଣୀ ଛକ ଠାରେ ଟ୍ୟୁରିଜିମ୍ ଫାସିଲିଟେସନ ସେଣ୍ଟର ଓ ବହୁମୁଖୀ ପାର୍କିଂ ସ୍ଥଳ ନିର୍ମାଣ କରାଯିବ। ବେଳାଭୂମି ଉନ୍ନତିକରଣ କରାଯିବ। ଅମୃତ ଯୋଜନାର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ପାନୀୟଜଳ ଯୋଗାଣ ସୁବିଧା ପାଇଁ ୮ଟି ପ୍ରକଳ୍ପ କାର୍ଯ୍ୟ ହେଉଛି ବୋଲି ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ କହିଥିଲେ। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା। ପୁରୀ ପୌପାଳିକାର ବସ୍ତିବାସିନ୍ଦାଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ହଜାର ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ ବୋଲି ଆଲୋଚନା ହୋଇଥିଲା। ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ସହରକୁ ସର୍ବାଙ୍ଗ ସୁନ୍ଦର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଜ୍ୟୋତିପ୍ରକାଶ ଦାସ କହିଥିଲେ। ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଉପଜିଲ୍ଲାପାଳ ଶ୍ରୀ ଭବତରଣ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୁରୀ ପୌରପାଳିକା ଶ୍ରୀ ଶ୍ରୀକାନ୍ତ ତରାଇ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *