ଉତ୍କଳ ଭାରତର ରାଜ୍ୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ: ବିଜେଡି ସରକାର ରାଜ୍ୟରେ ବହୁମୁଖୀ ସମସ୍ୟା ସୃଷ୍ଟି କରିଛି-ଖାରବେଳ ସ୍ୱାଇଁ

ଭୁବନେଶ୍ୱର, ୨୩.୭.(ଓଡ଼ିଆ ପୁଅ), ଦୀର୍ଘ ୧୮ ବର୍ଷ ପୂର୍ବେ ଓଡ଼ିଶାର ଜନସାଧାରଣ ବହୁ ଆଶା ଆକାଂକ୍ଷା ନେଇ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଶାସନଭାର ଦେଇଥିଲେ। ସେତେବେଳେ କଙ୍ଗ୍ରେସ ଦଳର ଘୋର ଭ୍ରଷ୍ଟ ଶାସନରେ ରାଜ୍ୟବାସୀ ଅଣନିଶ୍ୱାଶୀ ହୋଇଯାଇଥିଲେ। ଅତଏବ ନବୀନ ବାବୁ ସୁଶାସନ ଦେବେ ବୋଲି ରାଜ୍ୟବାସୀ ଆଶାକରିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯୋଗୁ ଆଜି ରାଜ୍ୟରେ ବହୁମୁଖୀ ସମସ୍ୟା ସୃଷ୍ଟି ହୋଇଛି ବୋଲି ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି।

ଆଜି ଭୁନେଶ୍ୱର ସ୍ଥିତ ସାମ୍ବାଦିକ ଭବନ ଠାରେ ଉତ୍କଳ ଭାରତର ରାଜ୍ୟ କାର୍ଯ୍ୟକର୍ତ୍ତା ସମ୍ମିଳନୀର ଉଦଘାଟନୀ ଭାଷଣରେ ଖାରବେଳ ସ୍ୱାଇଁ ଦୃଢ଼ୋକ୍ତି କରିଛନ୍ତି ଯେ, ୨୦୧୯ରେ ଉତ୍କଳ ଭାରତ ଶାସକ ବିଜେଡିର ବିକଳ୍ପ ହେବା ପାଇଁ ଓ ଓଡ଼ିଶାର ସମୃଦ୍ଧି ପାଇଁ ସାରା ରାଜ୍ୟରେ ତା’ର ସଂଗଠନକୁ ବଢ଼େଇବା ପାଇଁ ଉଦ୍ୟମରେ ଲାଗିଛି। ଦଳର ଶକ୍ତି ବୃଦ୍ଧି ଓ ବ୍ୟାପକ ଜନ ସଚେତନତା ପାଇଁ ପାର୍ଟି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ କରିବା ପାଇଁ ନିଷ୍ପତ୍ତି ହୋଇଛି। ଦୀର୍ଘ ୧୮ବର୍ଷରୁ ଉର୍ଦ୍ଧ୍ୱ ହେବ ଓଡ଼ିଶାକୁ ନୀରଙ୍କୁଶ ଭାବେ ଶାସନ କରିଚାଲିଥିବା ବିଜେଡିକୁ ଏକ ଭ୍ରଷ୍ଟାଚାର, ଦୁର୍ନୀତିଗସ୍ତ ଓ ଅପାରଗ ବୋଲି ସେ ବର୍ଣ୍ଣନା କରିଛନ୍ତି। ରାଜ୍ୟର ଏହି ଶାସକ ଦଳର ନେତୃତ୍ୱ କୌଣସି ଦୂରଦୃଷ୍ଟି ବା ଦକ୍ଷତା ପ୍ରଦର୍ଶନ କରିପାରିନାହାନ୍ତି। ଟଙ୍କିକିଆ ଚାଉଳ, ଭାତ ଡାଲମା ଓ ମୋବାଇଲ ଇତ୍ୟାଦି ବାଣ୍ଟୁଥିବା ଏହି ସରକାର ଆଜି ଓଡ଼ିଆମାନଙ୍କୁ ଏକ ଛତ୍ରଖିଆ ଜାତିରେ ପରିଣତ କରିଦେଇଛି। ଆଳସ୍ୟ ଏ ଜାତିର ମୁଖ୍ୟ ବିଳାସ ହୋଇଯାଇଛି। ଏଥିପାଇଁ କୃଷି ଉତ୍ପାଦନରେ ଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିିଲନାଡ଼ୁ ଓ ଏପରିକି ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶଠାରୁ ପଛରେ ପଡ଼ିଛି।

ପୁନଶ୍ଚ ସେ କହିଛନ୍ତି ଯେ, ବିଜେଡି ଶାସନରେ ଦୁର୍ନୀତି ଚରମସୀମାରେ ପହଞ୍ଚିଗଲାଣି। ଚିÿଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଓ ଗିରଫ ହୋଇଥିବା ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଆଡଭୋକେଟ ଜେନେରାଲ, ଅଭିନେତା ଆଦି ସମସ୍ତେ ହେଉଛନ୍ତି ବିଜେଡିର। କେବଳ ଏହିମାନଙ୍କୁ ରକ୍ଷାକରିବା ପାଇଁ ୨୦୧୫ରେ ଲୋକାୟୁକ୍ତ ଆଇନ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇ ସାରିଥିଲେ ମଧ୍ୟ ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ହେଉନାହିଁ। ପଞ୍ଚାୟତ ସ୍ତରରେ ଭତ୍ତା, ଇନ୍ଦୀରା ଆବାସ, ବିଜୁ ପକ୍କାଘର ଯୋଜନା, ରାସ୍ତାକାମ ଓ ପାଇଖାନା ନିର୍ମାଣରେ ବ୍ୟାପକ ଲାଞ୍ଚ ନିଆଯାଉଛି। ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ହେତୁ ପାଠପଢ଼ା ହେଉନାହିଁ ବୋଲି ସେ କହିଥିଲେ।

ପୋସ୍କୋ, ମିତ୍ତଲ ପରି ବଡ଼ ବଡ଼ ଶିଳ୍ପମାନଙ୍କୁ ଜମି ନଦିଆଯିବା ଫଳରେ ସେମାନେ ଓଡ଼ିଶା ଛାଡ଼ି ପଳେଇଯାଇଛନ୍ତି। ଏବେ ଓଡ଼ିଶାକୁ ନୂଆ ଶିଳ୍ପ ଆସିବାର ସମ୍ଭାବନା ମଉଳିଯାଉଛି। ସେଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକମାନେ ଦାଦନ ଖଟିବା ପଇଁ ଓଡ଼ିଶା ବାହାରକୁ ପଳାୟନ କରୁଛନ୍ତି। ଉତ୍କଳ ଭାରତ ବଡ଼ ବଡ଼ ଶିଳ୍ପମାନଙ୍କୁ ଓଡ଼ିଶାରେ ପ୍ରତିଷ୍ଠିତ କରି ଓଡ଼ିଆ ଯୁବକ-ଯୁବତୀମାନଙ୍କର ଦକ୍ଷତା ବୃଦ୍ଧିକରି ଏଠାରେ ଭଲ ଦରମାର କାମ ଦେବ। ନୂଆ ଟେକ୍ନୋଲୋଜି ତଥା କୃଷି ବିଜ୍ଞାନର ପ୍ରୟୋଗ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବ। ସରକାରୀ ଅଫିସମାନଙ୍କରୁ ଲାଞ୍ଚ କାରବାର ବନ୍ଦ କରିବ। ଗରିବକୁ ମଧ୍ୟବିତ୍ତ କରିବ ବୋଲି ଉତ୍କଳ ଭାରତର ସଭାପତି ଶ୍ରୀ ଖାରବେଳ ସ୍ୱାଇଁ କହିଛନ୍ତି।

କଙ୍ଗ୍ରେସ ଓ ଭାରତୀୟ ଜନତା ପାର୍ଟି ଅତୀତରେ ବିଜେଡିକୁ ସୁରକ୍ଷା ଦେଇଆସୁଥିବାରୁ ଏମାନେ ଭବିଷ୍ୟତରେ ବିଜେଡିକୁ କ୍ଷମତାରୁ ହଟାଇବାକୁ ଅକ୍ଷମ ଅଟନ୍ତି। ତେଣୁ ଉତ୍କଳ ଭାରତ ବିଜେଡିର ଏକମାତ୍ର ବିକଳ୍ପ ହିସାବରେ ୨୦୧୯ ନିର୍ବାଚନରେ ଏହି ଦଳକୁ ଗାଦିଚ୍ୟୁତ କରିବାକୁ ସଂକଳ୍ପବଦ୍ଧ। ଉତ୍କଳ ଭାରତ ନୂଆ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶାରୁ ଦାଦନ ଶ୍ରମିକ ପଳାୟନକୁ ରୋକିବ ଓ ବେକାରମାନଙ୍କୁ କାମ ଯୋଗାଇଦେବ। କୃଷି ଉତ୍ପାଦନକୁ ଦୁଇଗୁଣ କରିବା, ସରକାରୀ ଅଫିସରୁ ଲାଞ୍ଚ ବନ୍ଦକରିବା ତଥା ଗରିବକୁ ମଧ୍ୟବିତ୍ତ କରିବା ଏ ଦଳର ଆଭିମୁଖ୍ୟ ଅଟେ।

ଏହି ସମ୍ମିଳନୀରେ ଉତ୍କଳ ଭାରତର ରାଜ୍ୟ ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ରାମକୃଷ୍ଣ ମହାପାତ୍ର, ରାଜେନ୍ଦ୍ର ଦଳବେହେରା, ସମ୍ପାଦକ କାମିଲୁଦ୍ଦିନ ଅହମ୍ମଦ, ଶ୍ରୀହର୍ଷ ସ୍ୱାଇଁ, ଦଳିତ ଉତ୍କଳ ଭାରତ ସଭାପତି ଦିଲ୍ଲିପ ମଲ୍ଲିକ, ଯୁବ ସଭାପତି ଜଗଦିଶ ପ୍ରଧାନ, ନାରୀ ଉତ୍କଳ ଭାରତ ସାଧାରଣ ସମ୍ପାଦିକା ସାବିତ୍ରୀ ଜେନା ଓ ପଶ୍ଚିମବଙ୍ଗ ଶାଖା ଉତ୍କଳ ଭାରତର ସଭାପତି ସୁଶୀଲ କୁମାର ରାଉତ ପ୍ରମୁଖ ସେମାନଙ୍କର ମତ ରଖିଥିଲେ। ସେହିପରି ଦଳର ବିଭିନ୍ନ ଜିଲ୍ଲା ସଭାପତି ଓ ବ୍ଲକ ସଭାପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *