ଓଡ଼ିଶା

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ସମାରୋହ: ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ଯ୍ୟ

ଭୁବନେଶ୍ୱର, ୧୮.୯ (ଓଡ଼ିଆ ପୁଅ) : ସଂସ୍କୃତ ଏକ ପ୍ରାଚୀନ ଆଦିଭାଷା ଓ ସର୍ବଭାଷାର ଜନନୀ। ସଂସ୍କୃତ ଓ ସଂସ୍କତି ବିନା ସମାଜ ପଙ୍ଗୁ। ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ଯ୍ୟ। ସମ୍ପ୍ରତି ସଂସ୍କୃତ ଭାଷାର ଅବକ୍ଷୟ ଯୋଗୁ ଓଡ଼ିଆଭାଷା ମଧ୍ୟ ବିକୃତ ହେଲାଣି। ତେଣୁ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଗଲେ ସେସବୁର ସମାଧାନ ହୋଇପାରିବ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ମଙ୍ଗଳବାର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଥିଲା। ଏହି ଉତ୍ସବରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଉଦ୍ଘାଟକ ଭାବେ ଯୋଗ ଦେଇ କହିଲେ ଯେ, ସଂସ୍କୃତ ଭାଷା ଏକ କଠିନ ଭାଷା। ଏହା ସାଧାରଣତଃ ବ୍ରାହ୍ମଣମାନଙ୍କ ଦଖଲରେ ରହିଥାଏ। ବର୍ତ୍ତମାନ ଏହି ଭାଷା ବିଲୁପ୍ତ ହେବାକୁ ବସିଲାଣି। ଏହାର ଐତିହ୍ୟ ଓ ପରମ୍ପରା ମାର୍ଜିତ, ଶ୍ରୁତିମଧୁର ଓ ରୁଚିସମ୍ପନ୍ନ। ସଂସ୍କୃତ ଭାଷାର ପୁନରୁଦ୍ଧାର ପାଇଁ ଆଜିର ଯୁବପିଢୀ ଏହାକୁ ଏକ ବୃତ୍ତିଭିତ୍ତିକ ଭାଷା ଭାବେ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେ ଯେ, ସଂସ୍କୃତ ଭାଷା ଆଦିମ କାଳରୁ ବେଦ ଓ ଉପନିଷଦର ଭାଷା ହୋଇ ରହିଥିଲା, ଯାହାକି ତତ୍କାଳୀନ ରାଜାରାଜୁଡାମାନେ ଅଧିକ ଆଦର ଓ ସମ୍ମାନ ଦେଉଥିଲେ। ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇ ନିଜର ଅଭିଜ୍ଞତାରୁ କହିଥିଲେ ଯେ, ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳାବଦ୍ଧ ତାଙ୍କୁ ଅଧିକ ଆକୃଷ୍ଟ କରିଥିଲା। ସଂସ୍କୃତ ଭାଷାର ବିଦ୍ୟାଧାରୀମାନେ ଆଜି ଆଦର ସହିତ ଶୃଙ୍ଖଳା ପାଳନ କରିଥାନ୍ତି। ଯାହାକି ଅନ୍ୟ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସଭାସମିତିରେ ତାହା ଦେଖାଯାଇ ନଥାଏ। ସେ କହିଲେ ଯେ, ସଂସ୍କୃତ ଶିକ୍ଷକଙ୍କ ଦାବି ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି, ସରକାରଙ୍କ ଆର୍ଥିକ ପରିସୀମା ଭିତରେ ପୂର୍ବରୁ ରହିଥିବା କ୍ୟାଡ଼ର ତଥା ଚୁକ୍ତିଭିତ୍ତିକ ସଂସ୍କୃତ ଶିକ୍ଷକଙ୍କ ବୃତ୍ତି ଉଚ୍ଛେଦଗତ ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କହିଲେ ଯେ, ୩ ହଜାର ବର୍ଷର ପୁରୁଣା ସଂସ୍କୃତ ଭାଷାରେ ବିଭିନ୍ନ ଧର୍ମଗ୍ରନ୍ଥ ରଚନା କରାଯାଇଛି। ଯେଉଁଥିରୁ ଦେଶର ଜ୍ଞାନବିଜ୍ଞାନର ପରାକାଷ୍ଠା ମିଳିଥାଏ। ଏହି ସଂସ୍କୃତ ଭାଷାକୁ ଆଗକୁ ନେବା ପାଇଁ ସମ୍ବଳର ଅନ୍ତରାୟ ହେବ ନାହିଁ। ଏଥିପାଇଁ ମନୋବଳ ବୃଦ୍ଧି ହେବା ଆବଶ୍ୟକ। ନାସାର ବୈଜ୍ଞାନିକମାନେ କମ୍ପୁଟର ମାଧ୍ୟମରେ ସଂସ୍କୃତ ଶବ୍ଦର ଯାନ୍ତ୍ରିକ ପ୍ରୟୋଗରେ ବର୍ତ୍ତମାନ ଅଗ୍ରଣୀ ଭୂମିକା ନିଭାଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, ସଂସ୍କୃତ ଭାଷାକୁ ପ୍ରଥମ ଶ୍ରେଣୀରୁ ପ୍ରଚଳନ କରିବା, ବିକଳ୍ପ ଭାବେ ଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ପୃଥକ୍ କରିବା ଏବଂ ହିନ୍ଦୀ ଭାଷାକୁ ଇଂରାଜୀର ବିକଳ୍ପ ଭାବେ ନେଇ ସଂସ୍କୃତକୁ ବାଧ୍ୟତାମୂଳକ ଭାଷା କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଥିଲେ। ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଉପଦେଷ୍ଟା ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସଂସ୍କୃତ ଭାଷାର ଅଗ୍ରଗତି ତଥା ସଂସ୍କୃତ ଶିକ୍ଷକ ଦୈନନ୍ଦିନ ଜୀବନ ବିକାଶ ଉପରେ ଆଲୋକପାତ କରିଥିବା ବେଳେ ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଧବ ଚନ୍ଦ୍ର ପଣ୍ଡା ସଂସ୍କୃତ ଭାଷାର ସୁରକ୍ଷା ଓ ବିକାଶ ଦିଗରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଡ. ଗୌତମ ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଘର ସାଧାରଣ ସମ୍ପାଦକ ପଣ୍ଡିତ ନରସିଂହ ଜେନା ବିବରଣୀ ପାଠ କରିବା ସହିତ ସାଂଗଠନିକ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ପ୍ରବୋଧ ଆତ୍ମଲିପି, ସଂସ୍କୃତ ମାର୍ଗଦର୍ଶିକା, ଦ୍ୱିରୂପ ଶବ୍ଦଭିଧାନ, ଶତାବ୍ଦୀର ସ୍ୱର ଓ କୁନା ଜହ୍ନମାମୁଁ ଆଦି ୫ଟି ପୁସ୍ତକକୁ ମୁଖ୍ୟଅତିଥି ଓ ଉଦ୍ଘାଟକ ଉନ୍ମୋଚନ କରିଥିଲେ। ଏହାଛଡ଼ା ସସ୍ମିତା ସ୍ୱାଇଁ, ପଦ୍ମିନୀ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ଚତୁର୍ଭୁଜ ପାଣିଗ୍ରାହୀ, ନିରଞ୍ଜନ ଦାଶ, ଅରୁଣ କୁମାର ସାହୁ ଓ ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ୭ଜଣ ବିଦ୍ୱାନ ପଣ୍ଡିତଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଡ. ବିପିନ ବିହାରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ମନୋରଞ୍ଜନ ମିଶ୍ର ଓ ପୂର୍ଣ୍ଣେନ୍ଦୁ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top